ଓଡିଶାରେ କ୍ରିକେଟ୍ ହିରୋଙ୍କୁ ଭବ୍ୟ ସମ୍ବର୍ଦ୍ଧନା । ଭୁବନେଶ୍ୱରରେ ପହଞ୍ଚିଲେ ଟିମ୍ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକାର ଖେଳାଳି । ଆସନ୍ତାକାଲି ବାରବାଟୀରେ କରିବେ ଅଭ୍ୟାସ ।

118

କନକ ବ୍ୟୁରୋ: ବାରବାଟୀ ଟି-୨୦ ମ୍ୟାଚକୁ ନେଇ ସାରା ଓଡିଶାରେ ଜମିଲାଣି କ୍ରିକେଟ ମାହୋଲ । ଭୁବନେଶ୍ୱରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଖେଳାଳି ପହଁଚିବା ପରେ ସେମାନଙ୍କୁ ମିଳିଛି ଭବ୍ୟ ସମ୍ବର୍ଦ୍ଧନା । ବିମାନବନ୍ଦର ଠାରୁ ଆରମ୍ଭ କରି ମେ ଫେୟାର ପର୍ଯ୍ୟନ୍ତ କ୍ରୀଡ଼ାପ୍ରେମୀ କ୍ରିକେଟ ହିରୋଙ୍କୁ ସ୍ୱାଗତ କରିଛନ୍ତି ।

ଭବ୍ୟ, ଦିବ୍ୟ ଓ ଆକର୍ଷଣୀୟ । ଭାରତ ଓ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ଭୁବନେଶ୍ୱରରେ ପହଁଚିବା ପରେ ସେମାନଙ୍କୁ ଓଡିଆ ପରମ୍ପରା ଓ ରୀତିନୀତି ଅନୁସାରେ ଭବ୍ୟ ସ୍ୱାଗତ କରାଯାଇଛି । ବାଜା ବଜାଇ , ଶଙ୍ଖ ଫୁଙ୍କି , ନାଚ ଗୀତ ଭିତରେ ଖେଳାଳିମାନଙ୍କୁ ସ୍ୱାଗତ କରାଯାଇଛି । ଫୁଲତୋଡା, ଉତ୍ତରୀୟ ଦେଇ ଖେଳାଳିମାନଙ୍କୁ ହୋଟେଲକୁ ପାଛୋଟି ନେଇଛନ୍ତି ଓସିଏ କର୍ତ୍ତୃପକ୍ଷ ଓ ହୋଟେଲ କର୍ମଚାରୀ ।

ଆଜି ଖେଳାଳିମାନେ ବିମାନବନ୍ଦରରେ ପହଁଚିବା ପରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ତାପରେ ଉଭୟ ଟିମର ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ୩ଟି ସ୍ୱତନ୍ତ୍ର ବସ୍ ଯୋଗେ ହୋଟେଲ ମେ ଫେୟାରକୁ ନିଆଯାଇଥିଲା । ଖେଳାଳିଙ୍କ ପାଇଁ ବିମାନବନ୍ଦରଠାରୁ ହୋଟେଲ ପର୍ଯ୍ୟନ୍ତ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ବସ୍ ସମ୍ମୁଖକୁ ଯେମିତି କୌଣସି ଫ୍ୟାନ ନଆସିବେ ତା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା ।

ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲେ ବି ଖେଳାଳିଙ୍କ ଆସିବା ବାଟକୁ ଉକ୍ରଣ୍ଠାର ସହ ଅନାଇ ରହିଥିଲେ ଫ୍ୟାନ । ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ହୋଟେଲ ମେ ଫେୟାର ପର୍ଯ୍ୟନ୍ତ ଖେଳାଳିଙ୍କୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟାରେ କ୍ରିକେଟ ପ୍ରେମୀ ଅପେକ୍ଷା କରି ରହିଥିଲେ । ଆଉ ପାଖରେ ଅତି ପ୍ରିୟ ଖେଳାଳିଙ୍କୁ ପାଖରୁ ଦେଖି ଖୁସି ଜାହିର କରିଥିଲେ । ଆସନ୍ତାକାଲି ବାରବାଟୀ ଯାଇ ଅଭ୍ୟାସ କରିବେ ଖେଳାଳି । ଏହାକୁ ନଜରରେ ରଖି ଖେଳାଳିମାନଙ୍କ ସୁରକ୍ଷିତ ଯାତାୟତ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କାରକେଡ ରିହର୍ସାଲ କରାଯାଇଛି ।