ଅଧାରୁ ପାଠ ଛାଡ଼ୁଥିବା ଗରିବ ପିଲାଙ୍କୁ ଚିହ୍ନଟ କରି ପଢ଼ାଉଛନ୍ତି ଶିକ୍ଷକ ବିଭୂତି ରଥ : ଦୁର୍ଗମ ଅଞ୍ଚଳରେ ନିଜ ଖର୍ଚ୍ଚରେ ବୁଣୁଛନ୍ତି ଶିକ୍ଷାର ଆଲୋକ

81

କନକ ବ୍ୟୁରୋ : ଦୁର୍ଗମ ଅଞ୍ଚଳରେ ଶିକ୍ଷାର ଆଲୋକ ବୁଣୁଛନ୍ତି ଶିକ୍ଷକ । ରାୟଗଡା ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳରେ ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ଚିହ୍ନଟ କରି ପାଠ ପଢାଉଛନ୍ତି । ପିଲାଙ୍କ ଭବିଷ୍ୟତ ଗଠନ କରିବା ପାଇଁ ସଂକଳ୍ପ ନେଇଛନ୍ତି । ଏଭଳି ଭିନ୍ନ ଧରଣର ଶିକ୍ଷକ ହେଉଛନ୍ତି ବିଭୂତି ଭୂଷଣ ରଥ । ରାୟଗଡା ସହରରେ ଥିବା ଆମ୍ବାଗୁଡା ଆରଏସଇଡବ୍ଲୁସି ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ବର୍ତମାନ ସୁଦ୍ଧା ୧୫ ଜଣ ଆଦିବାସୀ ପିଲାଙ୍କୁ ଚିହ୍ନଟ କରି ସେ ପାଠ ପଢାଉଛନ୍ତି ।

ସେହି ୧୫ ଛାତ୍ରଙ୍କ ମଧ୍ୟରେ ଅଛନ୍ତି ରାୟଗଡା ବ୍ଲକ ହାଲୁଆ ଗ୍ରାମର ହେନା ଜାକକା । ଯିଏ ଚଳିତ ବର୍ଷ ତାଙ୍କର ସ୍ନାତକ ଶିକ୍ଷା ଶେଷ କରିବେ । ଆଗକୁ ୫୦ ଝଣ ପିଲାଙ୍କ ନିଜ ଖର୍ଚ୍ଚରେ ପାଠ ପଢାଇବାକୁ ବିଭୂତି ନିଷ୍ପତ୍ତି ନେଇଛନ୍ତି । ବିଭୂତିଙ୍କ ଠାରୁ ଆର୍ଥିକ ସହାୟତା ପାଇବା ପରେ ୧୫ ଜଣ ଆଦିବାସୀ ପିଲା ପୁଣି ପାଠ ପଢିପାରୁଛନ୍ତି । ସେହିପରି ସେ ପିଲାଙ୍କୁ ମାଗଣାରେ କଂପୁଟର ଶିକ୍ଷା ମଧ୍ୟ ଦେଉଛନ୍ତି । ଶିକ୍ଷା ହିଁ ଅନ୍ଧବିଶ୍ୱାସର ଅନ୍ଧକାରକୁ ଦୂର କରିପାରିବ ଓ ସମାଜକୁ ସଂସ୍କାରିତ କରିପାରିବ ବୋଲି ବିଭୂତି ବିଶ୍ୱାସ କରନ୍ତି ।