ରତ୍ନଭଣ୍ଡାରରେ ଅଛି ୧୨ହଜାର୮୩୮ ଭରି ସୁନା । କନକ ନ୍ୟୁଜ୍ ହାତରେ ୧୯୮୫ ମସିହାର ରିପୋର୍ଟ।

418

କନକ ବ୍ୟୁରୋ: ୧୯୭୮, ୮୨ ଓ ୮୫ରେ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲାଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସୁନାଗହଣାର ଗଣତି କରାଯାଇଥିଲା । କନକ ନ୍ୟୁଜ୍ ହାତରେ ଲାଗିଛି ୧୯୮୫ ମସିହାରେ ଭିତର ରତ୍ନଭଣ୍ଡାରରେ ଥିବା ସୁନାଗହଣାର ହିସାବ । ଏ ହେଉଛି ଶ୍ରୀଜିଉଙ୍କ ଚିତାର ବର୍ଣ୍ଣନା ।

ପ୍ରଥମ ବେଦ- ୭ଟି ହୀରା ଚୁନି, ୭ଟି ମାଣିକ୍ୟ ଚୁନି
ଦ୍ୱିତୀୟ ବେଦ- ୨୧ଟି ମାଣିକ୍ୟ ଚୁନି, ବେଦ ଉପରେ ଗୋଟିଏ ହୀରା ଚୁନି
ତୃତୀୟ ବେଦ- ୩୪ଟି ମାଣିକ୍ୟ ଚୁନି
ଦ୍ୱିତୀୟ ଓ ତୃତୀୟ ବେଦ ମଝିରେ ଥିବା ଜାଗା– ୪ଟି ବଡ ମରକତ, ୮ଟି ବଡ ଓ ୧୪ଟି ସାନ ହୀରା ଚୁନି, ସାନ ବଡ ୧୧ଟି ମରକତ ଚୁନି, ୪ଟି ବଡ ଓ ୩୨ ସାନ ମାଣିକ୍ୟ ଚୁନି
ଚତୁର୍ଥ ବେଦ- ୪ଟି ବଡ ଓ ୧୬ଟି ସାନ ମାଣିକ୍ୟ ଚୁନି, ୨୦ଟି ହୀରା ଚୁନି
ପଞ୍ଚମ ବେଦ- ୧୬ଟି ହୀରା ଚୁନି, ୨୧ଟି ସାନ ବଡ ମାଣିକ୍ୟ ଚୁନି

ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ୧୯୮୫ ମସିହାରେ ଗଣତି କରାଯାଇଥିବା ଭିତର ରତ୍ନ ଭଣ୍ଡାରର ହିସାବ ଦେଇଛନ୍ତି । ଏପରିକି ଏ ସମ୍ପର୍କିତ ଦସ୍ତାବିଜ ମଧ୍ୟ କନକ ନ୍ୟୁଜ ହାତରେ ଲାଗିଛି ।

୧୯୮୫ ମସିହା ଜୁଲାଇ ୧୪ ତାରିଖରେ ଖୋଲାଯାଇଥିଲା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ବଡ ଠାକୁରଙ୍କ ଶିରରେ ଲାଗିଥିବା ଚିତା ବ୍ୟବହାର ଯୋଗ୍ୟ ନହେବାରୁ ଭିତର ରତ୍ନଭଣ୍ଡାର ଖୋଲାଯାଇ, ମହାପ୍ରଭୁଙ୍କ ସୁନା ଗହଣା ବାହାର ରତ୍ନଭଣ୍ଡାରକୁ ଅଣାଯାଇଥିଲା । ସେହି ସମୟରେ ଭଣ୍ଡାର ଘରେ ୧୨ ହାଜର ୮୩୮ ଭରି ସୁନା ୨୨ ହଜାର ଭରି ରୁପା ଥିଲା ବୋଲି କହିଛନ୍ତି ବିଜୟ ମହାପାତ୍ର । ୩୭ ବର୍ଷ ପରେ ଏସବୁ ସୁନା ଗହଣା ସୁରକ୍ଷିତ ଅଛି କି ନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ରାଜନେତା ।

ବିରୋଧୀ ଉଠାଉଥିବା ପ୍ରଶ୍ନ ଜଗନ୍ନାଥ ପ୍ରେମୀଙ୍କ ମନରେ ବଡ ଧରଣର ସନ୍ଦେହ ତିଆରି କରୁଛି । ବାରମ୍ବାର ରତ୍ନଭଣ୍ଡାର ଖୋଲିବାକୁ ଦାବି ହେଉଥିବା ବେଳେ ବିଭିନ୍ନ ବାହାନା ଦେଖାଇ ସରକାର ଏହାକୁ ଟାଳିଦେଉଛନ୍ତି । ଗତକାଲି ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗରେ ଅନୁଧ୍ୟାନ କରିବାକୁ ଆମିକସ କ୍ୟୁରୀ ପୁରୀରେ ପହଞ୍ଚିଥିବା ବେଳେ ରତ୍ନଭଣ୍ଡାର ପ୍ରସଙ୍ଗକୁ ଏଡାଇ ଯାଇଥିଲେ । ପ୍ରତି ତିନି ବର୍ଷରେ ଥରେ ରତ୍ନଭଣ୍ଡାର ଖୋଲି ଶ୍ରୀଜିଉଙ୍କ ସ୍ୱର୍ଣ୍ଣ ଆଭୂଷଣର ହିସାବ କରିବାର ନିୟମ ଥିଲେ ମଧ୍ୟ ୩୭ ବର୍ଷ ହେଲା କାହିଁକି ଖୋଲା ଯାଉ ନାହି, ସେ ପ୍ରଶ୍ନର ଉତର ସରକାର ରଖିବା ଜରୁରୀ ।