ଅଦିନିଆ ବର୍ଷା ଦେଇଗଲା ଦୁଃଖ । କାଳବୈଶାଖୀ ବର୍ଷା ଉଜାଡିଦେଲା କାଜୁ ବଗିଚା

160

କନକ ବ୍ୟୁରୋ: ଅଦିନିଆ ବର୍ଷା ଦେଇଗଲା ଦୁଃଖ । କାଳବୈଶାଖୀ ସାଙ୍ଗକୁ ଅଦିନିଆ ବର୍ଷା ଉଜାଡିଦେଲା କାଜୁ ବଗିଚା । ଅମଳ ସମୟରେ କୁଇଣ୍ଟାଲ କୁଇଣ୍ଟାଲ କାଜୁ ଚାଷ ନଷ୍ଟ ହୋଇଯାଇଛି । କୋକସରା ବ୍ଳକ ରେଙ୍ଗାଲିପାଲିରେ ଅଦିନିଆ ବର୍ଷାର ତାଣ୍ଡବ । ଯାହାଦ୍ୱାରା ପ୍ରଭାବିତ ହୋଇଛନ୍ତି ଚାଷୀ କୂଳ । କିଛି ଦିନ ତଳେ ଏହି ବର୍ଷା ଯୋଗୁ ମକା ଓ ସୂର୍ଯ୍ୟମୁଖୀ ଚାଷ ପ୍ରଭାବିତ ହୋଇଥିଲ । ଏବେ କୁଇଣ୍ଟାଲ କୁଇଣ୍ଟାଲ କାଜୁ ଗଛରୁ ଝଡି ନଷ୍ଟ ହେବାରେ ଲାଗିଛି । ଝରିଆଗଡା ଓ ଛିଲପାମାଳକୁ ଲାଗି ରହିଥିବା ପ୍ରାୟ ୧୨୫ ଏକର ଜମିରେ ୨ ହଜାରରୁ ଅଧିକ କାଜୁ ଗଛରୁ କାଜୁ ସବୁ ନଷ୍ଟ ହୋଇଯାଇଛି । ବଗିଚାରେ ପଡି ପଚି ସଢି ନଷ୍ଟ ହୋଇଗଲାଣି । ଏହି ଚାଷ ଓ ବଗିଚା ଉପରେ ନିର୍ଭର କରିଥିବା ଚାଷୀ, ଶ୍ରମିକ ପରିବାରଙ୍କ ଚିନ୍ତା ବଢିଯାଇଛି ।

ପ୍ରତିବର୍ଷ କୁଇଣ୍ଟାଲ କୁଇଣ୍ଟାଲ କାଜୁ ଅମଳ ହେଉଥିବା ବେଳେ ଚଳିତଥର ସବୁ ଅମଳ କାଜୁ ନଷ୍ଟ ହୋଇଯାଇଛି । ଜାନୁଆରୀରେ ଫୁଲ ଆସିଥିବା ବେଳେ ଏବେ ହେଉଛି ଅମଳ ସମୟ । ଜମିକୁ ଲିଜରେ ନେଇଥିବା ଲୋକ ସମସ୍ତ ଖର୍ଚ୍ଚ କରିବା ସହିତ ଅଧିକ ଶ୍ରମିକଙ୍କୁ ନିୟୋଜିତ କରିଥିଲେ । ହେଲେ ଅମଳ ବେଳକୁ ତାଣ୍ଡବ ରଚିଲା ଅଦିନିଆ ବର୍ଷା । କୁଇଣ୍ଟାଲ କୁଇଣ୍ଟାଲ କାଜୁ ଝଡିପଡିଥିବା ବେଳେ ପଚିସଢି ନଷ୍ଟ ହୋଇଯାଇଛି । ଫଳରେ ଠିକାଦାର ଓ ଶ୍ରମିକଙ୍କ ଜୀବନ ବେଶ ପ୍ରଭାବିତ ହୋଇଛି ।

କାଜୁ ବଗିଚାରୁ ବେପାରୀ ମାନେ କାଜୁ ନେଇ ବାହାରେ ବିକ୍ରି କରି ଦୁଇ ପଇସା ରୋଜଗାର କରୁଥିବା ବେଳେ ଏବେ କାଜୁ ନଷ୍ଟ ଯୋଗୁ ଜୀବନ ଜୀବିକା ବେଶ ପ୍ରଭାବିତ ହୋଇଛି ।