ପରଲୋକରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହା: ୩ ବର୍ଷରେ ଗଲାଣି ୬ ବିଧାୟକଙ୍କ ଜୀବନ

234

କନକ ବ୍ୟୁରୋ: ବିଜେଡିର ଅନ୍ୟତମ ଟାଣୁଆ ତଥା ବିଜୁ ବାବୁଙ୍କ ଅମଳରୁ ରାଜନୀତିରେ ସକ୍ରିୟ ଥିବା ଆଉ ଜଣେ ନେତା, ପଦ୍ମପୁରର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କୁ ହରାଇଛି ଓଡିଶା । ଚିକିିତ୍ସାଧୀନ ଅବସ୍ଥାରେ ତାଙ୍କର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ସେ କିଡନୀ ସମେତ ବହୁ ରୋଗରେ ପୀଡିତ ଥିଲେ । ଦେହାନ୍ତ ପରେ ତାଙ୍କ ପ୍ରାର୍ଥୀବ ଶରୀରକୁ ବିଜେଡି କାର୍ଯ୍ୟାଳୟ ନିଆଯାଇଥିଲା । ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଦଳୀୟ ନେତା ଓ କର୍ମୀ । ତାପରେ ତାଙ୍କ ମରଶରୀରକୁ ବିଧାନସଭାକୁ ନିଆଯାଇଥିଲା । ସେଠାରେ ବିରୋଧୀ ଦଳ ନେତାଙ୍କ ସମେତ, ବହୁ ମନ୍ତ୍ରୀ ଓ ବିଧାୟକ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ୧୯୯୦ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ଭାବେ ପାଂଚ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୪ରେ ହାରି ଯାଇଥିଲେ କିନ୍ତୁ ୨୦୧୯ରେ ସେ ପୁଣି ଥରେ ବିଜୟୀ ହୋଇ ବିଧାନସଭାକୁ ଆସିଥିଲେ ।

୨୦୧୯ ସାଧାରଣ ନିର୍ବାଚନ ପରେ ୬ଜଣ ବିଧାୟକଙ୍କର ଦେହାନ୍ତ ହୋଇଛି । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ବିଧାୟକମାନଙ୍କର ଦେହାନ୍ତ ହୋଇଛି ସେମାନଙ୍କ ବୟସ ବିଶେଷ ଅଧିକ ହୋଇନଥିଲା । ହେଲେ, ବିଭିନ୍ନ ରୋଗରେ ପୀଡିତ ହେବା କାରଣରୁ ସେମାନଙ୍କର ମୃତ୍ୟୁ ହୋଇଛି ।

ମଦନ ମୋହନ ଦତ୍ତ, ବାଲେଶ୍ୱର
ବିଷ୍ଣୁ ଦାସ, ତିର୍ତୋଲ
ପ୍ରଦୀପ ମହାରଥୀ, ପିପିଲି
କିଶୋର ମହାନ୍ତି, ବ୍ରଜରାଜନଗର
ବିଷ୍ଣୁ, ସେଠୀ, ଧାମନଗର
ବିଜୟ ରଞ୍ଜନ ସିଂହ ବରିହା, ପଦ୍ମପୁର

ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବା ମଦନ ମୋହନ ଦତ୍ତଙ୍କର ୨୦୨୦ରେ ମାତ୍ର ୬୩ ବର୍ଷ ବୟସରେ ଦେହାନ୍ତ ହୋଇଥିିଲା । ଲିଭର ଜନିତ ରୋଗର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି ହୋଇଥିବାବେଳେ ହୃଦଘାତରେ ସେ ପ୍ରାଣ ହରାଇଥିଲେ ।

ତିର୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କର ମାତ୍ର ୬୬ ବର୍ଷ ବୟସରେ ଜୁଲାଇ ୨୦୨୦ରେ ଦେହାନ୍ତ ହୋଇଯାଇଥିଲା । ବିଷ୍ଣୁଙ୍କର ବ୍ରୋନ ଷ୍ଟ୍ରୋକ ହେବା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା ଆଉ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସେହିପରି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ମାତ୍ର ୬୬ ବର୍ଷ ବୟସରେ ପରଲୋକ ହୋଇଥିଲା । ସେ କରୋନା ଆକ୍ରାନ୍ତ ହେବା ପରେ ତାଙ୍କର ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା । ଆଉ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା ।

ସେହିପରି ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ମାତ୍ର ୬୩ବର୍ଷ ବୟସରେ ହୃଦଘାତ ଯୋଗୁଁ ପ୍ରାଣ ହରାଇଥିଲେ । କିଛି ଦିନ ତଳେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କର ବହୁ ରୋଗରେ ପୀଡିତ ହେବା କାରଣରୁ ପରଲୋକ ହୋଇଥିଲା । ଆଉ ଶେଷରେ ରବିବାର ରାତିରେ ବିଜୟ ରଞ୍ଜନ ବରିହାଙ୍କର ସମାନ କାରଣରୁ ଦେହାନ୍ତ ହୋଇଛି । ବିଧାୟକଙ୍କ ମୃତ୍ୟୁକୁ ଦେଖିଲେ ଗୋଟିଏ କଥା ଜରୁରୀ ହୋଇପଡିଛି,, ନେତା ହିସାବରେ କାମ କରିବା ସହ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଆବଶ୍ୟକ । ନିଜକୁ ସୁସ୍ଥ ରଖିବାକୁ ପଡିବ ।