ଛାତ୍ରୀଙ୍କ ଆଖିରୁ ଦୃଷ୍ଟିଶକ୍ତି ଛଡେଇ ନେଇଛି ଟିବି । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ଲୋଡିଲେ ପରିବାର

432

କନକ ବ୍ୟୁରୋ: ପାଠ ପଢା ଠିକ୍ ଠାକ୍ ଚାଲିଥିଲା । ଆଖିରେ ଅସୁମାରୀ ସ୍ୱପ୍ନ ନେଇ ଆଗକୁ ବଢୁଥିଲେ ରାୟଗଡାର ରୀତା ପରିଡା । ଭଲ ପାଠ ପଢି ଶିକ୍ଷୟିତ୍ରୀଟିଏ ହେବାକୁ ଆଶା ରଖିଥିଲେ । ହେଲେ ବିଧିର ବିଧାନ କିନ୍ତୁ ତାଙ୍କ ପାଇଁ ଅଲଗା କିଛି ରଖିଥିଲା । ପାଠ ପଢା ବୟସରେ କୁନି ଛାତ୍ରୀଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗିପଡିଛି । ଆଖିଏ ସ୍ୱପ୍ନ ନେଇ ଆଗକୁ ବଢୁଥିବା ରାୟଗଡା ସଦର ବ୍ଳକ ଲୁହାଖାଲ ଗାଁର ରୀତା ପୀଡିକା ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ଟିବି ରୋଗରେ ପୀଡିତ ହୋଇ ନିଜର ଦୃଷ୍ଟିଶକ୍ତି ହରାଇଛନ୍ତି । ବର୍ଷେ ତଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ରୀତାଙ୍କୁ ସ୍ଥାନିୟ ଜେମାଦେଇପେଣ୍ଠ ପ୍ରାଥମିକ ଚିକିତ୍ସାଳୟରେ ଭର୍ତି କରିଥିଲେ ପରିବାର ଲୋକ । ପରେ ଜଣାପଡିଲା, ତାଙ୍କୁ ଟିବି ହୋଇଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇ ଟିବି ରୋଗରୁ ସୁସ୍ଥ ହୋଇଛନ୍ତି ରୀତା । ହେଲେ ଉଦବେଗର ବିଷୟ ଟିବି ଭଲ ହେବା ପରେ ନିଜ ଦୃଷ୍ଟିଶକ୍ତି ହରାଇ ବସିଛନ୍ତି ରୀତା । ଦୃଷ୍ଟି ଶକ୍ତି ହରାଇ ଏବେ ପାଠ ଛାଡି ନିଜ ଘରେ ବସି ରହିଛନ୍ତି ରୀତା । ମନରେ ପଡିବା ପାଇଁ ପ୍ରବଳ ଇଛା ଥିଲେ ବି ଆଖିକୁ କିଛି ଦେଖା ଯାଉନଥିବାରୁ ରୀତାଙ୍କ ସ୍ୱପ୍ନ ଦୁନିଆ ଅନ୍ଧାର ହୋଇଯାଇଛି । ଏପରି ସ୍ଥିତିରେ ଝିଅକୁ ଭଲ କରିବା ପାଇଁ ପରିବାର ଲୋକ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି । ଅପରପକ୍ଷରେ ରୀତାଙ୍କ ଘରକୁ ଯାଇ ତାଙ୍କ ସହିତ କଥା ହୋଇ ଯାହା ସାହାଯ୍ୟ କରିବା କଥା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ।