ଇଟାଲି ପର୍ଯ୍ୟଟକଙ୍କ ଅପହରଣର ପରଠୁ ଗାଁ ମାଟି ମାଡୁନଥିଲା ପ୍ରଶାସନ: ୧୦ ବର୍ଷ ପରେ ଗାଁରେ ପହଂଚିଲେ ବିଧାୟକ

118

କନକ ବ୍ୟୁରୋ: ୨ ଇଟାଲି ପର୍ଯ୍ୟଟକଙ୍କ ଅପହରଣର ୧୦ ବର୍ଷ ପରେ ମାଓ ଅଧ୍ୟୁଷିତ ଗାଁରେ ପହଂଚିଲେ ବିଧାୟକ । ୨୦୧୨ ମସିହାରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଉପାନ୍ତ ଗାଁ ଗଡପାକାଲି’ରୁ ଦୁଇ ଇଟାଲି ପର୍ଯ୍ୟଟକ ବସୁସ୍କୋ ପାଉଲୋ ଓ କ୍ଲାଉଡିଓ କାଲାନ୍ଜେଲୋଙ୍କୁ ଉପହରଣ କରି ନେଇଥିଲେ ମାଓବାଦୀ । ଏହି ଘଟଣା ପର ଠାରୁ ଗଡପାକାଲି ଗାଁର ନାଁ ଶୁଣିଲେ ପର୍ଯ୍ୟଟକ ଓ ପ୍ରଶାସନିକ ଅଧିକାରୀଙ୍କ ଭିତରେ ଭୟ ଖେଳିଯାଏ । ଗତ ୧୦ ବର୍ଷ ହେଲା, ଏହି ମାଓ ପ୍ରବଣ ଗାଁକୁ କାହାରି ପାଦ ପଡିନଥିଲା । ହେଲେ ଏବେ କିନ୍ତୁ ସେଥିରେ ପରିବର୍ତନ ହୋଇଛି । ମାଓ ଭୟ ଭିତରେ ଉପାନ୍ତ ଗାଁରେ ପହଂଚିଛନ୍ତି ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଓ ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର ।

ଲୋକଙ୍କ ସମସ୍ୟା ଶୁଣି ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ । ତେବେ ମାଓ ପ୍ରଭାବିତ ପାହାଡି ଗାଁରେ ପହଂଚିବା ଏତେ ସହଜ ନଥିଲା । ବିଧାୟକ ଓ ବିଡିଓ ହାତରେ ଖଣ୍ଡେ ଖଣ୍ଡେ ବାଡି ଧରି ପ୍ରାୟ ୧୦ କିଲୋମିଟର ରାସ୍ତା ଚାଲିଥିଲେ । ପାହାଡ-ଜଙ୍ଗଲ ରାସ୍ତା ଅତିକ୍ରମ କରି ଅବହେଳିତ ଗଡପାକାଲି ଗାଁରେ ପହଂଚିଥିଲେ । ଲୋକେ ତାଙ୍କୁ ଆଦିବାସୀ ପରମ୍ପରା ଆଧାରରେ ସ୍ୱାଗତ କରିଥିଲେ । ପରେ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବାବଦରେ ପଚାରି ବୁଝିଥିଲେ ବିଧାୟକ ସାଲୁଗା ପ୍ରଧାନ । ରାସ୍ତା, ପାଣି, ବିଜୁଳି ଓ ଶିକ୍ଷା ଭଳି ମୌଳିକ ସୁବିଧା ଯୋଗାଇ ଦେବାକୁ ଲୋକେ ଅନୁରୋଧ କରିଥିଲେ । ଗାଁ ଲୋକଙ୍କ ଅଭିଯୋଗ ଶୁଣିବା ପରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ ।