ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ରାଲି: ରାହୁଲ ଗାନ୍ଧୀ କହିଲେ ସେ ଦେବେ ଆମ୍ ଆଦମୀ ପାର୍ଟିକୁ ଭୋଟ୍

123

କନକ ବ୍ୟୁରୋ: ଆମ ଆଦମୀ ପାର୍ଟିକୁ ଭୋଟ୍ ଦେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହା ନିଜେ କହିଛନ୍ତି ରାହୁଲ ଗାନ୍ଧୀ । ଗତକାଲି ଦିଲ୍ଲୀର ଚାନ୍ଦିନୀ ଚୌକରେ ଇଣ୍ଡିଆ ମେଂଟର ପ୍ରଚାର କରୁଥିଲେ । ଏହି ସମୟରେ ଇଣ୍ଡିଆ ମେଂଟର ନେତାଙ୍କୁ ବିଜୟୀ କରିବାକୁ ଦଳୀୟ କର୍ମୀଙ୍କୁ ଆହ୍ୱାନ କରିଛନ୍ତି ରାହୁଲ ଗାନ୍ଧୀ । ୨୫ରେ ଦିଲ୍ଲୀରେ ୭ ଲୋକସଭା ଆସନରେ ଭୋଟ୍ ପଡିବ । କଂଗ୍ରେସ ତିନୋଟି ସ୍ଥାନରେ ପ୍ରାର୍ଥୀ ଦେଇଥିବା ବେଳେ ୪ଟି ସ୍ଥାନରେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଦେଇଛି । ଚାନ୍ଦିନିଚୌକରେ ଇଣ୍ଡିଆ ମେଂଟର ରାଲିକୁ ଉଦବୋଧନ ଦେଇ ରାହୁଲ କହିଛନ୍ତି, କେଜ୍ରିୱାଲ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ଆବଶ୍ୟକ । ସେ କିନ୍ତୁ ଆପ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ବୋଲି କହିଛନ୍ତି । ବଡ କଥା ହେଉଛି ଦିଲ୍ଲୀରେ ଆପ୍ କଂଗ୍ରେସକୁ ହରାଇ କ୍ଷମତାରେ ବସିଛି । ଲୋକସଭା ଆସନରେ କିନ୍ତୁ ସମସ୍ତ ଆସନରେ ବିଜେପି କବଜା କରି ରଖିଛି । ୨୦୧୪ ଭଳି ୨୦୧୯ରେ ସମସ୍ତ ୭ ଲୋକସଭା ଆସନରେ ବିଜେପି ବିଜୟୀ ହୋଇଥିଲା । ଦିଲ୍ଲୀରେ ଏବେ କଂଗ୍ରେସ ଦୁର୍ବଳ ହୋଇଯାଇଛି । କିନ୍ତୁ ଚଳିତଥର ବିଜେପି ଭଳି ଦଳକୁ ହରାଇବା ପାଇଁ ତିଆରି ହୋଇଥିବା ଇଣ୍ଡିଆ ମେଂଟରେ ଅନେକ ଦଳ ସାମିଲ ହୋଇଛନ୍ତି । ଯେଉଁଥିରେ ଆପ୍ ରହିଛି । ଆମ୍ ଆଦମୀ ପାର୍ଟି ପୂର୍ବ ଦିଲ୍ଲୀରୁ କୁଲଦୀପ କୁମାର, ନୂଆଦିଲ୍ଲୀରୁ ସୋମନାଥ ଭାରତୀ, ପଶ୍ଚିମ ଦିଲ୍ଲୀରୁ ମହାବଳ ମିଶ୍ର, ଦକ୍ଷିଣ ଦିଲ୍ଲୀରୁ ସାହି ରାମ ପହଲୱାନ ପ୍ରାର୍ଥୀ ହୋଇଛନ୍ତି । ସେହିପରି ଦକ୍ଷିଣ ପୂର୍ବରୁ କହ୍ନେୟା କୁମାର ପ୍ରାର୍ଥୀ ହୋଇଥିବା ବେଳେ ଚାନ୍ଦିନୀ ଚୌକରୁ ଜେ.ପି ଅଗ୍ରୱାଲ ଏବଂ ଉତର ପଶ୍ଚିମରୁ ଉଦିତ ରାଜ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ।