ଗୁରୁ କହିଲେ ଦ୍ରୌପଦୀଙ୍କ ପିଲାଦିନର କଥା । ଭଲ ପାଠ ପଢୁଥିଲେ, ଭଲ ଗୀତ ବି ଗାଉଥିଲେ ଦ୍ରୌପଦୀ । ଖେଳକୁଦରେ ବି ଥିଲେ ପାରଙ୍ଗମ

189

କନକ ବ୍ୟୁରୋ: ମୟୂରଭଞ ଜିଲ୍ଲା କୁସୁମୀ ବ୍ଲକ୍ ଉପରବେଡା ଏମ୍ଇ ସ୍କୁଲ । ଅଖ୍ୟାତ ପଲ୍ଲୀର ଏହି ସ୍କୁଲ ଏବେ ଚର୍ଚ୍ଚାରେ ରହିଛି । କାରଣ ଏଇଠି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏଇଠୁ ପାଠପଢ଼ି ସେ ଦିନେ ଦେଶର ପ୍ରଥମ ନାଗରିକ ହେବାର ସମ୍ମାନ ପାଇବେ, ହୁଏତ କେହି କଳ୍ପନା କରିନଥିବେ । କିନ୍ତୁ ପିଲାଦିନୁ ତାଙ୍କ ପାଖରେ ଯେ ପ୍ରତିଭା ଥିଲା, ଏହାକୁ ପ୍ରାୟ ୫୦ ବର୍ଷ ପୂର୍ବରୁ ଅନୁମାନ କରିଥିଲେ ତାଙ୍କର ବାଲ୍ୟ ଶିକ୍ଷକ ବାସୁଦେବ ବେହେରା ।

  • ଗୁରୁ କହିଲେ ଦ୍ରୌପଦୀଙ୍କ ପିଲାଦିନର କଥା
  • ଭଲ ପାଠ ପଢୁଥିଲେ, ଭଲ ଗୀତ ବି ଗାଉଥିଲେ ଦ୍ରୌପଦୀ
  • ଖେଳକୁଦରେ ବି ଥିଲେ ପାରଙ୍ଗମ

ଷଷ୍ଠ ଓ ସପ୍ତମ ଶ୍ରେଣୀରେ ଦ୍ରୌପଦୀ ମୁର୍ମୁଙ୍କୁ ପାଠ ପଢ଼ାଇଥିଲେ ବାସୁଦେବ ସାର । ସେ କହିଛନ୍ତି, ଭଲ ପାଠ ପଢିବା ସହ ଗୀତ ଗାଇବା ଓ ଖେଳକୁଦରେ ଆଗୁଆ ଥିଲେ ଦ୍ରୌପଦୀ । ଏଭଳି ଛାତ୍ରୀ ପାଇ ଗର୍ବରେ ତାଙ୍କ ଛାତି ଫୁଲି ଉଠିଛି । ତାଙ୍କ ଜୀବନ ଧନ୍ୟ ହୋଇଯାଇଛି ବୋଲି ସେ କହିଛନ୍ତି । ସପ୍ତମ ଶ୍ରେଣୀ ଫାଷ୍ଟ ଡିଭିଜନରେ ପାସ୍ କରିବା ପରେ ଉଚ୍ଚ ଶିକ୍ଷା ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ବାସୁଦେବ ସାର୍ ହିଁ ତାଙ୍କୁ ଭୁବନେଶ୍ୱର ପଠାଇଥିଲେ । ଦ୍ରୌପଦୀ ମୁର୍ମୁ ମନ୍ତ୍ରୀ ଥିବା ବେଳେ ତାଙ୍କ ଘରକୁ ଯିବା ପାଇଁ ଭୁଲିନଥିଲେ । ଝାଡଖଣ୍ଡର ରାଜ୍ୟପାଳ ଥିବା ସମୟରେ ମଧ୍ୟ ଦ୍ରୌପଦୀ ମୁର୍ମୁ ନିଜ ପ୍ରିୟ ଗୁରୁଙ୍କୁ ଘରକୁ ଆଣି ଗୁରୁପୂଜା କରିଥିଲେ ।

ଦ୍ରୌପଦୀ ଯେମିତି ଗୁରୁଭକ୍ତି କରୁଥିଲେ, ସେମିତି ସେ ତାଙ୍କ ଛାତ୍ରଙ୍କୁ ଭଲ ପାଉଥିଲେ । ରାଇରଙ୍ଗପୁରର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଗବେଷଣା କେନ୍ଦ୍ରରେ ଶିକ୍ଷୟିତ୍ରୀ ଥିଲେ ଦ୍ରୌପଦୀ ମୁର୍ମୁ । ଆଉ ପୁରୁଣା ଦିନର ସ୍ମୃତି ମନେ ପକାଇଛନ୍ତି ଛାତ୍ର ଅଭିଷେକ ଦାସ । କହିଛନ୍ତି, ପିଲାମାନେ କିପରି ଭଲ ଭାବେ ପାଠ ପଢିବେ, ସେଥିପ୍ରତି ଦୃଷ୍ଟି ଦେଉଥିଲେ । ଏପରିକି ପିଲାଙ୍କ ଉତ୍ସାହ ବଢ଼ାଇବା ପାଇଁ ଛୋଟ ଛୋଟ ଉପହାର ହେଉଥିଲେ ।

ଦ୍ରୌପଦୀଙ୍କ କର୍ମମୟ ଜୀବନ ଅତ୍ୟନ୍ତ ପ୍ରେରଣାଦାୟକ । ଆଜି ତାଙ୍କର ସଫଳତା ସାରା ଓଡ଼ିଶାକୁ ଗର୍ବିତ କରିଛି । ତାଙ୍କ ଶିକ୍ଷକ ଯେମିତି ଗର୍ବ ଅନୁଭବ କରୁଛନ୍ତି, ତାଙ୍କ ଛାତ୍ର ବି ଦ୍ରୌପଦୀ ମୁର୍ମୁଙ୍କ ଭଳି ଶିକ୍ଷୟିତ୍ରୀ ପାଇ ନିଜକୁ ଧନ୍ୟ ମନେ କରୁଛନ୍ତି ।