ସୁନ୍ଦରଗଡ଼ର ସଫଳ ଚାଷୀ । ଆଇଟିଆଇ ପାସ୍ କରିବା ପରେ ଚାଷ କାମକୁ ଆପଣାଇ ହେଉଛନ୍ତି ଲାଭବାନ । ଚାକିରି ଅପେକ୍ଷା ମିଳୁଛି ଭଲ ରୋଜଗାର

117

କନକ ବ୍ୟୁରୋ: ଜଣେ ସଫଳ ଚାଷୀଙ୍କ କାହାଣୀ । ଆଇଟିଆଇ ପାଠ ପଢ଼ା ପରେ ଚାଷ କାମକୁ ଆପଣାଇ ସଫଳ ହୋଇଛନ୍ତି । ୮ ଏକର ଜମିରେ ବିଭିନ୍ନ ପ୍ରକାରର ଚାଷ କରୁଛନ୍ତି ସୁନ୍ଦରଗଡ ଟାଙ୍ଗରପାଲୀ ବ୍ଲକ ରତନପୁର ଗାଁର ହିରୋଦ ପଟେଲ । ହିରୋଦଙ୍କ ବୟସ ପାଖାପାଖି ୨୭ ବର୍ଷ ହେବ । ହେଲେ ଏହି ଚାଷ କାମରୁ ସେ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ମାଟ୍ରିକ୍ ପାସ୍ କରିବା ପରେ ଆଇଟିଆଇ ପାସ୍ କରିଛନ୍ତି ହିରୋଦ । ଚାକିରି ପାଇଁ ଚେଷ୍ଟା କରି ବିଫଳ ହେବା ପରେ ଚାଷ କରିବାକୁ ମନସ୍ତ କରିଥିଲେ । ୪ ବର୍ଷ ତଳେ ଆରମ୍ଭ ହୋଇଥିବା ପନିପରିବା ଚାଷ ଏବେ ତାଙ୍କୁ ଦେଇଛି ଆଶନୁରୂପକ ସଫଳତା ।

ରାଜ୍ୟର ବିଭିନ୍ନ ଅଞ୍ଚଳର ଚାଷୀଙ୍କ ଠାରୁ ଚାଷ କାମ ଶିଖିବା ପରେ ନିଜ ଜମିରେ ପାଚିଲା କଦଳୀ, କଞ୍ଚା କଦଳୀ, ଧାନ, ମାଛ, ଆମ୍ବ, ପିଜୁଳି, ବରକୋଳି ସହ ବିଭିନ୍ନ ପ୍ରକାରର ପନିପରିବା ଚାଷ କରିଛନ୍ତି । ଏବେ କଦଳୀରୁ ୮ ଲକ୍ଷ ଟଙ୍କା ରୋଜଗାର ହେଉଥିବା ବେଳେ ମାଛରୁ ରୋଜଗାର ହେଉଛି ୫ଲକ୍ଷ । ବାର୍ଷିକ ପାଖାପଖି ୧୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ହିରୋଦ । ନିଜେ ରୋଜଗାର କରିବା ସହ ୪୦ରୁ ଅଧିକ ଲୋକଙ୍କୁ ଏହି କାମରେ ସେ ନିୟୋଜିତ କରିଛନ୍ତି ।

ଏହି କାମରେ ହିରୋଦଙ୍କୁ ତାଙ୍କ ବାପା ମା’ ପୂର୍ଣ୍ଣ ସହଯୋଗ କରନ୍ତି । ଚାକିରି ଅପେକ୍ଷା ଚାଷ କାମରୁ ଅଧିକ ଲାଭ ମିଳୁଥିବାବେଳେ ଏହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ହିରୋଦଙ୍କ ବାପା-ମା’ । ତେବେ ଫଳ ପନିପରିବା ସହ ଫୁଲ ଚାଷ କରିଛନ୍ତି ହିରୋଦ । ପୋଖରୀ ହୁଡ଼ାରେ ଗେଣ୍ଡୁ ଫୁଲ ଚାଷ କରି ସେଥିରୁ କିଛି ରୋଜଗାର କରୁଛନ୍ତି । ହିରୋଦଙ୍କ ସଫଳ ଚାଷ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।