ବିଜେପି-ବିଜେଡି ମେଣ୍ଟ ନେଇ ଦ୍ୱନ୍ଦ୍ୱ ଜାରି । ଏବେ ବି ସ୍ପଷ୍ଟ ହୋଇନି ଚିତ୍ର । ଆଜି ମେଣ୍ଟ ନେଇ ହୋଇପାରେ ଘୋଷଣା

153

କନକ ବ୍ୟୁରୋ: ବିଜେପି-ବିଜେଡି ମେଣ୍ଟ ନେଇ ଦ୍ୱନ୍ଦ୍ୱ ଜାରି । ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହାଙ୍କ ରୁଦ୍ଧଦ୍ୱାର ବୈଠକ ପରେ ବି ସ୍ପଷ୍ଟ ହୋଇନି ଚିତ୍ର, ଦଳୀୟ ନେତାଙ୍କୁ ଦିଲ୍ଲୀ ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଆଜି ନବୀନ ନିବାସରେ ବସୁଛି ବିଜେଡିର ବଡ଼ ବୈଠକ । ମେଣ୍ଟ ନେଇ ନୂଆଦିଲ୍ଲୀରେ ତୁହାକୁ ତୁହା ବୈଠକ ବସୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଉପରେ କୌଣସି ଚୂଡାନ୍ତ ନିଷ୍ପତି ଆସିପାରୁନାହିଁ । ଦୁଇ ଦଳ ମଧ୍ୟରେ ଆସନ ଭାଗବଣ୍ଟାରେ କିଛିଟା ସମସ୍ୟା କାରଣରୁ ମେଣ୍ଟ ବିଳମ୍ବ ହେଉଛି ।

ବୁଧବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସଂଗଠନ ସମ୍ପାଦକ ମାନସ ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନିର୍ବାଚନ ପ୍ରଭାରୀ ବିଜୟପାଲ ସିହ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ଏହି ବୈଠକରେ ମେଣ୍ଟ ନେଇ କଣ ନିଷ୍ପତି ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏନଡିଏ ସହଯୋଗୀ ଦଳମାନେ ଦିଲ୍ଲୀରେ ଏକାଠି ହେଉଥିବା ବେଳେ ଆଜି ହିଁ ମେଣ୍ଟ ନେଇ ବିଜେପିର ଶୀର୍ଷ ନେତୃତ୍ୱ ବଡ଼ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏପଟେ ନବୀନ ନିବାସରେ ଆଜି ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଥିବା ବେଳେ ବରିଷ୍ଠ ନେତା ମାନଙ୍କ ସହ ଜିଲ୍ଲା ପର୍ଯ୍ୟବେକ୍ଷକ ମାନେ ମଧ୍ୟ ସାମିଲ ହେବେ ବୋଲି ସୂଚନା ମିଳିଛି । ଦଳୀୟ ନେତୃବୃନ୍ଦଙ୍କ ସହ ମେଣ୍ଟ ନେଇ ଆଲୋଚନା କରାଯିବା ସହ ଆସନ ଭାଗବଣ୍ଟା ନେଇ ସୂଚନା ଦିଆଯାଇପାରେ । ତେବେ ମେଣ୍ଟ ଘୋଷଣାରେ ବିଳମ୍ବ ହେଉଥିବା ବେଳେ ତୃଣମୂଳ ସ୍ତରରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି । ଟିକେଟ ଆଶାୟୀଙ୍କ ଠାରୁ ଆରମ୍ଭ କରି ଦଳୀୟ କର୍ମୀ ମାନେ ବିଗିଡିବା ଆରମ୍ଭ କଲେଣି । ମେଣ୍ଟ ବିଳମ୍ବ ହେଲେ ନିର୍ବାଚନ ଉପରେ ମଧ୍ୟ ଏହାର ଭୀଷଣ ପ୍ରଭାବ ପଡିବ ବୋଲି ରାଜନୈତିକ ସମୀକ୍ଷକ ମାନେ କହିଛନ୍ତି ।