କଣ୍ଟାବାଞ୍ଝିରେ ଆରମ୍ଭ ହେଲା ଦାଦନ ଋତୁ, ୪୮ ଘଣ୍ଟାରେ ୭୮ ଦାଦନ ଶ୍ରମିକ ଉଦ୍ଧାର।

63

କନକ ବ୍ୟୁରୋ: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝିରେ ଆରମ୍ଭ ହୋଇଯାଇଛି ଦାଦନ ଋତୁ । ଦାଦନ ଶ୍ରମିକମାନେ କାମ କରିବା ପାଇଁ ନିଜ ସ୍ତ୍ରୀ, ପିଲାଛୁଆଙ୍କୁ ସାଙ୍ଗରେ ଧରି ବର୍ଷଟେ ପାଇଁ ଚାଲିଯାଉଛନ୍ତି ବାହାର ରାଜ୍ୟକୁ । କିଏ ମୁଣ୍ଡରେ ମୁଣ୍ଡାଇ, କିଏ ହାତରେ ଧରି ଆବଶ୍ୟକୀୟ ଜିନିଷପତ୍ର ନେଇ ନିଜ ଗାଁ, ମାଟିକୁ ଛାଡି ଅଜଣା ସ୍ଥାନକୁ ଚାଲିଯାଉଛନ୍ତି । ଆଉ ଦାଦନ ଶ୍ରମିକମାନଙ୍କୁ କିଣିବା ପାଇଁ କଣ୍ଟାବାଞ୍ଝିରେ ଭିଡ ଲଗାଇଛନ୍ତି ବାହାର ରାଜ୍ୟର ସର୍ଦ୍ଦାର । ଦାଦନ ଶ୍ରମିକଙ୍କ ପାଇଁ କଣ୍ଟାବାଞ୍ଝି ସହ ଅନ୍ୟ ଛୋଟ ରେଳ ଷ୍ଟେସନ ପାଖରେ ଲାଗିଛି ଅସ୍ଥାୟୀ କ୍ୟାମ୍ପ । ଶ୍ରମିକମାନେ ଏଠାକୁ ଆସି ସର୍ଦ୍ଦାରଙ୍କ ସହ କର୍ଥାବାର୍ତା କରି ବର୍ଷଟେ ପାଇଁ ଟଙ୍କାରେ ବ୍ରିକି ହୋଇଯାଉଛନ୍ତି । ଆସନ୍ତା ୧୦ ଦିନ ତଥା ଦୀପାବଳୀ ପୂର୍ବରୁ ପ୍ରାୟ ଦେଢ କୋଟି ଟଙ୍କାରେ ୧୫ ହଜାରରୁ ଅଧିକ ଶ୍ରମିକ ବିକ୍ରି ହେବା ନେଇ ସୂଚନା ମିଳିଛି ।

ହଜାର ହଜାର ସଂଖ୍ୟାର ଦାଦନ ଶ୍ରମିକ ବାହାର ରାଜ୍ୟକୁ ଯାଉଥିବା ବେଳେ ପୁଲିସ, ପ୍ରଶାସନ ଚୁପ ବସିଛି । ଦାଦନ ଶ୍ରମିକଭାବେ ଯାଉଥିବା ଛୋଟ ଛୋଟ ପିଲାଙ୍କୁ କେବଳ ପୁଲିସ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି । ପୁଲିସ ୪୮ ଘଣ୍ଟାରେ ବେଆଇନ ଭାବେ ଚାଲାଣ କରାଯାଉଥିବା ୭୮ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଯେଉଁଥିରେ ୪୦ରୁ ଅଧିକ ଶିଶୁ ଅଛନ୍ତି । ବାହାର ରାଜ୍ୟକୁ ଯିବା ପାଇଁ କଣ୍ଟାବାଞ୍ଝି ଏବଂ ଆଖପାଖ ରେଳ ଷ୍ଟେସନରେ ହଜାର ହଜାର ସଂଖ୍ୟାର ଟିକେଟ୍ କଟାଯାଉଛି । ଦଲାଲମାନେ ଏକାକୀ ୨ ରୁ ୩ ହଜାର ଟିକେଟ କାଟୁଛନ୍ତି । ସଚେତନତା ପାଇଁ ପୁଲିସ ସଭା କରୁଥିବା ବେଳେ ସେଠାରେ ସର୍ଦ୍ଦାରମାନେ ଶ୍ରମିକ ହୋଇ ପହଞ୍ଚିଯାଉଛନ୍ତି । ଫଳରେ ପୁଲିସର ସଚେତନତା ଶ୍ରମିକଙ୍କ ଉପରେ ପ୍ରଭାବ ପକାଇପାରୁନି ।

ଦାଦନ ଶ୍ରମିକ ପ୍ରଥା ସମ୍ପୁର୍ଣ୍ଣ ବେଆଇନ ହୋଇଥିଲେ ବି ପୁଲିସ, ରେଳ ବିଭାଗ ଏବଂ ଆରପିଏଫ୍ର ନିଷ୍କ୍ରିୟତା ଯୋଗୁ ଏହି ପ୍ରଥା ରୋକାଯାଇପାରୁନାହିଁ । ଏପଟେ ଯଦି ଶ୍ରମିକଙ୍କ ପାଇଁ ଓଡ଼ିଶାର କାମ ମିଳନ୍ତା ହୁଏତ ସେମାନେ ଦାଦନ ଖଟିବାକୁ ବାହାରକୁ ଯାଆନ୍ତେ ନାହିଁ ।