ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଦୀର୍ଘଦିନ ଧରି ଚାଲିଥିବା ୩ଟି ବଡ ମାମଲା ବନ୍ଦ

315

କନକ ବ୍ୟୁରୋ : ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ତିନୋଟି ବଡ ମାମଲାର ଶୁଣାଣି ବନ୍ଦ କରିଦେଇଛନ୍ତି । ସୁପ୍ରିମକୋର୍ଟର ଭିନ୍ନ ଭିନ୍ନ ବେଞ୍ଚରେ ଚାଲିଥିବା ଏହି ୩ ଟି ମାମଲାର ଶୁଣାଣି ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ମାମଲା ମଧ୍ୟରେ ରହିଛି ୨୦୦୨ ଗୁଜରାଟ ଦଙ୍ଗା ମାମଲା, ୨୦୦୯ ରେ ଓକିଲ ପ୍ରଶାନ୍ତ ଭୂଷଣଙ୍କ ନାମରେ ଅବମାନନା ମାମଲା ଓ ବାବ୍ରୀ ମସଜିଦ୍ ଭଙ୍ଗା ମାମଲା ।

ଗୁଜରାଟ ଦଙ୍ଗା ମାମଲା : ସୁପ୍ରିମକୋର୍ଟ ତରଫରୁ ୨୦୦୨ ରେ ହୋଇଥିବା ଗୁଜରାଟ ଦଙ୍ଗା ସହିତ ଜଡିତ ସମସ୍ତ ମାମଲା ବନ୍ଦ କରିଦେଇଛନ୍ତି । କୋର୍ଟ କହିଛନ୍ତି କି ଏହି ସଂକ୍ରାନ୍ତରେ କୋର୍ଟକୁ ଆସିଥିବା ୯ ଟି ମାମଲାରୁ ୮ ଟି ମାମଲାର ରାୟ ଶୁଣାଯାଇ ସାରିଛି । ଏହାସହ ନରୋଦା ଗ୍ରାମ ମାମଲାର ଟ୍ରାଏଲ ଶେଷ ପର୍ଯ୍ୟାୟରେ ପହଂଚିଛି । ଏହି ମାମଲାରେ ଆଇନ ମୁତାବକ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୋର୍ଟ କହିଛନ୍ତି ।

ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅବମାନନା ମାମଲା : ସୁପ୍ରିମକୋର୍ଟ ୨୦୦୯ ରେ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ହୋଇଥିବା ଅବମାନନା ମାମଲା ବି ବନ୍ଦ କରିଦେଇଛନ୍ତି । ୨୦୦୯ ରେ ତେହଲକା ପତ୍ରିକାକୁ ପ୍ରଶାନ୍ତ ଭୂଷଣ ଏକ ସାକ୍ଷାତକାର ଦେଇଥିଲେ । ଏହାପରେ ତାଙ୍କ ନାମରେ ଅବମାନନା ମାମଲା ରୁଜୁ ହୋଇଥିଲା । ଏହି ସାକ୍ଷାତକାରରେ ପ୍ରଶାନ୍ତ ଭୂଷଣ କରିଥିଲେ କି ଭାରତୀୟ ସୁପ୍ରିମକୋର୍ଟରେ ୧୬ ଜଣ ମୂଖ୍ୟ ବିଚାରପତି ଦୁର୍ନୀତିଖୋର । ଜଷ୍ଟିସ ଇନ୍ଦୀରା ବାନାର୍ଜୀ, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଏମ ଏମ ସୁନ୍ଦରେଶଙ୍କ ଖଣ୍ଡପୀଠରେ ବରିଷ୍ଠ ଓକିଲ କପିଲ ଶିବଲଙ୍କ ଦ୍ୱାରା ପ୍ରଶାନ୍ତ ଭୂଷଣ ଓ ତରୁଣ ତେଜପାଲ କ୍ଷମା ମାଗିଥିବା ସୂଚନା ଦିଆଯିବା ପରେ ଏହି ମାମଲାକୁ ବନ୍ଦ କରାଯାଇଛି ।

ବାବରୀ ମସଜିଦ ଭଙ୍ଗା ମାମଲା : ବାବରୀ ମସଜିଦ ଭଙ୍ଗାଯିବା ନେଇ ହୋଇଥିବା ଅବମାନନା ମାମଲାର ଶୁଣାଣି ବନ୍ଦ କରିଦେଇଛନ୍ତି । କୋର୍ଟ କହିଛନ୍ତି କି , ଅବମାନନା ମାମଲାକୁ ପ୍ରଥମରୁ ସୂଚୀବଦ୍ଧ କରିବାର ଆବଶ୍ୟକତା ଥିଲା । କୋର୍ଟ କହିଛନ୍ତି କି ସୁପ୍ରିମକୋର୍ଟ ତରଫରୁ ୨୦୧୯ ସେପ୍ଟେମ୍ବର ୯ ତାରିଖର ନିଷ୍ପତ୍ତି ପରେ ଏହି ଆବେଦନ ଗ୍ରହଣ ଯୋଗ୍ୟ ନୁହେଁ । ଏହି କାରଣରୁ ବାବରୀ ମସଜିଦ ଭଙ୍ଗା ନେଇ ହୋଇଥିବା ସମସ୍ତ ମାମଲାର ଶୁଣାଣି ବନ୍ଦ କରାଯାଇଛି ।