ରଦ୍ଦ ହେଲା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଭାଇ ବିରେନ୍ଦ୍ର ଆରୁଖଙ୍କ ପ୍ରାର୍ଥୀପତ୍ର। ଲକ୍ଷ ଟଙ୍କାର ଋଣ ବକେୟା ଥିବାରୁ ନାମାଙ୍କନ ବାତିଲ।

305

କନକ ବ୍ୟୁରୋ: ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଭାଇ ବିରେନ୍ଦ୍ର ଆରୁଖଙ୍କ ଦାଦାଗିରି ପରେ ତାଙ୍କ ପ୍ରାର୍ଥପତ୍ର ରଦ୍ଦ ହୋଇଯାଇଛି । ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନିର୍ବାଚନ ପାଇଁ ବିରେନ୍ଦ୍ର ୧୧ ନମ୍ବର ଜୋନରୁ ଏକମାତ୍ର ପ୍ରାର୍ଥୀ ଭାବେ ନିର୍ଦ୍ଦେଶକ ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିଲେ । କିନ୍ତୁ ଋଣ ଟଙ୍କା ପରିଶୋଧ କରିନଥିବାରୁ ବ୍ୟାଙ୍କ ବିରେନ୍ଦ୍ର ଆରୁଖଙ୍କୁ କ୍ଲିୟରାନ୍ସ ଦେଇନଥିଲା । ଫଳରେ ତାଙ୍କ ପ୍ରାର୍ଥୀପତ୍ର ରଦ୍ଦ କରିଦେଇଥିଲେ ତହସିଲଦାର । ଯାହାକୁ ନେଇ ବିରେନ୍ଦ୍ର ଆରୁଖ ଏବଂ ତାଙ୍କ ସମର୍ଥକମାନେ ବ୍ୟାଙ୍କରେ ପଶି ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଛି । ଏପରିକି ବ୍ୟାଙ୍କ ଜଣେ ଅଫିସରଙ୍କ ଚ୍ୟାମ୍ବରରେ ପଶି ଭିତରୁ କବାଟ ବନ୍ଦ କରି ତାଙ୍କ ମାଡ ମାରିଥିବା ଅଭିଯୋଗ କରିଛନ୍ତି ବ୍ୟାଙ୍କ ଶାଖା ପରିଚାଳକ ଗୀତାଞ୍ଜଳୀ ବେହେରା ।

ବ୍ୟାଙ୍କର ଅନ୍ୟ କିଛି କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିଥିବା ମଧ୍ୟ ଅଭିଯୋଗ କରାଯାଇଛି । ଏପଟେ ତାଙ୍କ ବ୍ୟାଙ୍କ କର୍ମଚାରୀମାନେ ମାଡମାରିଥିବା ନେଇ ଅଭିଯୋଗ କରିଛନ୍ତି ବିରେନ୍ଦ୍ର । ଅଭିଯୋଗକୁ ଆଧାର କରି ଆସିକା ଥାନା ପୁଲିସ ଦୁଇଟି ମାମଲା ରୁଜୁ କରିଛି । ବ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ବିରେନ୍ଦ୍ର ୨୦୦୧ ମସିହାରେ ୨ ଲକ୍ଷରୁ ଅଧିକ ଟଙ୍କାର ଋଣ ନେଇଥିଲେ । ସେଥିରୁ କିଛି ଟଙ୍କାର ଋଣ ଛାଡ ହୋଇଥିଲା । କିନ୍ତୁ ଆହୁରି ୧ ଲକ୍ଷ ୯୧ ହଜାର ଟଙ୍କାର ଋଣ ବାକିଥିବା ବେଳେ ସମୁଳସୁଧକୁ ମିଶାଇ ମୋଟ ୩୫ ଲକ୍ଷ ଟଙ୍କା ବାକି ରହିଛି । ଯେଉଁଥିପାଇଁ ବ୍ୟାଙ୍କ୍ କ୍ଲିୟରାନ୍ସ ଦେଇନଥିଲା ।