ଟଙ୍କା ଲୋଭରେ ଡ୍ରାଇଭରର କଳା କାରନାମା। ଗାଡି ଚୋରି କରି ଧରାପଡିଲା ଡ୍ରାଇଭର।

79

କନକ ବ୍ୟୁରୋ: ମାଲିକର ବିଶ୍ୱାସରେ ବିଷ ଦେଲା ଡ୍ରାଇଭର । ଟଙ୍କା ଲୋଭରେ ଗାଡିକୁ ଲୁଚାଇ ଚୋରିର ନାଟକ ରଚିଥିଲା ଡ୍ରାଇଭର । ଆଉ ସନ୍ଦେହ କାଳେ ଉପୁଜିବ ଭାବି ନିଜେ ଥାନାରେ ଏତଲା ଦେଇଥିଲା । ଶେଷରେ କିନ୍ତୁ ପୋଲିସ ହାତରେ ଧରାପଡଛି ଡ୍ରାଇଭର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଂଚଳରେ । ଗଞ୍ଜାମ ଜିଲ୍ଲ ପାଟପୁରର କାହ୍ନୁଚରଣ ଚୌଧୁରୀ ନାମକ ଜଣେ ଯୁବକ ଭୁବନେଶ୍ୱରରେ ଜଣେ ମାଲିକଙ୍କ ପାଖରେ ରହି ଗାଡି ଚଲାଉଥିଲେ । ତେବେ ଦୁଇ ଦିନ ତଳେ କାହ୍ନୁ ଭୁବେନଶ୍ୱରରୁ ଗାଡିରେ ଭଡା ଉଦ୍ଦେଶ୍ୟରେ ବ୍ରହ୍ମପୁର ଆସିଥିଲେ । ବ୍ରହ୍ମପୁରରେ ନିଜର କାମ ସାରି ଭଡା ପଇସା ଧରି ଭୁବନେଶ୍ୱର ବାହାରିଥିବା ବେଳେ ଖଲ୍ଲିକୋଟ ଥାନା ବଡ ଘାଟି ନିକଟରେ ଚାରି ଜଣ ଦୁର୍ବୁତ ତାଙ୍କ ଠାରୁ ଗାଡି, ମିଳିଥିବା ଭଡା ଟଙ୍କା ଓ ମୋବାଇଲ ନେଇ ପଳେଇଥିବା ସେ ମାଲିକଙ୍କୁ କହିଥିଲେ । ଏହାପରେ ମାଲିକ ସହ ଆସି ଥାନାରେ ଏତଲା ଦେଇଥିଲେ ।

ତେବେ ଏତଲା ଦେବା ପରେ ଡ୍ରାଇଭର କାହ୍ନୁର ହାବଭାବ ଦେଖି କାହ୍ନୁକୁ ସନ୍ଦେହ କରିଥିଲା ପୋଲିସ । ତଦନ୍ତ ପରେ ଜଣାପଡିଥିଲା ଏତଲା ଦେଇଥିବା ଡ୍ରାଇଭର କାହ୍ନୁ ହିଁ ଟଙ୍କା ଲୋଭରେ ଗାଡିକୁ ଜଙ୍ଗଲରେ ଲୁଚାଇ ଭଡା ଟଙ୍କା ଗାଏବ କରିଥିଲା ଓ ଗାଡିଟିକୁ ବିକିବା ପାଇଁ ଚକ୍ରାନ୍ତ କରିଥିଲା । କାହ୍ନୁ ପୋଲିସ ଆଗରେ ସବୁ ସତ ମାନିଥିବା ବେଳେ ସେ ଜଙ୍ଗଲରେ ଲୁଚାଇଥିବା ଗାଡିଟିକୁ ପୋଲିସକୁ ଦେଖାଇଥିଲା । ପୋଲିସ ଗାଡିଟିକୁ ଜବତ କରି ମାଲିକ ଚନ୍ଦନ କୁମାରକୁ ଫେରାଇଛି । ବଡ ଘାଟିରେ ଏପରି ଲୁଟ ହେଉଛି କହି ବର୍ଷେ ଭିତରେ ୫ଟି ସମାନ ଅଭିଯୋଗ ଆସିଛି । ଯେଉଁ କେସରେ କି ଡ୍ରାଇଭରମାନେ ନିଜ ମାଲିକ ସହ ବିଶ୍ୱାସଘାତକ କରିବା ସହ ଲୋଭର ବଶବର୍ତୀ ହୋଇ ଏହି ପ୍ରକାର ଚୋରିର ମିଛ ନାଟକ ରଚୁଛନ୍ତି ।