ଶଙ୍ଖରୁ ତିଆରି ହେଉଛି ଶଙ୍ଖ ଓ ଶଙ୍ଖା । ଚେନ୍ନାଇରୁ ଆସୁଛି କଞ୍ଚାମାଲ । ବ୍ୟବସାୟ କରି ସଫଳ ବାଲେଶ୍ୱରର ରାକେଶ ନନ୍ଦୀ

102

କନକ ବ୍ୟୁରୋ: ଶଙ୍ଖରୁ ତିଆରି ହୁଏ ଶଙ୍ଖା, ଯାହାକି ପ୍ରତ୍ୟେକ ସଧବା ନାରୀର ପ୍ରତୀକ । ତେବେ ଏହି ଶଙ୍ଖା ତିଆରି କରିବା ପାଇଁ ଅନେକ ପରିଶ୍ରମ କରିବାକୁ ପଡ଼ିଥାଏ । ବାଲେଶ୍ୱରର ରାକେଶ ନନ୍ଦୀ ନାମକ ଜଣେ କାରିଗର ଏହି କାମକୁ ଅତି ନିଖୁଣ ଭାବେ କରୁଛନ୍ତି । ବ୍ୟବସାୟ କରି ନିଜର ପରିଚୟ ସୃଷ୍ଟି କରିଛନ୍ତି । ଏହି ବ୍ୟବସାୟ ଦ୍ୱାରା ସେ ୧୦୦ରୁ ଅଧିକ ଲୋକଙ୍କୁ ରୋଜଗାର ଦେଇଛନ୍ତି ।

ତେବେ ଶଙ୍ଖ ପ୍ରକୃତିର ଏକ ଅବଦାନ କହିଲେ ଚଳେ । ସମୁଦ୍ରର ଗଭୀର ସ୍ଥାନରୁ ଏହା ମିଳିଥାଏ । ସମୁଦ୍ର ଭିତରୁ ଏହାକୁ ଆଣିବା ପରେ ଏହାକୁ ନିର୍ଜୀବ କରାଯାଇ ପରିଷ୍କାର କରାଯାଏ । ସେଥିରୁ ତିଆରି ହୁଏ ବିଭିନ୍ନ ପ୍ରକାରର ଶଙ୍ଖ । ଯେମିତିକି ଦକ୍ଷିଣ ବର୍ତି ଶଙ୍ଖ, ପାଣି ଶଙ୍ଖ, ପଞ୍ଚ ନଖି ଶଙ୍ଖ ।

ପୂଜା ଓ ଶୁଭ କାମରେ ପ୍ରଥମେ ଶଙ୍ଖ ଦରକାର ପଡ଼ିଥାଏ । ଏହାକୁ ସହଜରେ କେହି ତିଆରି ପାରନ୍ତି ନାହିଁ । ବିଶେଷକରି ଶଙ୍ଖାରି ସମ୍ପ୍ରଦାୟର ଲୋକ ଏହି ବୃତ୍ତିକୁ ଆପଣାଇଥାଆନ୍ତି । ବାଲେଶ୍ୱରର ରାକେଶ ନନ୍ଦୀ ଓ ତାଙ୍କ ଭାଇ ନିଜର କୌଳିକ ବୃତ୍ତିକୁ ଆଗକୁ ନେଇଛନ୍ତି । ଶଙ୍ଖ ଓ ଶଙ୍ଖରେ ତିଆରି ଶଙ୍ଖା ରାଜ୍ୟ ତଥା ରାଜ୍ୟ ବାହାରକୁ ରପ୍ତାନୀ କରୁଛନ୍ତି । ଗୁଜୁରାଟ, ହରିଦ୍ୱାର, ନେପାଳ, ଆସାମ ଯାଉଛି ଶଙ୍ଖ ଓ ଶଙ୍ଖା । ପାଖାପାଖି ୪୦ ବର୍ଷରୁ ଅଧିକ ବର୍ଷ ହେଲା ଏହି ବ୍ୟବସାୟ କରୁଛନ୍ତି ।

ଚେନ୍ନାଇରୁ କଞ୍ଚାମାଲ ଆଣି ପୁରା ଫିନିସିଙ୍ଗ ପରେ ଏଥିରୁ ତିଆରି ହୁଏ ଶଙ୍ଖ ଓ ଶଙ୍ଖା । କଞ୍ଚାମାଲ ଆସିବା ପରେ ବାଜିବା ଶଙ୍ଖ ଓ ପୂଜା ଶଙ୍ଖ ବାଛି ଅଲଗା କରାଯାଏ । ଏହାପରେ ବଳକା ଶଙ୍ଖକୁ ଗୋଲ ଗୋଲ କରି କଟାଯାଇଥାଏ । ମେସିନରେ ବିଭିନ୍ନ ପ୍ରକାର ଡିଜାଇନ୍ କରାଯାଏ । ଏଥିପାଇଁ ସ୍ୱତନ୍ତ୍ର ମେସିନ୍ ମଧ୍ୟ ରହିଛି । ଶଙ୍ଖ ଓ ଶଙ୍ଖାର କିସମ ଅନୁସାରେ ଦାମ ମଧ୍ୟ ଅଲଗା ଅଲଗା ରହିଛି । ଶଙ୍ଖର ଦାମ୍ ୧୦୦ ଟଙ୍କାରୁ ଆରମ୍ଭ କରି ୨ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ସେହିପରି ଶଙ୍ଖାର ଦାମ ୧୦୦ ଟଙ୍କାରୁ ଆରମ୍ଭ କରି ୧୫ ଶହ ଟଙ୍କା ପର୍ଯ୍ୟନ୍ତ ରହିଛି । ଅନଲାଇନ୍ ଓ ଅଫଲାଇନ୍ରେ ଏହି ସବୁ ଜିନିଷ ବିକ୍ରି କରୁଛନ୍ତି ରାକେଶ ।

ପୂର୍ବରୁ ହାତରେ ତିଆରି କରିବାକୁ ପଡ଼ୁଥିଲା । ଏବେ ମେସିନ୍ ସାହାଯ୍ୟରେ କାମ ଜଲଦି ଆଉ ସୁନ୍ଦର ହୋଇପାରୁଛି । ଦିନକୁ ଦିନ ଶଙ୍ଖ ଓ ଶଙ୍ଖାର ଚାହିଦା ବଢୁଥିବାରୁ ରାକେଶ ମଧ୍ୟ ଭଲ ରୋଜଗାର କରିପାରୁଛନ୍ତି ।