ଅଟୋରିକ୍ସାରେ ଯାତ୍ରା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ନିମନ୍ତ୍ରଣ ରକ୍ଷା କଲେ, ରାତ୍ରୀଭୋଜନରେ ଯୋଗ ଦେଲେ

117

କନକ ବ୍ୟୁରୋ : ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ । ଚଳଚଂଚଳ ରାଜ୍ୟରାଜନୀତି । ବିଭିନ୍ନ ଦଳ ଏଠାରେ ପହଁଚି ଭୋଟବ୍ୟାଙ୍କ ରାଜନୀତି କରୁଛନ୍ତି । ଏହା ଭିତରେ ବିଜେପି ଓ କଂଗ୍ରେସର ପରମ ପ୍ରତିଦ୍ୱନ୍ଦୀ ଦଳ ଆମ ଆଦମୀ ପାର୍ଟିର ଲକ୍ଷ୍ୟରେ ରହିଛି ଗୁଜରାଟ । ଏହା ଭିତରେ ଆପ ମୁଖିଆ ଅରବିନ୍ଦ କେଜ୍ରିୱାଲଙ୍କୁୁ ନେଇ ନିକଟରେ ଘଟିଥିବା ଏକ ଘଟଣା ବେଶ ଚର୍ଚ୍ଚା ସାଉଁଟିଛି । ଜଣେ ଅଟୋ ଡ୍ରାଇଭରଙ୍କ ନିମନ୍ତ୍ରଣକୁ ରକ୍ଷା କରି କେଜ୍ରିୱାଲ ଯେଉଁଭଳି ଭାବେ ଅଟୋରେ ଯାତ୍ରା କରି ରାତ୍ରୀଭୋଜନ ପାଇଁ ପହଁଚିଲେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଅଟୋରିକ୍ସା ଯାତ୍ରାକୁ ନେଇ ଏବେ ଚାଲିଛି ଖୁବ ଚର୍ଚ୍ଚା । ଗୁଜରାଟ ଗସ୍ତର ପ୍ରଥମ ଦିନରେ ଜଣେ ପ୍ରଂଶସକ କେଜ୍ରିୱାଲଙ୍କ ସହ କଥା ହଉ ହଉ ଏକ ଅନୁରୋଧ କରିଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଘରକୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ ଅଟୋ ରିକ୍ସା ଚାଳକ ବିକ୍ରମଭାଇ ଦନ୍ତାଣୀ । ତାଙ୍କ ଅନୁରୋଧ ରକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ରାତ୍ରୀ ଭୋଜନ ପହଁଚିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଦେଇଥିବା କଥା ମୁତାବକ ସୋମବାର ରାତି ୮ଟା ସମୟରେ ନିଜ ଭିଆଇପି ରହଣୀ ସ୍ଥଳରୁ ବିନା କୌଣସି ସୁରକ୍ଷା ବ୍ୟବସ୍ଥା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅଟୋ ରିକ୍ସାରେ ଗନ୍ତବ୍ୟସ୍ଥଳକୁ ବାହାରିଥିଲେ । ଏହି ସମୟରେ କିନ୍ତୁ ଗୁଜରାଟ ପୁଲିସ ସେଠାରେ ପହଁଚି ଯିବାକୁ ବାରଣ କରିଥିଲା ଓ କେଜ୍ରିୱାଲଙ୍କୁ ଫେରିଯିବାକୁ କହିଥିଲା ।

କିଛି ସମୟର ଯୁକ୍ତିତର୍କ ପରେ କେଜ୍ରିଓାଲ କିଛି ସାଥୀଙ୍କ ସହ ଅଟୋ ଚାଳକଙ୍କୁ ଘରକୁ ଯାତ୍ରା ଆରମ୍ଭ କରିଥିଲେ । ଦେଇଥିବା ପ୍ରତିଶ୍ରୁତି ସମୟ ଅନୁସାରେ ଅଟୋ ରିକ୍ସା ଚାଳକଙ୍କ ଘରେ ପହଁଚିଥିଲେ ଓ ବେଶ ଖୁସିର ସହ ରାତ୍ରୀ ଭୋଜନ କରିଥିଲେ କେଜ୍ରିୱାଲ । ସୋସିଆଲ ମିଡିଆରେ ପୂରା ଘଟଣାକୁ ବଖାଣିବା ସହ କେଜ୍ରିୱାଲ ପାଇଥିବା ଆତେଥ୍ୟ ବିଷୟରେ କହି ବେଶ ଖୁସି ପ୍ରକାଶ କରିଥିଲେ । ଏହିି ଘଟଣାକୁ ନେଇ ବିଜେପି ଏବେ କେଜ୍ରିୱାଲଙ୍କୁ ତେରଛା ବାଣ ମାରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜଣେ ଭଲ କଳାକାର କହିଛି ବିଜେପି । ସେପଟେ ଆପ ମଧ୍ୟ ଜବାବ ରଖିଛି   । ଦଳ କହିଛି ଗୁଜରାଟକୁ ନିଜ ହାତ ମୁଠାରେ ରଖିଥିବା ବିଜେପି ଆଗାମୀ ନିର୍ବାଚନରେ ପରାଜୟ ହେବ । ଏଥରକ ରାଜ୍ୟବାସୀ ନିଜର ନିଷ୍ପତି ବଦଳାଇବେ ଓ ଆପକୁ କ୍ଷମତା ଗାଦୀରେ ବସାଇବେ ବୋଲି ଦଳ କହିଛି ।