ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଜୁଳି ବିଭ୍ରାଟ । କଟିଗଲା ବିଜୁଳି, ଜଳିଲାନି ଆଲୁଅ । ଅନ୍ଧାରରେ ରାଷ୍ଟ୍ରପତି ଦେଲେ ଅଭିଭାଷଣ

161

କନକ ବ୍ୟୁରୋ: ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଥିବା ମହାମହିମ ରାଷ୍ଟ୍ରପତି ଅଭିଭାଷଣ ରଖୁଥିବେ, ଆଉ ସେହି ସମୟରେ ଲାଇନ୍ କଟିଯିବ, ଏକଥା ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି । ହେଲେ ଆଜି ବାରିପଦା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମାବର୍ତନ ଉତ୍ସବରେ ଘଟିଛି ସେମିତି ଘଟଣା । ମହାମହିମ ରାଷ୍ଟ୍ରପତି ଅଭିଭାଷଣ ରଖୁଥିବାବେଳେ କଟି ଯାଇଥିଲା ବିଜୁଳି । ଅନ୍ଧାରରେ ଅଭିଭାଷଣ ରଖିଥିଲେ ରାଷ୍ଟ୍ରପତି । ଯାହାକୁ ନେଇ ସାରାରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଅନ୍ୟପଟେ ଏଭଳି ଘଟଣା କେମିତି ଘଟିଲା ତାର କାରଣ ଖୋଜିବା ଆରମ୍ଭ କରିଛି ପ୍ରଶାସନ ।

  • ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଜୁଳି ବିଭ୍ରାଟ
  • କଟିଗଲା ବିଜୁଳି, ଜଳିଲାନି ଆଲୁଅ
  • ଅନ୍ଧାରରେ ରାଷ୍ଟ୍ରପତିଙ୍କ ଅଭିଭାଷଣ

ରାଷ୍ଟ୍ରପତିି ଦ୍ରୌପଦୀ ମୁର୍ମୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଭାଷଣ ଦେଉଥିବାବେଳେ ଘଟିଛି ଏଭଳି ଏକ ଲଜ୍ଜାକର ଘଟଣା । ମହାମହିମ ଭାଷଣ ଆରମ୍ଭ କରିବାର ମାତ୍ର କିଛି ସମୟ ପରେ କଟି ଯାଇଥିଲା ବିଜୁଳି । ସୂଚନା ଅନୁସାରେ ୧୧ଟା ୫୬ରୁ ୧୨ଟା ୫ ପର୍ଯ୍ୟନ୍ତ ପ୍ରାୟ ୯ ମିନିଟ୍ ହଲଟି ପୂରା ଅନ୍ଧାର ହୋଇଯାଇଥିଲା । ଆଉ ସେହି ଅନ୍ଧାରରେ ଭାଷଣ ରଖିଥିଲେ ମହାମହିମ । ତେବେ ରାଷ୍ଟ୍ରପତିଙ୍କ ଅଭିଭାଷଣବେଳେ ବିଦ୍ୟୁତ୍ ବିଭ୍ରାଟ ହେବା ଘଟଣାକୁ ନେଇ ସାରାରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଦାୟିତ୍ୱହୀନତା ପାଇଁ କିଏ ଦାୟୀ ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

  • ବିଜୁଳି ବିଭ୍ରାଟ ପାଇଁ ଦାୟୀ କିଏ?
  • ବିକଳ୍ପ ଆଲୋକ ବ୍ୟବସ୍ଥା ନଥିଲା କି?
  • ଯଦି ଜେନେରେଟର ଥିଲା, କାହିଁକି ବ୍ୟବହାର କରାଯାଇନଥିଲା?
  • ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଏଭଳି ଦାୟିତ୍ୱହୀନ ବ୍ୟବସ୍ଥା କାହିଁକି?
  • କେଉଁ ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ?
  • ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି 

ରାଷ୍ଟ୍ରପତି ଅଭିଭାଷଣ ରଖୁଥିବାବେଳେ ବିଜୁଳି କଟିଯିବାକୁ ନେଇ ପ୍ରଶ୍ନ ଉଠିବା ପରେ, ତତ୍ପର ହୋଇଛି ପ୍ରଶାସନ । ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କ ସହ କେନ୍ଦ୍ରାଞ୍ଚଳ ଆରଡିସି ବୈଠକ କରିଛନ୍ତି । ଘଟଣାର ତଦନ୍ତ ପାଇଁ ଏକ ୩ଜଣିଆ କମିଟି ଗଠନ ହୋଇଛି । କମିଟି ତଦନ୍ତ କରିବା ପରେ ଯିଏ କାର୍ଯ୍ୟରେ ଅବହେଳା କରିଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆରଡିସି କହିଛନ୍ତି । ବିଶ୍ୱବିଦ୍ୟାଳୟ କୂଳପତି କ୍ଷମା ମାଗିଥିଲେ ବି ବିଭ୍ରାଟ ନହେଲେ ସୁଆଦ କେମିତି ଆସିବ ବୋଲି କହିଛନ୍ତି ।

ବିଜୁଳି ବିଭ୍ରାଟ ପାଇଁ କିନ୍ତୁ ନିଜ ମୁଣ୍ଡରୁ ସମ୍ପୂର୍ଣ୍ଣ ଦୋଷ ଛଡାଇ ଦେଇଛି ବିଦ୍ୟୁତ୍ ବିତରଣ କମ୍ପାନୀ ଟାଟା ପାୱାର । ହେଲେ ଏହି ଘଟଣା ପାଇଁ ବଳି ପଡିଯାଇଛନ୍ତି ବିଶ୍ୱବିଦ୍ୟାଳୟର ଜଣେ ଅସ୍ଥାୟୀ ବିଦ୍ୟୁତ୍ କର୍ମଚାରୀ । ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ପ୍ରଶ୍ନ ଉଠୁଛି, ଯେଉଁଠି ଆରଡିସି, ଜିଲ୍ଲାପାଳ, ଏଡିଏମଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଥିଲେ, ବିଶ୍ୱବିଦ୍ୟାଳୟ କର୍ତୁପକ୍ଷ ଥିଲେ, ସେଠି ମାତ୍ର ୧୦ରୁ ୧୨ହଜାର ଟଙ୍କା ମାସିକ ଦରମା ନେଉଥିବା ଜଣେ ଠିକା କର୍ମଚାରୀ କେମିତି ଦାୟୀ ହେଲେ? ଅନ୍ୟମାନେ ସମ ପରିମାଣରେ ଦାୟୀ ନୁହନ୍ତି କି?