ଦିନେ ପେଟପାଟଣା ପାଇଁ ସଂଘର୍ଷ କରୁଥିଲେ । ଏବେ ଷ୍ଟ୍ରବେରି ଚାଷ କରିଛି ସ୍ୱାବଲମ୍ବୀ

72

କନକ ବ୍ୟୁରୋ: ରାୟଗଡା ରାମାନାଗୁଡ଼ା ବ୍ଲକର ପାଲୁପାଇ, ଟାସକୀ ଓ ଜିଞ୍ଜରବାଡ଼ି ଗାଁରେ ଷ୍ଟ୍ରବେରି ଚାଷ କରିଛନ୍ତି ମହିଳା । ରାମାନାଗୁଡ଼ା ବ୍ଲକ ଅଞ୍ଚଳରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଷ୍ଟ୍ରବେରୀ ଚାଷ । ଏହି ଅଞ୍ଚଳର ପରିବେଶ ଷ୍ଟ୍ରବେରି ଚାଷ ପାଇଁ ବେଶ ଅନୁକୂଳ ହୋଇଥିବାରୁ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ନେଇ ଏହି ଚାଷ ଆରମ୍ଭ କରିଛି ବ୍ଲକ ପ୍ରଶାସନ । ଓଡ଼ିଶା ଜୀବିକା ମିଶନ ଓ ଉଦ୍ୟାନ ବିଭାଗ ପ୍ରୟାସରେ ଏହି ଚାଷ ଆରମ୍ଭ ହୋଇଛି ।

ଷ୍ଟ୍ରବେରୀ ଚାଷ ପାଇଁ ପ୍ରଥମେ ଏସଏଚଜି ସଦସ୍ୟାଙ୍କୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ପ୍ରଶିକ୍ଷଣ ଦିଆଯାଇଛି । ଉନ୍ନତ ଜ୍ଞାନ କୌଶଳ ଯଥା ବୁନ୍ଦା ଜଳସେଚନ ମାଧ୍ୟମରେ ଷ୍ଟ୍ରବେରି ଚାଷ କରିବା ନେଇ ତାଲିମ ମଧ୍ୟ ପ୍ରଦାନ କରାଯାଇଛି । ପରେ ପୁନେ ମହାବଳେଶ୍ୱରରୁ ଉନ୍ନତମାନର ଷ୍ଟ୍ରବେରୀ ଚାରା ଆଣି ବ୍ଲକ ପ୍ରଶାସନ ପକ୍ଷରୁ ଯୋଗାଇଦିଆଯିବା ପରେ ଉଦ୍ୟାନ କୃଷି ବିଭାଗ ସହାୟତାରେ ଏହି ଚାଷ କରିଛନ୍ତି ମହିଳା ।

ପୂର୍ବରୁ ଏହି ଗାଁର ମହିଳା ମାନେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ସହ ମୂଳଲାଗି ଜୀବିକା ନିର୍ବାହ କରୁଥିଲେ । କିନ୍ତୁ ଏବେ ଗାଁ ମହିଳାଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆସିଛି । ଏବେ ଏହି ଗାଁ ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ଆରମ୍ଭ କରିଛନ୍ତି ଷ୍ଟ୍ରବେରୀ ଚାଷ । ଏମାନଙ୍କୁ ଅଞ୍ଚଳରେ ମିଳିଛି ଏକ ସ୍ୱତନ୍ତ୍ର ପରିଚୟ । ପ୍ରାୟ ଅଢ଼େଇ ଏକର ଜମିରେ ୩ଟି ଗ୍ରୁପର ସଦସ୍ୟା ମାନେ ଷ୍ଟ୍ରବେରୀ ଚାଷ କରିଛନ୍ତି । ଉତ୍ପାଦିତ ହେଉଥିବା ଷ୍ଟ୍ରବେରୀକୁ ରାମନାଗୁଡ଼ା ବ୍ରାଣ୍ଡରେ କିଲୋ ପିଛା ୫୦୦ ଟଙ୍କାରେ ବିକ୍ରି କରାଯାଉଛି । ଉପାନ୍ତ ଅଞ୍ଚଳର ଏହି ମହିଳାଙ୍କ ଉଦ୍ୟମ ଏବେ ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛି ।