ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ପାଇଁ ଭୂମିପୂଜା ଅନୁଷ୍ଠିତ । ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଚାଲିବ ମେଗା ଇଭେଣ୍ଟ ।

262

କନକ ବ୍ୟୁରୋ: ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଜନତା ମଇଦାନଠାରେ ଅନୁଷ୍ଠିତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨ ପାଇଁ ଭୂମିପୂଜା ସମାରୋହ ଅନୁଷ୍ଠିତ ହୋଇଛି । ଶିଳ୍ପ ସଂଘ ଫିକି ସହଯୋଗରେ ଆୟୋଜନ କରାଯାଉଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସରକାରୀ ଅଧିକାରୀ, ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ। ୨୦୧୬ ଓ ୨୦୧୮ରେ ପ୍ରଥମ ଦୁଇଟି ସଂସ୍କରଣକୁ ଆୟୋଜନ କରିବା ପରେ ଚଳିତ ବର୍ଷ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣକୁ ଆୟୋଜନ କରାଯାଉଛି । ମେକ୍ ଇନ୍ ଓଡ଼ିଶା ପାଇଁ ଜାପାନ, ଜର୍ମାନୀ, ନରୱେ ପାଟନରଶିପ କରିବାକୁ ସହମତି ପ୍ରକାଶ କରିଛନ୍ତି । ଆଉ ଅଧିକ ଦେଶ ବି ଭାଗନେବାକୁ ଓଡ଼ିଶା ଆସିବେ । ତେବେ ଆଜିଠୁ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ଶିଳ୍ପ ସଚିବ ।

ଆସନ୍ତା ଡିସେମ୍ବର ୧ ସକାଳେ ଆରମ୍ଭ ହେବ ପ୍ଲେନାରି ସେସନ୍ । ପରେ ଅପରାହ୍ନରେ ଆୟୋଜିତ ହେବ ବିଜିନେସ୍ ଲିଡର ଟକ୍ । ପେଟ୍ରୋ କେମିକାଲ୍ସ, କେମିକଲ୍ସ୍, ମେଟ୍ରୋଲୋଜି, ମେଟଲୋଜି, ସ୍କିଲ୍ ଡେଭଲପମେଣ୍ଟ, ଫର୍ଟିଲାଇଜର୍ସ, ଏଗ୍ରିକଲ୍ଚରରେ କିଭଳି ରାଜ୍ୟର ବିକାଶ ହୋଇପାରିବ ଓ ବଡ ବଡ ଇଣ୍ଡଷ୍ଟ୍ରୀ ମାନଙ୍କ ଭୂମିକା କଣ ରହିବ ସେ ନେଇ ଆଲୋଚନା ହେବ । ୨ ଓ ୩ ତାରିଖରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ତାଙ୍କର ଶିଳ୍ପ ଅଭିବୃଦ୍ଧି ପାଇଁ ନୂଆ ପଲିସି ଓ ନୂଆ ସଂସ୍କରଣ ରିଲିଜ୍ କରିବେ ।

ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି କରୁଥିବା ଶିଳ୍ପକୁ ଦିଆଯିବ ସବୁଠୁ ଅଧିକ ଗୁରୁତ୍ୱ । ରାଜ୍ୟରେ ଉପଲବ୍ଧ ଥିବା କଞ୍ଚାମାଲକୁ ବ୍ୟବହାର କରି ଶିଳ୍ପ ପ୍ରତିଷ୍ଠା କରିବାକୁ ଗୁରୁତ୍ୱ ଦିଆଯିବ । ଷ୍ଟିଲ, ଆଲୁମିନିୟମ ରାଜ୍ୟରେ ବହୁ ମାତ୍ରାରେ ମହଜୁଦ ଅଛି । ଏହାକୁ ବ୍ୟବହାର କରି କୌଣସି କମ୍ପାନୀ ଯଦି ଭାଲ୍ୟୁ ଆଡେଡ ପଦାର୍ଥ ପ୍ରସ୍ତୁତ କରିବେ ତାଙ୍କୁ ପ୍ରାଥମିକତା ଦିଆଯିବ । ବନ୍ଦର ପାଖରେ ଯଦି କୌଣସି କମ୍ପାନୀ ରପ୍ତାନି ୟୁନିଟ ଆରମ୍ଭ କରିବେ ତେବେ ସେହି ଶିଳ୍ପ କମ୍ପାନୀକୁ ଦିଆଯିବ ଅଗ୍ରାଧିକାର ।

ପଶ୍ଚିମ ଓଡ଼ିଶାରେ ଥିବା ବିଜୁ ଇକୋନମିକ୍ କରିଡ଼ରକୁ ଶିଳ୍ପ ଅଭିବୃଦ୍ଧି ପ୍ଲାନରେ ସାମିଲ କରାଯାଇଛି । ମକା, କପା, ଧାନ, ବାଦାମକୁ ନେଇ ନୂଆ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ଓ ରପ୍ତାନିକୁ ଦିଆଯିବ ଗୁରୁତ୍ୱ । ଏସବୁ କ୍ଷେତ୍ରରେ କ୍ୟାପିଟାଲ ଇନଭେଷ୍ଟମେଣ୍ଟ ସବସିଡି, ଇଲେକ୍ଟ୍ରିସିଟି ପାଇଁ କିଛି ପରିମାଣରେ ଛାଡ଼ ସହ ସୁଲଭ ମୂଲ୍ୟରେ ଜମି ଯୋଗାଇ ଦିଆଯିବ । ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ଯୋଗୁ ୨୩୦ ଟି କମ୍ପାନୀ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆପ୍ଲିକେସନ୍ ଦେଇଛନ୍ତି । କିଛି ନୂଆ ପୁଞ୍ଜି ନିବେଶକଙ୍କ ସହ ବଡ ବଡ ଇଣ୍ଡଷ୍ଟ୍ରି ଆସିବେ ।