ରାୟଗଡା ସହରକୁ ଜଗିଛି ଅଚଳ ସିସିଟିଭି। କାମରେ ଆସୁନି ୨୦୧୭ରୁ ଲାଗିଥିବା ୨୦ଟି ସିସିିଟିଭି।

68

କନକ ବ୍ୟୁରୋ: ସାରା ସହରକୁ ସିସିଟିଭି କ୍ୟାମେରା ଜଗିଛି । କିନ୍ତୁ ସହରରେ ହେଉଥିବା ଚୋରି, ଡକାୟତି ଓ ଲୁଟର ଦୃଶ୍ୟକୁ କଏଦ କରିପାରୁନି ସିସିଟିଭି । ଏମିତିକି ରାସ୍ତାରେ ଘଟୁଥିବା ଦୁର୍ଘଟଣା ଚିତ୍ର ବି କଏଦ ହୋଇପାରୁନାହିଁ । ୨୦୧୭ରୁ ସିସିଟିଭି କ୍ୟାମେରା ଲଗାଯାଇଥିଲେ ବି କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ କୌଣସି ପ୍ରକାର ପଦକ୍ଷେପ ନେଉନାହିଁ । ଚୋରି, ଡକାୟତି, ଲୁଟ ଭଳି ଅପରାଧକୁ ରୋକିବା ସହ ସଡକ ଦୁର୍ଘଟଣା ଓ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ୨୦୧୭ରେ ଜିଲ୍ଲା ଇନୋଭେସନ ଫଣ୍ଡରୁ ୨ କୋଟି ୭୦ ଲକ୍ଷ ଟଙ୍କାରେ ରାୟଗଡା ସହରରେ ସିସିଟିଭି କ୍ୟାମେରା ଲଗାଯାଇଥିଲା ।

ମୁମ୍ବାଇର ସ୍ୱାତୀ ସେକ୍ୟୁର ଇକ୍ୱିପମେଣ୍ଟ ପ୍ରାଇଭେଟ ଲିମିଟେଡ ଘରୋଇ ସଂସ୍ଥା ରାୟଗଡା ସହରର ସମ୍ବେଦନଶୀଳ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇଥିଲା । ପ୍ରଥମ ପର୍ଯ୍ୟାୟରେ ୩୫ ଲକ୍ଷ ୨୬ ହଜାର ଟଙ୍କା ବ୍ୟୟରେ ରାୟଗଡା ପୋଲିସ ଷ୍ଟେସନ, ଗ୍ରାମାଞ୍ଚଳ ପିତାମହଲ ରାସ୍ତା, ଫରେଷ୍ଟ ଅଫିସ ପାଖ କୋରାପୁଟ ଗେଟ, ଜେକେପୁର ରାସ୍ତା, ମା’ ମଝିଘରିଆଣି ମନ୍ଦିର ସାମ୍ନା, ରଥ ରୋଡ ଛକ, କୋରାପୁଟ ଛକ, ଶାସ୍ତ୍ରୀନଗର ଛକ, ଶିରିକଣା ଛକ, ଓ କୋତାପେଟା ଛକ ଭଳି ୧୦ଟି ସ୍ଥାନରେ ୨ଟି ଲେଖାଏଁ ସିସିଟିଭି ଲାଗିଛି ।

ସିସିଟିଭି ପରିଚାଳନା ପାଇଁ ରାୟଗଡା ଥାନାର ପ୍ରଥମ ମହଲାରେ କଣ୍ଟ୍ରୋଲ ରୁମ କରାଯାଇଥିଲା । କଣ୍ଟ୍ରୋଲ ରୁମ ପରିଚାଳନା ପାଇଁ କିଛି ପୋଲିସ କର୍ମଚାରୀଙ୍କୁ ତାଲିମ ଦିଆଯାଇଥିଲା । ଏତେ ପରେ ବି କାମରେ ଆସୁନି ସିସିଟିଭି କ୍ୟାମେରା । ୨୦୧୭ରୁ ୨୦୨୨ ହେଲାଣି, ସିସିଟିଭି ଗୁଡିକ କେବଳ ଖୁଣ୍ଟରେ ଝୁଲୁଛି । ଯାହାକୁ ରାସ୍ତାରେ ଯାଉଥିବା ଲୋକମାନେ ଦେଖୁଛନ୍ତି । ସେପଟେ ରାୟଗଡା ପୌର ପରିଷଦ କାର୍ଯ୍ୟନିର୍ବାହି ଅଧିକାରୀ କହିଛନ୍ତି, ସହରର ଆହୁରି ୩୦ରୁ ୩୫ଟି ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଜାଗା ଚିହ୍ନଟ ହୋଇଛି ।