ପୁଣି ବିକ୍ରି ହେଲାଣି ଟଙ୍କତୋରାଣି । ନିଷେଧାଦେଶକୁ ମାନୁନାହାନ୍ତି ଅସାଧୁ ବ୍ୟବସାୟୀ

183

କନକ ବ୍ୟୁରୋ: ତେଜିଲା ଶ୍ରୀମନ୍ଦିର ବାହାର ବେଢ଼ାରେ ବିକ୍ରି ବାହାର ବେଢ଼ାରେ ବିକ୍ରି ହେଉଥିବା ଟଙ୍କତୋରାଣି ପ୍ରସଙ୍ଗ । ଦୀର୍ଘ ବର୍ଷ ହେବ ଆନନ୍ଦ ବଜାରରେ ଟଙ୍କତୋରାଣି ବିକ୍ରି ନିଷେଧ ଥିବାବେଳେ ପୁଣି ଥରେ ବିକ୍ରି ହେଉଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ପ୍ରଶ୍ନ ଉଠିଛି ।

ଶ୍ରୀମନ୍ଦିର ଆନନ୍ଦ ବଜାରରେ ଟଙ୍କ ତୋରାଣି ବନ୍ଦ ପାଇଁ ନିର୍ଦ୍ଦେଶନାମା ରହିଛି । କିନ୍ତୁ ଟଙ୍କ ତୋରାଣି ବିକ୍ରି ନିଷେଧାଦେଶ ସତ୍ୱେ ବିକ୍ରି ହେଉଥିବା ଅଭିଯୋଗ ଆସିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶ୍ରୀମନ୍ଦିର ବାହାର ବେଢ଼ାରେ ଅସ୍ୱାସ୍ଥ୍ୟକର ପରିବେଶରେ ବି ଟଙ୍କତୋରାଣି ବିକ୍ରି ହେଉଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ । ବିକ୍ରି ହେଉଥିବା ଟଙ୍କତୋରାଣି ମାନ ପରୀକ୍ଷା କରିବାକୁ ଦାବି କରିଛନ୍ତି ।

ବରିଷ୍ଠ ସେବାୟତଙ୍କ କହିବା କଥା, ଭକ୍ତଙ୍କ ଭାବାବେଗକୁ କୁଠାରଘାତ କରି କିଛି ଅସାଧୁ ବ୍ୟବସାୟ ଦହିପାଣିକୁ ଟଙ୍କତୋରାଣି କହି ବିକ୍ରି କରୁଛନ୍ତି । ଆଉ ଶ୍ରଦ୍ଧାରେ ଆସିଥିବା ଶ୍ରଦ୍ଧାଳୁଙ୍କୁ ଠକି ଚାଲିଛନ୍ତି । ଯାହାକୁ ନେଇ ପ୍ରଶ୍ନ ଉଠାଇବା ସହ, ବାହାର ବେଢ଼ାରେ ଟଙ୍କତୋରାଣି ବିକ୍ରି ପାଇଁ କିଏ ଅନୁମତି ଦେଲା ବୋଲି ପଚାରିଛନ୍ତି ବରିଷ୍ଠ ସେବାୟତ ।

୨୦୧୭ରୁ ଟଙ୍କତୋରାଣି ବିକ୍ରି ଉପରେ ନିଷେଧାଦେଶ ଜାରି ହୋଇଛି । ପରିଛନ୍ନତା ଓ ସ୍ୱାସ୍ଥ୍ୟକର ଭାବେ ପ୍ରସ୍ତୁତ ହେଉନଥିବା ଅଭିଯୋଗ ଉଠାଇ ଟଙ୍କତୋରାଣି ବିକ୍ରି ଉପରେ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ବନ୍ଦ କରି ଦେଇଥିଲା । ଏଥିସହ ରାବିଡି, ଖିରି ଆଦି ବାହାର ଜିନିଷ ବିକ୍ରି ଉପରେ କଟକଣା ଲଗାଯାଇଥିଲା । କିନ୍ତୁ କିଛି ବର୍ଷ ବନ୍ଦ ରହିବା ପରେ ପୁଣି ଟଙ୍କତୋରାଣି ବିକ୍ରି ହେବା କେଉଁଠି ନା କେଉଁଠି ଶ୍ରୀମନ୍ଦିର ପ୍ରଶାସନର ଆଭିମୁଖ୍ୟକୁ ପ୍ରଶ୍ନ ଘେରରେ ଛିଡା କରିଛି ।