ତେଲେଙ୍ଗାନା ଭୋଟରଙ୍କୁ ପ୍ରତିଶ୍ରୁତିରେ ପୋତି ପକାଇଲେ ବିଆରଏସ ମୁଖ୍ୟ କେସିଆର । ସରକାରକୁ ଆସିଲେ ୪୦୦ ଟଙ୍କାରେ ସିଲିଣ୍ଡର……

132

କନକ ବ୍ୟୁରୋ : ତେଲେଙ୍ଗାନା ପାଇଁ ବିଧାନସଭା ତାରିଖ ଘୋଷଣା ହେବା ପରେ ରବିବାର ଦିନ ଶାସକ ଦଳ ବିଆରଏସ ତରଫରୁ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରାଯାଇଛି । ବିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ, ଚନ୍ଦ୍ରଶେଖର ରାଓଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ବାଚନୀ ପ୍ରତିଶ୍ରୁତି ଆପଣଙ୍କୁ ଚକିତ କରିଦେବ । ସେ ତାଙ୍କ ପ୍ରତିଶ୍ରୁତିରେ ଲେଖିଛନ୍ତି କି, ଯୋଗ୍ୟ ପରିବାରଗୁଡିକୁ ୪୦୦ ଟଙ୍କା ମୂଲ୍ୟରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ । ଏହାସହ କୃଷକମାନଙ୍କ ପାଇଁ ତେଲେଙ୍ଗାନା ସରକାର ଚଳାଇଥିବା ‘’ରାୟଥୁ ବନ୍ଧୁ’ ଯୋଜନାରେ କୃଷକମାନଙ୍କୁ ଏକର ପ୍ରତି ୧୦ ହଜାର ଟଙ୍କା ମିଳୁଥିବା ବେଳେ ଏଥର ସରକାରକୁ ଆସିଲେ ତାହାର ରାଶି ବୃଦ୍ଧି କରାଯାଇ ୧୬ ହଜାର ଟଙ୍କା ଦିଆଯିବ ।

କେବଳ ସେତିକି ନୁହେଁ ନିର୍ବାଚନୀ ଘୋଷଣା ପତ୍ର ଜାରି କରି କେସିଆର କହିଛନ୍ତି କି, ୨୦୨୩ରେ ପୁଣି ସରକାର ଗଠନ କଲେ ରାଜ୍ୟର ଦିବ୍ୟାଙ୍ଗ ଲୋକଙ୍କ ସାମାଜିକ ସୁରକ୍ଷା ପାଇଁ ସେମାନଙ୍କୁ ମାସିକ ୬ ହଜାର ଟଙ୍କା ଭତ୍ତା ପ୍ରଦାନ କରାଯିବ । ଏହାସହ ତେଲେଙ୍ଗାନାର ୯୩ ଲକ୍ଷ ବିପିଏଲ ପରିବାରକୁ କେସିଆର ବୀମା ଯୋଜନା ମାଧ୍ୟମରେ ୫ ଲକ୍ଷ ଟଙ୍କାର ବୀମା ପ୍ରଦାନ କରାଯିବ । ସେହିଭଳି ତେଲେଙ୍ଗାନା ସରକାର ଦ୍ୱାରା ଲାଗୁ କରାଯାଇଥିବା ଆରୋଗ୍ୟ ରକ୍ଷା ଯୋଜନା ଓ ଆରୋଗ୍ୟଶ୍ରୀ ଭୀମ୍ ଯୋଜନାର କଭରେଜ ରାଶି ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ ।

ସେହିଭଳି ଘୋଷଣାପତ୍ରରେ କୁହାଯାଇଛି କି ହାଇଦ୍ରାବାଦରେ ୧ଲକ୍ଷ ୨ବିଏଚକେ ଘର ନିର୍ମାଣ କରାଯିବ । ଏହି ଘରଗୁଡିକୁ ଭୂମିହୀନମାନଙ୍କୁ ବଣ୍ଟନ କରାଯିବ । ରାଜ୍ୟର ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସରକାର ୧୧୯ ଟି ଆବାସୀୟ ବିଦ୍ୟାଳୟ ନିର୍ମାଣ କରିବାକୁ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଅସହାୟ, ବିଧବା ଓ ବୃଦ୍ଧା ବୃଦ୍ଧଙ୍କୁ ମିଳୁଥିବା ମାସିକ ସହାୟତା ରାଶି ବା ଭତ୍ତାକୁ ୨ ହଜାର ଟଙ୍କାରୁ ୩ ହଜାର ଟଙ୍କାକୁ ବୃଦ୍ଧି କରାଯିବ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ବାଚନୀ ଘୋଷଣାପତ୍ରରେ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।