ଖୁବଶୀଘ୍ର ଟେଷ୍ଟ କ୍ରିକେଟରେ ତେଜ ଦେଖାଇବେ ସୂର୍ଯ୍ୟ । ବିସ୍ଫୋରକ ଶତକ ପରେ ସଂକେତ ଦେଲେ ଟି-୨୦ର ଏକ ନମ୍ବର ବ୍ୟାଟର ।

621

କନକ ବ୍ୟୁରୋ : ଧଳା ବଲରେ ବିସ୍ଫୋରକ ବ୍ୟାଟିଂ ପରେ ଏବେ ଲାଲ ବଲ ମ୍ୟାଚରେ ବି ଗର୍ଜିବ ବ୍ୟାଟ । ଟି-୨୦ରେ ବିସ୍ଫୋରକ ବ୍ୟାଟିିଂ କରିବା ସହ ଏକ ନମ୍ବର ବ୍ୟାଟର ସାଜିଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଖୁବଶୀଘ୍ର ଟିମ୍ ଇଣ୍ଡିଆର ଧଳା ଜର୍ସିରେ ଦେଖିବାକୁ ମିଳିବ । ଟି-୨୦ ଓ ଦିନିକିଆରେ ସୂର୍ଯ୍ୟ ଯେଉଁଭଳି ପ୍ରଦର୍ଶନ କରୁଛନ୍ତି ତାହା ସଂକେତ ଦେଉଛି ଯେ ଖୁବଶୀଘ୍ର ଟିମ୍ ଇଣ୍ଡିଆର ଟେଷ୍ଟ ଟିମରୁ ଡାକରା ଆସିପାରେ । ତେବେ ଟେଷ୍ଟ ଟିମରେ ସାମିଲ ହେବା ନେଇ ସୂର୍ଯ୍ୟ କହିଛନ୍ତି. ଖୁବଶୀଘ୍ର ଆସୁଛି, ଟେଷ୍ଟ ଟିମରେ ଖୁବଶୀଘ୍ର ଆସୁଛି ।

ଟି-୨୦ କ୍ରିକେଟରେ ବିଶ୍ୱର ଏକ ନମ୍ବର ବ୍ୟାଟର ସୂର୍ଯ୍ୟ କୁମାର ଯାଦବ ଏହା ପୂର୍ବରୁ ମୁମ୍ବାଇ ପକ୍ଷରୁ ପ୍ରଥମଶ୍ରେଣୀ କ୍ରିକେଟ ମଧ୍ୟ ଖେଳିଛନ୍ତି । ଏପରିକି ଗତ କିଛି ବର୍ଷ ହେବ ମୁମ୍ବାଇ ପକ୍ଷରୁ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ ସୂର୍ଯ୍ୟକୁମାର । ଏନେଇ ସେ କହିଛନ୍ତି, ଯେବେ ଆମେ ପ୍ରଥମେ କ୍ରିକେଟ ଖେଳିବା ଆରମ୍ଭ କରିଥିଲୁ ସେତେବେଳେ ଲାଲ ବଲରେ ଖେଳିଥିଲୁ ଏବଂ ଏବେ ମଧ୍ୟ ମୁମ୍ବାଇ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳୁଛି । ଟେଷ୍ଟ ଫର୍ମାଟ ବାବଦରେ ଭଲ ଭାବେ ଜାଣିଛି, ଏପରିକି ଲମ୍ବା ଫର୍ମାଟରେ ଖେଳିବାର ଆନନ୍ଦ ମଧ୍ୟ ଉଠାଇଛି । ଆଶା ଅଛି ଖୁବଶୀଘ୍ର ମୋତେ ଟେଷ୍ଟ ଟିମରେ ସ୍ଥାନ ମିଳିବ ଓ ଭାରତ ପାଇଁ ଭଲ ପ୍ରଦର୍ଶନ କରିପାରିବି । ତେବେ କିଛି ବର୍ଷ ପୂର୍ବେ ତାଙ୍କୁ ଦଳରେ ସ୍ଥାନ ମିଳୁ ନଥିବାରୁ ନିରାଶ ଥିଲେ ବୋଲି ମଧ୍ୟ କହିଛନ୍ତି ସୂର୍ଯ୍ୟ ।

କେବଳ ଏତିକି ନୁହେଁ ସୂର୍ଯ୍ୟ କହିଛନ୍ତି, ମୁଁ ବେଳେବେଳେ ମୋର ଅତୀତକୁ ମନେ ପକାଏ । ଯେତେବେଳେ ମୁଁ ଘରେ ଥାଏ କିମ୍ବା ପତ୍ନୀଙ୍କ ସହ କେଉଁଠିକୁ ଯାତ୍ରା କରୁଥାଏ ସେତେବେଳେ ୨ରୁ ୩ ବର୍ଷ ତଳେ ସ୍ଥିତି କଣ ଥିଲା ସେ ବାବଦରେ କଥା ହେଇଥାଉ । ଆଜିର ସ୍ଥିତି କଣ ଅଛି । ଅତୀତ ଓ ବର୍ତ୍ତମାନ ମଧ୍ୟରେ କଣ ଫରକ ଆସିଛି ତାହାକୁ ପରଖି ଥାଉ । କିଭଳି ମୋ ଜୀବନରେ ନୂଆ ମୋଡ ଆସିଛି ସେ ବାବଦରେ ଅନେକ ସମୟରେ ଆଲୋଚନା କରିଥାଉ । ୩ ବର୍ଷ ତଳେ ଦଳରେ ସାମିଲ କରା ନଯିବାକୁ ନେଇ ନିରାଶ ଥିଲି । କିନ୍ତୁ ଆମ ଯେତେବେଳେ କିଛି ଭଲ ହେଉଛି ସେ ଦିଗରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ସୂର୍ଯ୍ୟ । କିଭଳି ଭଲ କ୍ରିକେଟର ହେବି ଓ ଟିମ୍ ପାଇଁ ସ୍କୋର କରିବି ତାହା ଉପରେ ମୁଁ ପ୍ରାଥମିକତା ଦେଉଛି । ନିଜର ଦୈନନ୍ଦିନ ଜୀବନକୁ ସୁବ୍ୟବସ୍ଥିତ କରିବା ଦ୍ୱାରା ମୋର ପ୍ରଦର୍ଶନରେ ମଧ୍ୟ ଯଥେଷ୍ଟ ଉନ୍ନତି ପରିଲିଖିତ ହୋଇଛି ବୋଲି ସୂର୍ଯ୍ୟ କହିଛନ୍ତି । ଯାହାର ଝଲକ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ମଧ୍ୟ ଦେଖିବାକୁ ମିଳିଥିଲା ।

ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ ସୂର୍ଯ୍ୟଙ୍କ ବିସ୍ଫୋରକ ଶତକ ବିଶ୍ୱ କ୍ରିକେଟପ୍ରେମୀଙ୍କ ମନ ଜିଣିଛି । ମାତ୍ର ୫୧ ବଲରୁ ୧୧୧ ରନର ଅପରାଜିତ ଇନିଂସ ଖେଳି ସନ୍ଧ୍ୟାରେ ସୂର୍ଯ୍ୟ ନିଜର ତେଜ ଦେଖାଇଥିଲେ । ଆଉ ଏହି ଅପରାଜିତ ଇନିଂସରେ ଥିଲା ୧୧ ଚୌକା ଓ ୭ ବିଶାଳ ଛକା । କେବଳ ଏତିକି ନୁହେଁ ଏହି ଶତକୀୟ ଇନିଂସ ସହ ଟି-୨୦ରେ ଏକ ନମ୍ବର ବ୍ୟାଟର ଗାଦିକୁ ଆହୁରି ସୁରକ୍ଷିତ କରିପାରିଛନ୍ତି ସୂର୍ଯ୍ୟ । ଅନେକ କ୍ରିକେଟପ୍ରେମୀ ଚାହୁଁଛନ୍ତି ସୂର୍ଯ୍ୟଙ୍କୁ ଖୁବଶୀଘ୍ର ଟିମ୍ ଇଣ୍ଡିଆର ଟେଷ୍ଟ ଟିମର ଟିକେଟ ମିଳୁ ।