ସିକନ୍ଦରାବାଦରେ ଓଡି଼ଆ ଦମ୍ପତ୍ତିଙ୍କ ମୃତ୍ୟୁ: ଧୂଆଁର ଚାଦରରେ ଅଟକିଗଲା ଜୀବନ!

502

କନକ ବ୍ୟୁରୋ: ହାଇଦ୍ରାବାଦ ସିକନ୍ଦରାବାଦର ଘଟଣା, ଯେଉଁଠି ଉପର ମହଲାରେ ଥିବା ଲଜରେ ଥିଲେ ଓଡିଆ ଦମ୍ପତ୍ତି ଚନ୍ଦନ ଜେଠୀ ଏବଂ ତାଙ୍କ ପତ୍ନୀ ମିତାଲୀ ମହାପାତ୍ର । ତଳେ ଇଲେକ୍ରିଟକ ସୋ’ରୁମ ଥିଲା । ସର୍କସର୍କିଟରୁ ଅଗ୍ନିକାଣ୍ଡ ଘଟିବାରୁ ଉପର ମହଲାକୁ ନିଆଁ ବ୍ୟାପିଯାଇଥିଲ।। ପରେ ଧୂଆଁର ଚାଦରରେ ଫସିଯାଇ ଚନ୍ଦନ ଜେଠୀ ଓ ପତ୍ନୀ ମିତାଲୀ ମହାପାତ୍ରଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ଘର କଟକ ସତିଚଉରା । ଚନ୍ଦନ ହାଇଦ୍ରାବାଦର ଏକ ଆଇଟି କମ୍ପାନୀରେ ଚାକିରୀ କରୁଥିଲେ ।

ତାଙ୍କ ପତ୍ନି ମିତାଲୀ ଏକ ଟ୍ରେନିଂ ପାଇଁ ସିକନ୍ଦରାବାଦ ଆସିଥିଲେ । ସେଠାରେ ଉଭୟ ଏହି ହୋଟେଲରେ ରହୁଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ପୋଲିସ ମୃତଦେହ ଉଦ୍ଧାର କରିବା ପରେ ପରିବାର ଲୋକଙ୍କୁ ଦୁର୍ଘଟଣା ବାବଦରେ ସୂଚନା ଦେଇଥଲେ । ଦୁଇ ବର୍ଷ ପୂର୍ବେ ଚନ୍ଦନ ଓ ମିତାଲୀଙ୍କ ବିବାହ ହୋଇଥିଲା । ଘରର କାନ୍ଥରୁ ଚନ୍ଦନ ଏବଂ ମିତାଲିଙ୍କ ନାଁ ଲିଭିନି । ଏବେ ପୁଅ-ବୋହୂର ମୃତ୍ୟୁ ଖବର ପରିବାରକୁ ହତବାକ କରିଛି । ଆଉ ଏବେ ମୃତଦେହ ଆଣିବା ପାଇଁ ଚନ୍ଦନଙ୍କ ଭାଇ ସିକନ୍ଦରାବାଦ ଯାଇଛନ୍ତି ।

ଇଲେକ୍ରିଟିକ ସ୍କୁଟର ସୋ’ରୁମରେ ଅଗ୍ନିକାଣ୍ଡ
ଚାର୍ଜରେ ବସିଥିବା ବେଳେ ସର୍ଟସର୍କିଟରୁ ନିଆଁ !
ହାଇଦ୍ରାବାଦ ସିକନ୍ଦରାବାଦର ମୋଣ୍ଡା ମାର୍କେଟ ଅଂଚଳରେ ରହିଛି ରୁବି ଇଲେକ୍ରିଟିକାଲ ସ୍କୁଟର ସୋ’ରୁମ । ଏହି ସୋରୁମ ଉପରେ ଥିବା ଲଜରେ ଥିଲେ ଚନ୍ଦନ ଏବଂ ମିତାଲି । ସୋରୁମରେ ଥିବା ସ୍କୁଟର ଚାର୍ଜରେ ବସିଥିଲା । ଏହି ସମୟରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଛି । ସ୍କୁଟର୍ ସୋ’ରୁମରେ ନିଆଁ ଓ ଧୂଆଁ ଉଠୁଥିବା ଦେଖି ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ ସ୍ଥାନୀୟ ଲୋକେ । ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଂଚିଥିଲା । ଜୀବନ ବିକଳରେ କେତେକ ଲୋକ ତଳକୁ ଡେଇଁ ପଡ଼ିଥିବା ବେଳେ ବାକି ଲୋକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଶ୍ୱାସରୁଦ୍ଧ ଅବସ୍ଥାରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଧିକାଂଶ ମୃତବ୍ୟକ୍ତି ହେଉଛନ୍ତି ତେଲେଙ୍ଗାନା ବାହାର ରାଜ୍ୟର ବାସିନ୍ଦା । ଏହି ଦୁର୍ଘଟଣାର କାରଣ ଜାଣିବାକୁ ତେଲେଙ୍ଗାନା ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।