ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ବଢୁଛି ସମର୍ଥନ । ଦେଖନ୍ତୁ, କାହା ସପକ୍ଷରେ ରହିଛି କେତେ ଭୋଟ୍…

425

କନକ ବ୍ୟୁରୋ: ଏନଡିର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ବଢିବାରେ ଲାଗିଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର, ଟିଏମସି ମୁଖିଆ ମମତା ବାନାର୍ଜୀଙ୍କୁ ସମର୍ଥନ ଲୋଡିଛନ୍ତି ଦ୍ରୌପଦୀ ମୁର୍ମୁ । ଏବେ ସଂଖ୍ୟା ଗଣିତରେ ବିରୋଧୀ ଦଳଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ଠାରୁ ଢେର ଆଗରେ ଅଛନ୍ତି ଦ୍ରୌପଦୀ । ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଲେଖିଛନ୍ତି ଓଡିଶାର ସମସ୍ତ ଭୋଟ କିପରି ଦ୍ରୌପଦୀ ମୁର୍ମୁଙ୍କୁ ଯିବ ସେନେଇ ଉଦ୍ୟମ କରିବେ ।

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପଲ୍ଲା ଭାରି ହେଉଛି । ତାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ବଢ଼ି ବଢ଼ି ଚାଲିଛି । ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ । ନିଜ ସପକ୍ଷରେ ଭୋଟ ଅପିଲ୍ କରିବାକୁ ରାଜ୍ୟଗୁଡିକୁ ଗସ୍ତ କରିବେ ଦ୍ରୌପଦୀ । ବିରୋଧୀ ଦଳ ନେତାଙ୍କୁ ମଧ୍ୟ ତାଙ୍କ ସପକ୍ଷରେ ଭୋଟ ଦେବାକୁ ଅପିଲ୍ କରୁଛନ୍ତି । କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ କଥା ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ନଜର ପକାଇବା ଦ୍ରୌପଦୀଙ୍କ ସପକ୍ଷରେ ଏବେ କେତେ ସମର୍ଥନ କରିଛି ।

ଏନଡିଏ ନିକଟରେ ୪୮.୬୭ ପ୍ରତିଶତ ଭୋଟ ରହିଛି । ୱାଇଏସଆର କଂଗ୍ରେସ, ବିଜେଡି, ବିଏସପି, ଶିରୋମଣୀ ଅକାଳୀ ଦଳ ସମର୍ଥନ ଘୋଷଣା କରିଛନ୍ତି । ଏପର୍ଯ୍ୟନ୍ତ ଯେଉଁ ଦଳଗୁଡିକ ସମର୍ଥନ ଘୋଷଣା କରିଛନ୍ତି ସେମାନଙ୍କ ଭୋଟ ପରିମାଣ ୮.୧୫ ପ୍ରତିଶତ । ଅର୍ଥାତ୍ ଦ୍ରୌପଦୀଙ୍କ ସପକ୍ଷରେ ଏବେ ରହିଛି ୫୬.୮୨ ପ୍ରତିଶତ ଭୋଟ ।

ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଭୋଟ – ୫୬.୮୨ ପ୍ରତିଶତ

  • ଏନଡିଏ – ୪୮.୬୭ ପ୍ରତିଶତ
  • ୱାଇଏସ୍ଆର୍ କଂଗ୍ରେସ – ୪.୨୨ ପ୍ରତିଶତ
  • ବିଜେଡି – ୨.୯୪ ପ୍ରତିଶତ
  • ବିଏସପି – ୦.୭୮ ପ୍ରତିଶତ
  • ଅକାଳୀ – ୦.୧୬ ପ୍ରତିଶତ
  • ଜେସିିସି/ଏମ୍ଏନସି – ୦.୦୫ ପ୍ରତିଶତ

ସଂଖ୍ୟା ଦୃଷ୍ଟିରୁ ପ୍ରତିଦ୍ୱନ୍ଦୀ ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ଠାରୁ ବେଶ ଆଗରେ ରହିଛନ୍ତି ଦ୍ରୌପଦୀ ମୁର୍ମୁ । ଏପଟେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନକୁ ନେଇ ୟୁ-ଟର୍ଣ୍ଣ ନେଇଛନ୍ତି କଂଗ୍ରେସ ନେତା ସୁର ରାଉତରାୟ । ସେ କହିଛନ୍ତି, ତାଙ୍କ ଉପରେ ଚାପ ପଡ଼ୁଛି । ଦ୍ରୌପଦୀଙ୍କ ସମର୍ଥନ ପାଇଁ ଆଉ ସୋନିଆ ଗାନ୍ଧୀଙ୍କୁ ସେ ଚିଠି ଲେଖିବେ ନାହିଁ । ଦଳର ନିର୍ଦ୍ଦେଶ ମାନି ଯଶବନ୍ତ ସିହ୍ନାଙ୍କୁ ଭୋଟ ଦେବେ ବୋଲି କହିଛନ୍ତି ସୁର ରାଉତରାୟ । ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଏହା ମାଟିର ଲଢ଼େଇ ନୁହେଁ ପାର୍ଟିର ଲଢ଼େଇ ।

ଅନ୍ୟପଟେ ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଏହା ଓଡ଼ିଶା ପାଇଁ ଗୌରବର ସମୟ । ନବୀନଙ୍କ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ଓଡ଼ିଶାର ପ୍ରତ୍ୟେକ ଭୋଟ ତାଙ୍କ ସପକ୍ଷରେ ଯିବା ପାଇଁ ସେ ଉଦ୍ୟମ କରିବେ ।