୨୦୨୪ରେ ଭେଟେରାନ ନେତାଙ୍କ ଭାଗ୍ୟ ପରୀକ୍ଷା । ଅନେକଙ୍କ ପାଇଁ ଏଥର ଶେଷ ସୁଯୋଗ! ଦେଖନ୍ତୁ, ଲିଷ୍ଟରେ ଅଛନ୍ତି କିଏ କିଏ?

900

କନକ ବ୍ୟୁରୋ: ରମେଶ ଚ୍ୟାଉ ପଟ୍ଟନାୟକ । ବୟସ ୮୧ ବର୍ଷ । ୫ ବର୍ଷର ଅପେକ୍ଷା ପରେ ବ୍ରହ୍ମପୁରର ଏହି ଭେଟେରାନ ନେତାଙ୍କୁ ପୁଣିଥରେ ସୁଯୋଗ ଦେଇଛି ବିଜେଡି । ୧୯୯୫ରୁ ୨୦୧୪ ଯାଏଁ ବ୍ରହ୍ମପୁରରୁ ଲଗାତାର ବିଧାୟକ ହୋଇଥିଲେ ମଧ୍ୟ ୨୦୧୯ରେ ଟିକେଟ୍ କଟିଥିଲା । ହେଲେ ଏବେ ପୁଣି ଏହି ପୁରୁଣା ଯୋଦ୍ଧାଙ୍କୁ ମଇଦାନକୁ ଓହ୍ଲାଇଛି ଦଳ ।

ଦଳର ଆଉ ଦୁଇଜଣ ଭେଟେରାନ ନେତା ହେଲେ ପ୍ରଫୁଲ୍ଲ ସାମଲ ଓ ପ୍ରଫୁଲ୍ଲ ମଲ୍ଲିକ । ଦୁଇଜଣଙ୍କୁ ୭୭ ଛୁଇଁଲାଣି । ବରପଦା ଇଞ୍ଜିନିୟରିଂ କଲେଜ ବିବାଦ ଉଠିବା ପରେ ପୁଅର ପତା କଟିଥିଲା । ଆଉ ପ୍ରଫୁଲ୍ଲ ସାମଲଙ୍କୁ ଭଣ୍ଡାରିପୋଖରୀରୁ ଆଣି ଭଦ୍ରକରେ ପ୍ରାର୍ଥୀ କରିଛି ବିଜେଡି । ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ କିନ୍ତୁ ପୁଣିଥରେ କାମାକ୍ଷାନଗରରୁ ଛିଡା କରିଛି ଦଳ । ସେହିପରି ୭୫ ବର୍ଷୀୟ ନୃସିଂହ ଚରଣ ସାହୁଙ୍କୁ ପାରମ୍ପରିକ ପରଜଙ୍ଗ ଆସନରୁ ଓହ୍ଲାଇଛି ବିଜେଡି ।

ସେହିପରି ଯଦିଓ ଅନ୍ୟମାନଙ୍କ ତୁଳନାରେ ଜୁଏଲଙ୍କ ବୟସ କମ୍, ତଥାପି ଏହା ତାଙ୍କର ଶେଷ ନିର୍ବାଚନ ବୋଲି ବାରମ୍ବାର କହିଆସିଛନ୍ତି । ୬୩ ବର୍ଷୀୟ ଜୁଏଲ ଓରାମଙ୍କୁ ପୁଣିଥରେ ସୁନ୍ଦରଗଡ ଲୋକସଭା ମୈଦାନକୁ ଓହ୍ଲାଇଛି ବିଜେପି । ୬୯ ବର୍ଷୀୟ ପ୍ରତାପ ଷଡଙ୍ଗୀ ଓ ୬୪ ବର୍ଷୀୟ ରୁଦ୍ର ନାରାୟଣ ପାଣିଙ୍କୁ ମଧ୍ୟ ବିଜେପି ଲୋକସଭା ମୈଦାନକୁ ଓହ୍ଲାଇଛି । ସେପଟେ ୩ ଥରର ବିଧାୟକ କିଶୋର ପଟେଲଙ୍କୁ କଂଗ୍ରେସ ଏଥର ବ୍ରଜରାଜନଗରରୁ ପ୍ରାର୍ଥୀ କରିଛି । ୭୮ ବର୍ଷୀୟ ଏହି ଭେଟେରାନ ନେତାଙ୍କ ଉପରେ ଭରସା କରିଛି ଦଳ । ସେହିପରି ପୁଅ ସାଗର ଦାସଙ୍କୁ ଭବାନୀପାଟଣାରୁ ଟିକେଟ୍ ଦେବାପରେ ବି ୬୫ ବର୍ଷୀୟ ଭକ୍ତ ଚରଣ ଦାସଙ୍କୁ ନର୍ଲାରୁ ମୈଦାନକୁ ଓହ୍ଲାଇଛି କଂଗ୍ରେସ ।

କୁହାଯାଉଛି ୨୪ ନିର୍ବାଚନୀ ପରୀକ୍ଷାରେ ୧୫ରୁ ଅଧିକ ଏମିତି ବରିଷ୍ଠ ନେତା ଅଛନ୍ତି, ଯେଉଁମାନଙ୍କ ଉପରେ ଭରସା କରିଛନ୍ତି ଦଳ । ହାରିଲେ ଏମାନଙ୍କ କ୍ୟାରିୟରରେ ପୂର୍ଣ୍ଣଛେଦ ପଡିପାରେ । ରାଜନୀତି ସମୀକ୍ଷକଙ୍କ ମତରେ ଏକାଧିକ ଆଶାୟୀ ଥିବା କ୍ଷେତ୍ରରେ ବିଦ୍ରୋହକୁ ଏଡାଇବା ପାଇଁ ଭେଟେରାନଙ୍କ ଉପରେ ଭରସା କରିବାକୁ ବାଧ୍ୟ ହୋଇଛନ୍ତି ରାଜନୈତିକ ଦଳ ।