ସୁପ୍ରିମକୋର୍ଟରେ ଖାରଜ ହେଲା ଶ୍ରୀମନ୍ଦିର ମାମଲା: ଉଚ୍ଛେଦ କାମ ବନ୍ଦ କରିବା ପାଇଁ ହୋଇଥିଲା ୨ଟି ଆବେଦନ

ଆଡଭୋକେଟ ଜେନେରାଲଙ୍କ ଯୁକ୍ତି, କମିସନ ସୁପାରିସ ଅନୁସାରେ ଚାଲିଛି କାମ; ଯୁକ୍ତିକୁ ଗ୍ରହଣ କରି ମାମଲା ଖାରଜ କଲେ ସର୍ବୋଚ୍ଚ ଅଦାଲତ

614

କନକ ବ୍ୟୁରୋ: ସୁପ୍ରିମକୋର୍ଟରେ ଖାରଜ ହେଲା ଶ୍ରୀମନ୍ଦିର ମାମଲା ।  ଶ୍ରୀମନ୍ଦିର ଚାରିକଡ଼ରେ ଉଚ୍ଛେଦ କାମ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ୨ଟି ଆବେଦନ ହୋଇଥିଲା । ଦିଲ୍ଲୀ ଏବଂ ଚେନ୍ନାଇର ୨ଟି ସଂସ୍ଥା ଆବେଦନ କରିଥିଲେ । ସୁପ୍ରିମକୋର୍ଟରେ ଆଜି ଏହି ମାମଲାକୁ ଖାରଜ କରି ଉଚ୍ଚେଦ କାମ ଜାରି ରହିବ ବୋଲି କହିଛନ୍ତି । ଏନେଇ ଆଡଭୋକେଟ ଜେନେରାଲଙ୍କ ଯୁକ୍ତି କରିଥିଲେ ଯେ ବିପି ଦାସ କମିସନ ସୁପାରିସ ଅନୁସାରେ  କାମ ଚାଲିଛି ।

ଏବଂ ସବୁ ଉଚ୍ଛେଦ କାମ ଆଇନ ଅନୁସାରେ କରାଯାଉଛି । ଏବଂ ଉଚ୍ଛେଦ ହେଉଥିବା ଅନୁଷ୍ଠାନ କିମ୍ବା ବ୍ୟକ୍ତିବିଶେଷଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବ ।  ଆଡଭୋକେଟ ଜେନେରାଲଙ୍କ ଯୁକ୍ତିକୁ ଗ୍ରହଣ କରି ସର୍ବୋଚ୍ଚ ଅଦାଲତ ୨ଟି ମାମଲା ଖାରଜ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତି ପରେ ଉଚ୍ଛେଦ କାମ  ଜାରି ରହିବ । ସେପଟେମ୍ବର ୧୭ରେ ହେବ ପରବର୍ତ୍ତୀ ଶୁଣାଣୀ ।

ସେପଟେ, ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ଚାଲିଛି । ଆଜି ଶ୍ରୀମନ୍ଦିର ଉତରପାଶ୍ୱର୍ରେ ଥିବା ଲଙ୍ଗୁଳି ମଠର ଉଛେଦ କରାଯାଉଛି । ମଠ ସହ ମଠରୁ ଭଡାରେ ନେଇଥିବା ୨୬ଟି ଦୋକାନ ଘର ଭଂଗାଯାଇଛି । ଏକାଧିକ ମାଜିଷ୍ଟ୍ରେଟ୍, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଏସପି, ଡିଏସପିଙ୍କ ଉପସ୍ଥିତିରେ ଚାଲିଛି ଉଛେଦ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ୧୦ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ମେଘନାଦ ପାଚେରୀ ଠାରୁ ଲଙ୍ଗୁଳି ମଠର ଦୂରତା ମାତ୍ର ୩୦ ମିଟର । ପୂର୍ବରୁ ଜିଲ୍ଲାପ୍ରଶାସନ ଏହି ପ୍ରାଚୀନ ମଠର କୋଠାକୁ ବିପଦସଂକୁଳ ଘୋଷଣା କରିଥିଲେ ।

ମଠର ଅନ୍ତେବାସୀମାନଙ୍କୁ ବିକଳ୍ପ ଆବାସ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ଆଜି ସକାଳୁ ପ୍ରଶାସନ ଉଚ୍ଛେଦ ଅଭିଯାନ ଆରମ୍ଭ କରି ମଠ ଓ ତତ୍ସଂଲଗ୍ନ ଦୋକାନ ଘରଗୁଡିକ ଭାଙ୍ଗିଛି । ଜିଲ୍ଳା ପୋଲିସର ନିର୍ଦ୍ଦେଶ କ୍ରମେ ଗତକାଲିଠୁ ଦୋକାନୀମାନେ ନିଜ ନିଜ ଜିନିଷ ପତ୍ର ନେଇଯିବା ସହ ଘର ଖାଲି କରି ଦେଇଥିଲେ । ଲଙ୍ଗୁଳି ମଠର ଉଚ୍ଛେଦ ପରେ ଏମାର ମଠର ପାଳି ପଡିବ । ତାପରେ ପର୍ଯ୍ୟାୟ କ୍ରମେ ମନ୍ଦିର ଚାରିପଟରୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ କରାଯିବ । ଶ୍ରୀମନ୍ଦିରକୁ ବିଶ୍ୱସ୍ତରୀୟ କରିବା ଓ ସୁରକ୍ଷା ଦୃଷ୍ଟିରୁ ଏହି ଉଚ୍ଛେଦ କରାଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି ।