ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ୱିତୀୟ ବିବାହ କରିଛନ୍ତି ସ୍ୱାମୀ: ବ୍ଲକ ଅଫିସ ଆଗରେ ଶ୍ୱଶୁର ଗାଡି ଅଟକାଇ ବିକ୍ଷୋଭ ପ୍ରଦର୍ଶନ କଲେ ବୋହୂ

333

କନକ ବ୍ୟୁରୋ: ସ୍ୱାମୀଙ୍କ ଦ୍ୱିତୀୟ ବିବାହକୁ ନେଇ ତାତିଲେ ପ୍ରଥମ ସ୍ତ୍ରୀ । ରାସ୍ତା ମଝିରେ ଶ୍ୱଶୁରଙ୍କ ଗାଡି ଅଟକାଇଲେ ଅଟକାଇଲେ ବୋହୂ । କହିଲେ, ମୋ ପରିବାର ମୋତେ ଫେରାଇ ଦିଅ । ମୁଁ ଥାଉ ଥାଉ ମୋ ସ୍ୱାମୀଙ୍କ ଦ୍ୱିତୀୟ ବାହାଘର କରାଇ ଦେଇଛନ୍ତି ମୋ ଶାଶୁଘର ଲୋକେ । ଏମିତି କେମିତି କିଛି ଅଭିଯୋଗ କରି ରାସ୍ତା ଉପରେ ପ୍ରାୟ ଅଧଘଂଟା କାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଜଣେ ମହିଳା । ମୟୂରଭଂଜ ଜିଲ୍ଲା କରଂଜିଆ ବ୍ଲକ ଅଫିସ ସମ୍ମୁଖରେ ଏଭଳି ଘଟଣା ଘଟିଛି । ଶେଷରେ ସ୍ଥିତି ଏମିତି ହେଲା ଯେ, ଶ୍ୱୁଶୁର ଓ ଜେଜେ ଶ୍ୱଶୁରଙ୍କୁ ଚଲେଇ ଚଲେଇ ଥାନାକୁ ନେଇଛି କରଂଜିଆ ପୁଲିସ । ପାରିବାରିକ କଳହ କାରଣରୁ ପ୍ରଥମ ସ୍ତ୍ରୀ ବାପାଘରେ ଥିବା ବେଳେ ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତୁତି କରିଥିଲେ ସ୍ୱାମୀ । ମନ୍ଦିରରେ ବିବାହ ପାଇଁ ସବୁ ପ୍ରସ୍ତୁତି ସରିଥିଲା ।

ଏକଥା ଜାଣିବା ପରେ ପ୍ରଥମ ସ୍ତ୍ରୀ ଥାନାର ଦ୍ୱାରସ୍ଥ ହେବା ସହ ମନ୍ଦିରରେ ପହଂଚିଥିଲେ । ପରେ ସମସ୍ତ ପ୍ରମାଣ ସହ ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ପାଇଁ ନିବେଦନ କରିଛନ୍ତି । କେନ୍ଦୁଝର ଜିଲ୍ଲା କାଶୀପୁର ଗାଁର ଦିପ୍ତିମୟୀ ମାଝି ୨୦୧୬ ମସିହାରେ କରଂଜିଆ ବ୍ଲକ ଘୋଷଦା ଗାଁର ଗଣେଷ ମହାକୁଡଙ୍କୁ ବିବାହ କରିଥିଲେ । ତାଙ୍କର ୪ ବର୍ଷର ଝିଅଟିଏ ବି ଅଛି । ବିବାହର ମାତ୍ର ୬ ମାସ ପରେ ଯୌତୁକ ଦାବି କରି ଗଣେଶ ଓ ତାଙ୍କ ପରିବାର ଲୋକ ଦିପ୍ତୀମୟୀଙ୍କୁ ନିର୍ଯାତନା ଦେଲେ । ବିବାହ ପରେ ଯୌତୁକ ବାବଦକୁ ୮୭ ହଜାର ଟଙ୍କା ଦେଇଥିଲେ ଦିପ୍ତୀମୟୀଙ୍କ ବାପା । ଏତିିକିରେ ଯୌତୁକ ଲୋଭ ମେଂଟି ନଥିଲା, ପରେ ଆଉ ୨ ଲକ୍ଷ ଟଙ୍କା ଦାବି କରିଥିଲେ ବୋଲି ଦିପ୍ତୀମୟୀଙ୍କ ବାପା ଅଭିଯୋଗ କରିଛନ୍ତି । ଆଉ ୨ ଲକ୍ଷ ଟଙ୍କା ନଦେବାରୁ ଝିଅ ଉପରେ ନିର୍ଯାତନା ବଢିଲା । ଶେଷରେ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ଝିଅକୁ ଧରି ବାପା ଘରକୁ ଚାଲି ଆସିଥିଲେ ଦିପ୍ତୀମୟୀ । ଆଉ ଏହାରି ଭିତରେ ପ୍ରଥମ ସ୍ତ୍ରୀକୁ ଛାଡି ଅନ୍ୟତ୍ର ବିବାହ କରିଛନ୍ତି ସ୍ୱାମୀ ଗଣେଷ ମହାକୁଡ । ଗତ ୧୩ ତାରିଖରେ କେନ୍ଦୁଝର ଜିଲ୍ଲା ବଡବିଲ ଅଂଚଳର ଜଣେ ଯୁବତୀଙ୍କୁ ସ୍ୱାମୀ ବିବାହ କରିଥିବା ଅଭିଯୋଗ କରିଛନ୍ତି ଦିପ୍ତୀମୟୀ ।