ଓଡ଼ିଶା ଉପରେ ବିଜେପିର ନଜର । ଆଜି ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ଅରୁଣ ଗୋଭିଲ । ୨୩ରେ ଆସିବେ ଯୋଗୀ ଆଦିତ୍ୟନାଥ ଓ ଜେପି ନଡ୍ଡା ।

206

କନକ ବ୍ୟୁରୋ: ଚଳିତ ନିର୍ବାଚନରେ ବିଜେପି ଫୋକସରେ ରହିଛି ଓଡ଼ିଶା । ଜଣଙ୍କ ପରେ ଜଣେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ଷ୍ଟାର ପ୍ରଚାରକଙ୍କୁ ଓଡ଼ିଶା ପଠାଇ ଭୋଟ ହାତେଇବାକୁ ହୋଇଛି ବଡ଼ ପ୍ଲାନ୍ । ଆଜି ଓଡ଼ିଶା ସମ୍ବଲପୁର, ଦେବଗଡ଼, ଚଂପୁଆ ଓ ବଡ଼ମ୍ବାରେ ପ୍ରଚାର କରିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ସକାଳ ସାଢ଼େ ୮ଟାରେ ସମ୍ବଲପୁର ଗସ୍ତ କରିବା ସହ ମାଆ ସମଲେଇଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ବିବୁ ବରୁଆଁଙ୍କ ଜନ୍ମସ୍ଥାନକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇବେ । ପୂର୍ବାହ୍ନ ସାଢ଼େ ୧୦ଟାରେ ଦେବଗଡ଼ରେ ରୋ ସୋରେ ଯୋଗଦେବେ ହିମନ୍ତ ବିଶ୍ୱଶର୍ମା ।

ପରେ ଚମ୍ପୁଆ, ଚୌଦ୍ୱାର ଓ ବଡ଼ମ୍ବାରେ ନିର୍ବାଚନୀ ସଭାକୁ ସମ୍ବୋଧନ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ । ସେହିପରି ଲୋକପ୍ରିୟ ଧାରାବାହିକ ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ଥିବା ଅରୁଣ ଗୋଭିଲ ମଧ୍ୟ ଆଜି ଓଡ଼ିଶା ଆସିବେ । କେନ୍ଦୁଝର ତେଲକୋଇରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ । ପରେ ଢେଙ୍କାନାଳରେ ଏକ ରୋ ଶୋରେ ଯୋଗଦେଇ ବିଜେପି ପ୍ରାର୍ଥୀଙ୍କୁ ବିିଜୟୀ କରାଇବାକୁ ଲୋକଙ୍କୁ ଅପିଲ କରିବେ । ସେହିପରି ୨୩ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି ।