ରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ଦାଖଲ କଲେ ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା । କହିଲେ ଏ ଲଢେଇ, ବିଚାରଧାରାର ଲଢେଇ ।

161

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ନାମାଙ୍କନ ଦାଖଲ କରିଛନ୍ତି ମିଳିତ ବିରୋଧୀଙ୍କ ପ୍ରାର୍ଥୀ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶୱନ୍ତ ସିହ୍ନା । ଏହି ଅବସରରେ ସଂସଦ ଭବନକୁ ୧୭ ବିରୋଧୀ ଦଳର ପ୍ରତିନିଧି ଆସି ବିରୋଧୀଙ୍କ ଏକଜୁଟତା ଦେଖାଇଛନ୍ତି ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଯଶୱନ୍ତ ସିହ୍ନା । ବିରୋଧୀ ଦଳର ନେତାଙ୍କ ସହ ସଂସଦଭବନକୁ ଆସି ସେ ପ୍ରାର୍ଥୀପତ୍ରର ୪ଟି ସେଟ୍ ଦାଖଲ କରିଛନ୍ତି । ରାଜ୍ୟସଭାର ମହାସଚିବ ତଥା ରାଷ୍ଟ୍ରପତି ନିର୍ବାଚନର ରିଟର୍ଣ୍ଣିଂ ଅଫିସର ପିସି ମୋଦିଙ୍କ ପାଖରେ ନାମାଙ୍କନ ଦାଖଲ କରିଛନ୍ତି ଯଶୱନ୍ତ ସିହ୍ନା । ପ୍ରାର୍ଥୀପତ୍ର ଦାଖଲ ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର, ସପା ମୁଖିଆ ଅଖିଳେଶ ଯାଦବ, ଏନସି ନେତା ଫାରୁକ ଅବଦୁଲ୍ଲା, ବାମଦଳ ନେତା ଡି ରାଜା ପ୍ରମୁଖ ଉପସ୍ଥିତ ରହିଥିଲେ । ନାମାଙ୍କନ ଦାଖଲ ପରେ ସିହ୍ନା କହିଛନ୍ତି ଏହା ବିଚାରଧାରର ଲଢେଇ, ଆଉ ସେ ଲଢିବାକୁ ପ୍ରସ୍ତୁତ ଅଛନ୍ତି ।

ରାଷ୍ଟ୍ରପତି ନିର୍ବାଚନର ସଂଖ୍ୟା ଗଣିତରେ ବିରୋଧୀଙ୍କ ପ୍ରାର୍ଥୀ ଯଶୋୱନ୍ତ ସିହ୍ନାଙ୍କ ଠାରୁ ଆଗରେ ରହିଛନ୍ତି ଗତ ସପ୍ତାହରେ ନାମାଙ୍କନ ଦାଖଲ କରିଥିବା ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଜୁଲାଇ ପହିଲାରୁ ସେ ରାଜ୍ୟକୁ ରାଜ୍ୟ ବୁଲି ସମର୍ଥନ ଲୋଡିବେ ବୋଲି ସୂଚନା ମିଳିଛି । ଏହି ଅବସରରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଓଡିଶା ରାଇରଙ୍ଗପୁରର ଦ୍ରୌପଦୀ ମୁର୍ମୁଙ୍କୁ ମନେ ପକାଇଛନ୍ତି ତାଙ୍କ ପାଠ ପଢାଇଥିବା ଶିକ୍ଷକ । କହିଛନ୍ତି ଏଭଳି ଶିଷ୍ୟ ପାଇଥିବାରୁ ସେ ଗର୍ବିତ ଅନୁଭବ କରୁଛନ୍ତି ।

ଓଡିଆ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରି ବିଜେପି ଯେଉଁ ମାଷ୍ଟର ଷ୍ଟ୍ରୋକ ଖେଳିଛି । ଏଥିରେ ବିରୋଧୀ ମେଣ୍ଟରୁ ଭୋଟ ଆସିବା ସମ୍ଭାବନା ସୃଷ୍ଟି କରିଛି । ବିରୋଧୀ ମେଣ୍ଟର ବିଏସପି ସମେତ ୱାଇଏସଆର କଂଗ୍ରେସ, ବିଜେଡି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ପାଇଁ ଘୋଷଣା କରିସାରିଛନ୍ତି । ହେଲେ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା କାହାକୁ ସମର୍ଥନ ଦେବ ଏଯାଏଁ ସ୍ପଷ୍ଟ ହୋଇନାହିଁ ।