ଖେଳାଳିଙ୍କ ପାଇଁ ମେ’ ଫେୟାର ହୋଟେଲରେ ବଡ଼ ପ୍ରସ୍ତୁତି । ଓଡ଼ିଆ ଖାଦ୍ୟ ସହ ଭଳିକି ଭଳି ରେସିପି, ମେନ୍ୟୁରେ ନାହିଁ ରେଡ୍ ମିଟ୍ ।

1,223

କନକ ବ୍ୟୁରୋ: ଦୀର୍ଘ ୨ ବର୍ଷ ପରେ ବାରବାଟୀରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ହେଉଥିବା ବେଳେ ଖାଲି କ୍ରୀଡ଼ାପ୍ରେମୀ ନୁହେଁ ଓଡ଼ିଶାର ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସାହ ଭରିଯାଇଛି । ଏସବୁ ଭିତରେ ଆସିଥିବା ଖେଳାଳିମାନେ କ’ଣ ଖାଇବେ, କ’ଣ ନଖାଇବେ, ତାକୁ ନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ମେନୁ । ବିଶେଷକରି ଖେଳାଳିମାନେ କିପରି ଓଡ଼ିଆ ଖାଦ୍ୟର ସ୍ୱାଦ ନେଇପାରିବେ, ସେଥିପାଇଁ ମେ’ ଫେୟାର ହୋଟେଲ ପକ୍ଷରୁ ହୋଇଛି ସ୍ୱତନ୍ତ୍ର ପ୍ରସ୍ତୁତି ।

ଖେଳାଳିଙ୍କୁ ମେ’ ଫେୟାରରେ ଦିଆଯାଇଛି ୱେଲକମ ସ୍ନାକ୍ସ । ଦୁଇ ଦଳର ଖେଳାଳିଙ୍କୁ ପେଷ୍ଟ୍ରି ଓ ମଫିନ୍ସ ପରଷିଛନ୍ତି ହୋଟେଲ କର୍ମଚାରୀ । ଖେଳାଳିଙ୍କ ରୁଚିକୁ ନଜର ରଖି ପ୍ରସ୍ତୁତ କରାଯାଇଛି ସ୍ୱତନ୍ତ୍ର ମେନୁ । କ’ଣ ଖାଇବେ, କ’ଣ ନଖାଇବେ ସେଥିପ୍ରତି ଦିଆଯାଇଛି ସ୍ୱତନ୍ତ୍ର ଧ୍ୟାନ । ଏହାସହ ଖେଳାଳିମାନେ କିପରି ସୁନ୍ଦର ଓଡ଼ିଆ ଖାଦ୍ୟର ସ୍ୱାଦ ନେଇପାରିବେ ତାକୁ ଲକ୍ଷ୍ୟ ରଖି ମେନୁ ପ୍ରସ୍ତୁତ କରାଯାଇଛି ।

ନଜର ପକାନ୍ତୁ ଭାରତୀୟ ଖେଳାଳିଙ୍କ ପାଇଁ କ’ଣ କ’ଣ ଓଡ଼ିଆ ଖାଦ୍ୟ ପରସା ଯିବ ?

  • ଡାଲମା
  • ବଡ଼ିଚୁରା
  • ଛେନାପୋଡ଼
  • ୧୨ ପ୍ରକାର ପିଠା

ସବୁ ଖେଳାଳିଙ୍କ ପାଇଁ ଡାଲମା, ବଡ଼ିଚୁରା, ରହିବ । ଏହାସହ ଖେଳାଳିଙ୍କୁ ବ୍ରେକଫାକ୍ଟ, ଲଞ୍ଚ୍ ଓ ଡିନରରେ ଛେନାପୋଡ଼ ମିଳିବ । ଆଗକୁ ରଜ ଥିବାରୁ ହୋଟେଲ ପକ୍ଷରୁ ୧୨ ପ୍ରକାର ପିଠା ପ୍ରସ୍ତୁତ ହେବ । ଖେଳାଳିମାନଙ୍କ ପାଇଁ କାକେରା, ଆରିସା, ଚକୁଳି ଓ ମଣ୍ଡା ପରି ପିଠା ଦିଆଯିବ । ସେହିପରି ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ରୁଚି ଅନୁସାରେ ଖାଦ୍ୟ ପ୍ରସ୍ତୁତ କରାଯିବ । ଖେଳାଳିମାନେ ରେଡ୍ ମିଟ୍ ପସନ୍ଦ କରୁନଥିବାରୁ ତାହାକୁ ମେନ୍ୟୁରୁ ବାଦ୍ ଦିଆଯାଇଛି । ଅଲିଭ୍ ତେଲରେ ଖେଳାଳିଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯିବ । ଏହାସହ ଖେଳାଳିଙ୍କ ପସନ୍ଦ ମୁତାବକ ଜୁସ୍, ଫ୍ରୁଟ ଓ ସ୍ନାକ୍ସର ବ୍ୟବସ୍ଥା କରାଯାଇଛି । ତେବେ ସବୁ ଖେଳାଳିଙ୍କ ପାଇଁ ସେମାନଙ୍କ ଡାଏଟିସିଆନମାନେ କ୍ୟାଲୋରରି ଅନୁସାରେ ଲିଷ୍ଟ ଦେଇଛନ୍ତି । ତାକୁ ଧ୍ୟାନ ଦେଇ ମେନୁ ପ୍ରସ୍ତୁତ କରାଯାଇଛି ।