ଟ୍ରାକରେ ଦୌଡିଲା ଦେଶର ପ୍ରଥମ ରାପିଡଏକ୍ସ ଟ୍ରେନ୍ । ‘ନମୋ ଭାରତ’କୁ ପତାକା ଦେଖାଇ ଶୁଭାରମ୍ଭ କଲେ ପିଏମ

235

କନକ ବ୍ୟୁରୋ : ଦେଶକୁ ମିଳିଲା ପ୍ରଥମ ର୍ୟାପିଡ୍ଏକ୍ସ ଟ୍ରେନ୍ ‘ନମୋ ଭାରତ’ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତର ପ୍ରଦେଶ, ସାହିବାବାଦ ଷ୍ଟେସନରୁ ସବୁଜ ପତାକା ଦେଖାଇ ଏହି ସେବାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ଗାଜିଆବାଦ-ମିରଟ କରିଡରରେ ରାପିଡଏକ୍ସ ଟ୍ରେନ ଗଡିଥିବା ବେଳେ ପ୍ରଧାନମନ୍ତ୍ରୀ ଏଥିରେ ଯାତ୍ରା କରି ଶିକ୍ଷାର୍ଥୀ ମାନଙ୍କ ସହ ଆଲୋଚନା କରିଛନ୍ତି । ‘ନମୋ ଭାରତ’ ଟ୍ରେନରେ ଡ୍ରାଇଭରଙ୍କ ଠାରୁ ଆରମ୍ଭ କରି ନୂଆ ରେଳସେବାରେ ନିୟୋଜିତ ସମସ୍ତ କର୍ମଚାରୀ ମହିଳା । ଦୁର୍ଗାପୂଜା ଅବସରରେ ମାତୃଶକ୍ତି ପ୍ରତି ଏହା ସବୁଠୁ ବଡ଼ ସମ୍ମାନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ନୂତନ ରେଳସେବାରେ ଉଭୟ ଆଧୁନିକତା ଓ ଗତି ରହିଥିବା ବେଳେ ନୂଆ ଭାରତର ନୂଆ ପରିଚୟକୁ ଏହା ପରିଭାଷିତ କରୁଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ଦେଶରେ ଆଂଚଳିକ ଯୋଗାଯୋଗକୁ ଆହୁରି ମଜବୁତ କରିବା ପାଇଁ ଏହି ନୂତନ ଟ୍ରେନର ବ୍ୟବସ୍ଥା କରାଯାଇଛି । ଆରଆରଟିଏସ୍ ବା ର୍ୟାପିଡ୍ ଟ୍ରାଂଜିଟ୍ ସିଷ୍ଟମ୍ ଏକ ନୂତନ ରେଳ ବ୍ୟବସ୍ଥା । ଏହା ସେମି-ହାଇସ୍ପିଡ୍ ଓ ହାଇ ଫ୍ରିକ୍ୱେନ୍ସି ଯୁକ୍ତ ଏକ କମ୍ୟୁଟର ଟ୍ରାଂଜିଟ୍ ପ୍ରଣାଳୀ ।

‘ନମୋ ଭାରତ’ ଟ୍ରେନର ସ୍ୱତନ୍ତ୍ରତା

-ଏକ ଘଂଟାରୁ କମ୍ ସମୟ ଭିତରେ ୮୨ କିଲୋମିଟର ଯାତ୍ରା ଶେଷ କରିବ ନମୋ ଭାରତ ଟ୍ରେନ୍
-ଏହି ଟ୍ରେନ୍ ୬୦ ମିନିଟ୍ରେ ୧୦୦ କିଲୋମିଟର ଓ ତାଠାରୁ ଅଧିକ ଯାତ୍ରା କରିବାକୁ ମଧ୍ୟ ସକ୍ଷମ ।
-ଏହା ସେମି-ହାଇସ୍ପିଡ୍ ଓ ହାଇ ଫ୍ରିକ୍ୱେନ୍ସି ଯୁକ୍ତ ଏକ କମ୍ୟୁଟର ଟ୍ରାଂଜିଟ୍ ପ୍ରଣାଳୀ, ଯାହାର ଘଂଟାପ୍ରତି ସର୍ବାଧିକ ବେଗ ୧୬୦ କିଲୋମିଟର
-ଆବଶ୍ୟକତା ସ୍ଥଳେ ଏହାର ଗତିକୁ ଘଂଟାପ୍ରତି ୧୮୦କିଲୋମିଟରକୁ ମଧ୍ୟ ବୃଦ୍ଧି କରାଯାଇପାରିବ
-ଆର୍ଟିଫିସିଆଲ ଇଂଟେଲିଜେନ୍ସ ଦ୍ୱାରା କରାଯାଇଛି ଏହାର ସୁରକ୍ଷା ବ୍ୟବସ୍ଥା
-ଟ୍ରେନ ଚଳାଚଳ ସମୟରେ ମାନବକୃତ ତ୍ରୁଟି ପରିଲିକ୍ଷିତ ହେଲେ ସହଜରେ ଏହାର ସମାଧାନ କରିବ ‘ଏଆଇ’
-‘ନମୋ ଭାରତ’ ଟ୍ରେନରେ ଯାତାୟତ ସୁଗମ ହେବର ସହିତ ଟିକେଟର ଦାମ ମଧ୍ୟ ସୁଳଭ ରହିବ
-ଜେନେରାଲ କୋଚ ପାଇଁ ଟିକେଟର ଦାମ ୨୦ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ପ୍ରିମିୟମ କୋଚରେ ଯାତ୍ରା ପାଇଁ ଟିକେଟ ମୂଲ୍ୟ ରହିବ ୧୦୦ଟଙ୍କା

ପ୍ରଥମ ପର୍ଯ୍ୟାୟରେ ଉତରପ୍ରଦେଶରେ ଏହି ନୂତନ ରେଳସେବା ଆରମ୍ଭ ହୋଇଥିବାବେଳେ ଆଗାମୀ ଦିନରେ ସାରା ଦେଶରେ ଗଡିବ ର୍ୟାପିଡ୍ଏକ୍ସ । ଏହାଦ୍ୱାରା ଦେଶରେ ସୁରକ୍ଷିତ, ବିଶ୍ୱସନୀୟ ଏବଂ ଆନ୍ତସହର ପରିବହନ ସୁବିଧା ସାଙ୍ଗକୁ ଗୋଟିଏ ସ୍ଥାନରେ ହିଁ ଯାତ୍ରୀଙ୍କ ପାଇଁ ରେଳ ଷ୍ଟେସନ, ମେଟ୍ରୋ ଷ୍ଟେସନ ଓ ବସ ସେବାର ସୁବିଧା ଉପଲବ୍ଧ ହେବ ।