ଆବାସ ଯୋଜନାରେ ଘର କଲେ ଜଣେ, ଟଙ୍କା ପାଇଲେ ଆଉ ଜଣେ: ମହାରାଷ୍ଟ୍ର ହିତାଧିକାରୀଙ୍କ ଆକାଉଂଟକୁ ଚାଲିଗଲା ମହାକାଳପଡା ହିତାଧିକାରୀଙ୍କ ଟଙ୍କା

83

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି କରି ଫସିଗଲେ ହିତାଧିକାରୀ । ଯୋଜନାରେ ମିଳିବାକୁ ଥିବା ଟଙ୍କାକୁ ଭରସା କରି ଘର ତିଆରି ଆରମ୍ଭ କଲେ, ହେଲେ ଯୋଜନା ବାବଦ ଟଙ୍କା ତାଙ୍କ ଆକାଉଂଟକୁ ନଆସି ଆଉ ଜଣଙ୍କ ଆକାଉଂଟକୁ ଚାଲି ଯାଇଛି । କେନ୍ଦ୍ରାପଡା ମହାକାଳପଡା ବ୍ଲକର ହିତାଧିକାରୀଙ୍କ ଟଙ୍କା ମହାରାଷ୍ଟ୍ରର ହିତାଧିକାରୀଙ୍କ ଆକାଉଂଟକୁ ଚାଲି ଯାଇଛି । ୨ଟି କିସ୍ତିରେ ୫୦ ହଜାର ଟଙ୍କା ମହାରାଷ୍ଟ୍ରର ଜଣେ ହିତାଧିକାରୀଙ୍କ ଆକାଉଂଟକୁ ଯାଇଛି । ଏପଟେ ଚିନ୍ତାରେ ପଡିଛନ୍ତି ହାତ ଉଦ୍ଧାରି କରି ଘର କରିଥିବା ମହାକାଳପଡା ବ୍ଲକ ଖୁରୁସିଆ ଗାଁର ରଂଜିତ୍ ବେହେରା । ଆବାସ ଯୋଜନାରେ ଘରଟିଏ ମିଳିବା ପରେ ହାତ ଉଦ୍ଧାରି କରି ଘର କାମ ଆରମ୍ଭ କରିଛନ୍ତି ରଂଜିତ୍ । ଏବେ କେମିତି କରଜ ସୁଝିବେ, କେମିତି ମିସ୍ତ୍ରୀ ଓ ଶ୍ରମିକଙ୍କୁ ଟଙ୍କା ଦେବେ ତାକୁ ନେଇ ଭାଙ୍ଗି ପଡିଛନ୍ତି ରଂଜିତ୍ । ଆବାସ ଯୋଜନାର ଟଙ୍କା ଫେରି ପାଇବା ନେଇ ବାରମ୍ବାର ବ୍ଲକ ଅଫିସକୁ ଦଉଡି ଦଉଡି ନୟାନ୍ତ ହେବା ପରେ ଏବେ ପଂଚାୟତ ଅଫିସ ଆଗରେ ଧାରଣା ଦେଇଛନ୍ତି ରଂଜିତ୍ ।