ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ବଡ ଖୁଲାସା । କହିଲେ, ମୁଁ ସତ୍ୟନ୍ଦ୍ର ଜୈନିଙ୍କୁ ୧୦ କୋଟି ଟଙ୍କା ଦେଇଛି

207

କନକ ବ୍ୟୁରୋ : ଅର୍ଥ ହେରଫେର ମାମଲାରେ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ବୟାନ ଏବେ ଦିଲ୍ଲୀ ସରକାରଙ୍କୁ ଅଡୁଆରେ ପକାଇଛି । ସୁକେଶ ଦିଲ୍ଲୀ ଉପ ରାଜ୍ୟପାଳଙ୍କୁ ଚିଠିଲେଖି ଅଭିଯୋଗ କରିଛନ୍ତି କି ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ସତ୍ୟନ୍ଦ୍ର ଜୈନଙ୍କୁ ସେ ୧୦ କୋଟି ଟଙ୍କା ଦେଇଛନ୍ତି । କେବଳ ସେତିକି ନୁହେଁ ଏହି ଚିଠିରେ ସେ ତିହାର ଜେଲର ଡିଜିଙ୍କୁ ବି ଟଙ୍କା ଦେଇଥିବା କଥା ଉଲ୍ଲେଖ କରିଛନ୍ତି ।

ଦିଲ୍ଲୀ ଉପ ରାଜ୍ୟପାଳଙ୍କୁ ସୁକେଶ ଯେଉଁ ଚିଠି ଲେଖିଛନ୍ତି ସେଥିରେ ଦାବି କରାଯାଇଛି କି ସେ ୨୦୧୫ ମସିହାରୁ ସତ୍ୟନ୍ଦ୍ର ଜୈନଙ୍କୁ ଜାଣିଛନ୍ତି । ଏହାହସ ସେ ଆମ୍ ଆଦମୀ ପାର୍ଟିକୁ ଚାନ୍ଦା ଆକାରରେ ମୋଟ ୫୦ କୋଟି ଟଙ୍କା ଦେଇଛନ୍ତି । ଏହା ବଦଳରେ ଆମ୍ ଆଦମୀ ପାର୍ଟି ତାଙ୍କୁ ଦକ୍ଷିଣ ଭାରତରେ ପାର୍ଟିର ମୁଖ୍ୟପଦ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ଏହାସହ ସୁକେଶଙ୍କୁ ଆମ୍ ଆଦମୀ ପାର୍ଟି ରାଜ୍ୟସଭାକୁ ସାଂସଦ କରି ପଠାଇବାକୁ ବି ଦଳ ପ୍ରତିଶ୍ରୁତି ଦେଇଥିବା କଥା ସୁକେଶ ଦାବି କରିଛନ୍ତି ।

ସୁକେଶ ଲେଖିଛନ୍ତି ଯେ ୨୦୧୭ ମସିହାରେ ଏକ ଘଟଣାରେ ସେ ଜେଲରେ ଥିବା ବେଳେ ସେତେବେଳର ଜେଲମନ୍ତ୍ରୀ ସତ୍ୟନ୍ଦ୍ର ଜୈନ ତାଙ୍କୁ ଜେଲ ଭିତରେ ବାରମ୍ବାର ଭେଟିଥିଲେ । ଏହାସହ ମୁଁ ତାଙ୍କୁ ଦେଇଥିବା ଟଙ୍କା ବାବଦରେ ଯାଂଚ ଏଜେନ୍ସିକୁ ନକହିବାକୁ ବାରମ୍ବାର ତାଗିଦ କରିଥିଲେ ।

କେବଳ ସେତିକି ନୁହେଁ ସୁକେଶ ତିହାର ଜେଲରେ ଥିବା ବେଳେ ଜେଲ ଡିଜି ସନ୍ଦୀପ ଗୋଏଲଙ୍କୁ ବି ଟଙ୍କା ଦେଇଥିବା କଥା ଚିଠିରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି କି ଜେଲ ଡିଜି ତାଙ୍କଠାରୁ ୧୨.୫୦ କୋଟି ଟଙ୍କା ନେଇଛନ୍ତି ।