ପାରମ୍ପରିକ ରୀତିରେ ସରିଲା ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ: ଶ୍ରୀନଅରରେ ଆୟୋଜିତ ହେଲା ସ୍ୱତନ୍ତ୍ର ଉତ୍ସବ

220

କମକ ବ୍ୟୁରୋ: ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଛି ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ । ଏହି ଅବସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସିଂହାସନ ଆରୋହଣ କରିବା ସହ ତାଙ୍କର ଅଭିଷେକ କରାଯାଇଛି । ଏଥିପାଇଁ ଶ୍ରୀନଅରରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର ଉତ୍ସବ । ଷୋଳ ଶାସନର ବାହ୍ମଣ ପୁରୋହିତମାନେ ଗଜପତିଙ୍କୁ ଆଶୀର୍ବାଦ ଦେଇଛନ୍ତି । ଗତକାଲି ଶ୍ରୀମନ୍ଦିରରେ ପୌଷପୂର୍ଣ୍ଣିମା ଦେବାଭିଷେକ ନୀତି ସଂପନ୍ନ ହେବା ପରେ ପରଂପରା ଅନୁସାରେ ଆଜି ଶ୍ରୀନଅରରେ ଗଜପତିଙ୍କ ରାଜାଭିଷେକ ଅନୁଷ୍ଠିତ ହୋଇଛି । ପୌଷପୂର୍ଣ୍ଣିମା ପୁଷ୍ୟା ନକ୍ଷତ୍ରରେ ଶ୍ରୀନଅରରେ ଗଜପତିଙ୍କ ପୁଷ୍ୟାଭିଷେକ ପରମ୍ପରା ଏବେ ବି ଜାରି ରହିଛି । ଏହି ଅବସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପାରମ୍ପରିକ ପୋଷାକ ପିନ୍ଧି ସିଂହାସନରେ ବସିବା ପରେ ମନ୍ତ୍ର ସ୍ନାନ କରାଯାଇ ନୂଆ ପଇତା ଲାଗି କରାଯାଇଥିଲା । ଏହା ପରେ ଅଭିଷେକ ଆରମ୍ଭ କରାଯାଇଥିଲା । ଅଭିଷେକ ମହୋତ୍ସବ ପରେ ଷୋଳ ଶାସନରୁ ଆସିଥିବା ବ୍ରାହ୍ମଣମାନେ ଗଜପତିଙ୍କୁ ପଇତା ଦାନ କରି ଆଶୀର୍ବାଦ ପ୍ରଦାନ କରିଥିଲେ । ରାଜ ପୁରୋହିତଙ୍କ ସହ ଅନ୍ୟ ବ୍ରାହ୍ମଣମାନେ ମଧ୍ୟ ମନ୍ତ୍ର ଉଚ୍ଚାରଣ କରି ଗଜପତିଙ୍କ ଉଜ୍ୱଳ ଭବିଷ୍ୟତ ଏବଂ ମଙ୍ଗଳ କାମନା କରିଥିଲେ ।