ଦିଗପହଣ୍ଡିରେ ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ହିଂସା। ୨ ମାସରେ ଗଡିଲାଣି ୪ ଜଣଙ୍କ ମୁଣ୍ଡ, ଶାନ୍ତି ପାଇଁ ପୁଲିସର ଉଦ୍ୟମ।

113

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପରେ ଅଶାନ୍ତ ଗଞ୍ଜାମ ଜିଲ୍ଲା । ରାଜନୈତିକ ହିଂସାକାଣ୍ଡରେ ଜିଲ୍ଲାରେ ୭ ଜଣଙ୍କ ମୃତ୍ୟୁହୋଇଛି । ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଗୁରତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ପଞ୍ଚାୟତ ନିର୍ବଚନ ପରେ ରାଜନୈତିକ ଛକାପଞ୍ଝା ଲାଗି ରହିଛି । ମାରପିଟ୍, ହଣାକଟା ଚାଲିଛି । ୨ ମାସରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏପ୍ରିଲ ୨୩ ତାରିଖ ଦିଗପହଣ୍ଡି ଥାନା ଅର୍ନ୍ତଗତ ପାଳଝାଡ଼ି ଗାଁରେ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ ସୁଦର୍ଶନ ସୁଆଁର ଓ ସୁଧିର ପାତ୍ର । ସେମାନେ ବିଜୟୀ ସରପଞ୍ଚଙ୍କୁ ସମର୍ଥନ କରୁଥିବାରୁ ଖଣ୍ଡା ଓ ପଥରରେ ଆକ୍ରମଣ କରିଥିଲେ ପରାଜିତ ସରପଂଚ ପ୍ରାର୍ଥୀଙ୍କ ସମର୍ଥକ ।

ସେହିଭଳି ମେ’ ୨୯ ତାରିଖରେ ଦିଗପହଣ୍ଡି ଥାନା ଅର୍ନ୍ତଗତ ନବରଙ୍ଗପୁର ଗାଁରେ ପୁଣି ରାଜନୈତିିକ ହିଂସାକାଣ୍ଡ ଘଟିଥିଲା । ବାବୁ ଗୌଡ଼ ଓ ପ୍ରଦିପ ସାହୁଙ୍କ ହତ୍ୟା କରାଯାଇଥିଲା । ଜୁନ ୫ ତାରିଖରେ ନବରଙ୍ଗପୁର ଠାରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଧମକ ଦେବା ସହ ଠେଲାପେଲା କରିଥିଲେ ଗୋଟିଏ ଗୋଷ୍ଠୀ । ଜୁନ ୬ ତାରିଖରେ ଭିସ୍ମଗିରିର ସମିତି ସଭ୍ୟଙ୍କୁ ଧମକ ଦେବା ସହ ତାଙ୍କ ବାପାଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ ।

୨୦୦୯ ମସିହାରେ ଦିଗପହଣ୍ଡିି ନିର୍ବଚନ ମଣ୍ଡଳୀ ଗଠନ ହୋଇଥିଲା । ଏହା ପରେ ସୂର୍ଯ୍ୟନାରାୟଣ ପାତ୍ର ବିଧାୟକ ହୋଇ ଆସୁଛନ୍ତି । ଏବେ ଏହି ନିର୍ବାଚନମଣ୍ଡଳୀରେ ବିଜେଡ଼ି କର୍ମୀ ୨ ଗୋଷ୍ଠୀରେ ଭାଗ ହୋଇଯାଇଛନ୍ତି । ଫଳରେ ନିର୍ବଚନ ହିଂସା ବଢୁଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଦିଗପହଣ୍ଡିରେ ଶାନ୍ତି ଫେରାଇ ଆଣିବା ପାଇଁ ପୁଲିସର ଉଦ୍ୟମ ଜାରି ରହିଛି । ଗାଁ ଗାଁରୁ ପୁଲିସ ଖବର ସଂଗ୍ରହ କରୁଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।