କିଏ ଜିତିବ ଧାମନଗର? ରାଜନୈତିକ ବୟାନବାଜି ଆରମ୍ଭ

686

କନକ ବ୍ୟୁରୋ: ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଖାଲି ପଡିଛି ଧାମନଗର ବିଧାନସଭା ଆସନ । ଆଉ ଏହି ବିଧାନସଭା ଆସନର ପୂରଣ ପାଇଁ ଭୋଟ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ । ଦେଶର ବିଭିନ୍ନ ରାଜ୍ୟର ୭ଟି ବିଧାନସଭା ସହ ଧାମନଗରର ପାଇଁ ତାରିଖ ଘୋଷଣା କରିିଛନ୍ତି ନିର୍ବାଚନ କମିଶନ । ଘୋଷଣା ଅନୁସାରେ, ନଭେମ୍ବର ୩ ତାରିଖ ମତଦାନ ହେବ । ଅକ୍ଟୋବର ୭ରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୧୪ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଛି । ୧୫ରେ ପ୍ରାର୍ଥିପତ୍ର ଯାଂଚ ହେବ । ୧୭ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ରହିଛି । ନଭେମ୍ବର ୬ରେ ହେବ ଭୋଟ ଗଣତି ।

ଗତ ମାସ ୧୯ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କର ଦେହାନ୍ତ ହୋଇଯାଇଥିଲା । ବିଷ୍ଣୁଙ୍କ ଦେହାନ୍ତ ପରେ ଏହି ଆସନ ଉଭୟ ବିଜେଡି ଓ ବିଜେପିର ଫୋକସରେ ରହିଛି । ଆଉ କିଏ କାହାକୁ ପ୍ରାର୍ଥୀ କରିବ ସେ ନେଇ ମଧ୍ୟ ଅଙ୍କ କଷା ଆରମ୍ଭ ହୋଇଯାଇଛି ।

ନିର୍ବାଚନ ତାରିଖ ଘୋଷଣା ହେଉ ହେଉ କିଏ ଜିତିବ ଧାମନଗର ବାଜି, ତାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ବିଜେପିର ବିଧାୟକ ବିଷ୍ଣୁ ସେଠୀଙ୍କର ଦେହାନ୍ତ ହୋଇଥିବାର ଦଳ ଉପନିର୍ବାଚନରେ ପୁଣ ଥରେ କମାଲ କରିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ବିରୋଧୀ ଦଳ ନେତା ବିରୋଧୀ ଦଳ ଏନେଇ କହିଛନ୍ତି, ସେମିଫାଇନାଲରେ ଆମେ ଖେଳିବୁ ଆଉ ଫାଇନାଲରେ ବି ଆମେ ଖେଳିବୁ । ବିଜେଡ଼ ଓ ବିଜେପିକୁ ଛାଡି ଦେଲେ ଅନ୍ୟ ଟିମ୍ ନାହିଁ ବୋଲି ସେ କହିଛନ୍ତି । ଧାମନଗରରେ ୱାର୍ଡ ଲେବଲ ପର୍ଯ୍ୟନ୍ତ ଦଳର ସଂଗଠନ ଅଛି । ବିଜେପିର ବିଜୟ ନିଶ୍ଚିତ୍ । ବିଜେପିର ଦମ୍ଭୋକ୍ତି ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ମୁଖପାତ୍ର ଲେନିନ୍ ମହାନ୍ତି । କହିଛନ୍ତି, ଧାମନଗରରେ ବିଜେଡ଼ିର ଏକତରଫା ବିଜୟ ହେବ । ବିଜେଡି ସବୁବେଳେ ଲୋକଙ୍କ ସହ ରହିଛି, ଆଗକୁ ବି ଲୋକଙ୍କ ସହ ରହିବ । ପ୍ରାର୍ଥୀ ଚୟନ ନେଇ କେବେହେଲେ ଅଡ୍ରୁଆ ହେବନି ।

୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ହୋଇଥିବା ସମସ୍ତ ଉପନିର୍ବାଚନରେ ବିଜେଡି ବାଜିମାତ କରି ଆସିଛି । ହେଲେ, କିଛି ଦିନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଆହ୍ୱାନ ବିଜେପି କର୍ମୀ ଓ ନେତାଙ୍କ ଜୋଶକୁ ଉଚ୍ଚା ରଖିଛି । ବିଜେଡି ମଧ୍ୟ ଧାମନଗରକୁ ଦଖଲ କରି ବିଜୟଧାରାକୁ ବଜାୟ ରଖିବା ଲକ୍ଷ୍ୟରେ ରହିଛି । ତେଣୁ ଆଗାମି ଧାମନଗର ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି ।