ପୋଷା କୁକୁରଙ୍କ ପାଇଁ ବିଏମସିର କଡା ନିୟମ । ସର୍ବସାଧାରଣ ସ୍ଥାନରେ ମଳତ୍ୟାଗ କଲେ, ସଫା କରିବେ ମାଲିକ । କୁକୁର ବ୍ୟବସାୟ ଉପରେ ଲାଗିବ କଟକଣା ।

218

କନକ ବ୍ୟୁରୋ: ପୋଷା କୁକୁରଙ୍କ ପାଇଁ ଆସିଲା କଠୋର ନିୟମ । ଏଣିକି ରାସ୍ତାରେ ପୋଷା କୁକୁର ମଳତ୍ୟାଗ କଲେ ତାକୁ ସଫା କରିବେ କୁକୁର ମାଲିକ । ବିଏମସି ପକ୍ଷରୁ ପୋଷା କୁକୁରଙ୍କ ମାଲିକଙ୍କ ପାଇଁ ଏଭଳି କିଛି ଶକ୍ତ ନିୟମ ରଖାଯାଇଛି । ବାଇ ଲ’ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ପାଖକୁ ପଠାଇଛି ବିଏମସି । କେବଳ ସେତିକି ନୁହେଁ, କୁକୁର ପୋଷୁଥିବା ବ୍ୟକ୍ତି କୁକୁରକୁ କିଭଳି ରଖିଛନ୍ତି, ତାର ଯତ୍ନ ଠିକ ଭାବେ ନେଉଛନ୍ତି କି ନାହିଁ ସେନେଇ ଅତର୍କିତ ଭାବେ ଘରକୁ ଯାଇ ଯାଞ୍ଚ କରିବ ବିଏମସି ଟିମ୍ ।

  • ପୋଷା କୁକୁରଙ୍କ ପାଇଁ କଡା ନିୟମ
  • ରାସ୍ତାରେ ଝାଡା କଲେ, ସଫା କରିବେ ମାଲିକ
  • ଆଇନ ନ ମାନିଲେ ଗଣିବେ ତଣ୍ଡ

ପୋଷା କୁକୁର ରଖିଛନ୍ତି କି ? ରାସ୍ତା କଡରେ ବୁଲାଇବା ବେଳେ କୁକୁର ମଳ ତ୍ୟାଗ କରିଦେଉଛି କି? ଯଦି ଏପରି ହେଉଛି ତେବେ କୁକୁର ମାଲିକ ସଜାଗ ହୋଇଯାନ୍ତ୍ୁ, କାରଣ ଆପଣଙ୍କ ପୋଷା କୁକୁରର ଅଭ୍ୟାସ ଆପଣଙ୍କୁ ସମସ୍ୟାରେ ପକାଇପାରେ । ଏଣିକି ରାସ୍ତାରେ ପୋଷା କୁକୁର ମଳ ତ୍ୟାଗ କଲେ କୁକୁର ମାଲିକ ହିଁ ସଫା କରିବେ । କୁକୁର ବୟସ୍କ ହୋଇଗଲେ କୁକୁର ମାଲିକ ତାକୁ ଘରୁ ବାହାର କରିଦେଉଥିବା ଅନେକ ନଜିର ରହିଛି । ତେବେ ଏସବୁ କରୁଥିବା କୁକୁର ମାଲିକଙ୍କ ଉପରେ ନଜର ରଖିବା ପାଇଁ କୁକୁରର ପଞ୍ଜିକରଣ କରିବାକୁ ନିଷ୍ପତି ନେଇଛି ବିଏମସି । ପଞ୍ଜିକରଣ ବାବଦକୁ କୁକୁର ମାଲିକଙ୍କୁ ୫୦୦ ଟଙ୍କା ଦେବାକୁ ପଡିବ । ଏହାପରେ କୁକୁର ବେଲ୍ଟରେ ଗୋଟିଏ ଚିପ୍ ଲଗାଯିବ । ବିଏମସିର ନିୟମକୁ ଅନେକ ସ୍ୱାଗତ କରୁଥିବାବେଳେ ଏସବୁ କାର୍ଯ୍ୟକାରୀ କରିବା ପାଇଁ ଓଡିଶାରେ କୌଣସି ଭିତ୍ତିଭୂମି ନଥିବା କହିଛନ୍ତି ପଶୁ ପ୍ରେମୀ ।

  • ଲୋକେ କେତେ ମାନିବେ ନିୟମ?
  • କୁକୁର ବେପାର ଉପରେ ଲାଗିବ କଟକଣା !

ବିଭିନ୍ନ ବ୍ରିଡର କୁକୁର ପୋଷିବା ପରିବର୍ତ୍ତେ ବୁଲା କୁକୁରଙ୍କୁ ପୋଷିବା ଆରମ୍ଭ କରନ୍ତୁ ବୋଲି ବିଏମସି ମେୟର କହିଛନ୍ତି । ତେବେ ପୋଷା କୁକୁରଙ୍କ ପାଇଁ ବିଏମସି କରିଥିବା ବାଇ ଲ ଅନୁଯାୟୀ ଏଣିକି ରାଜଧାନୀରେ କୁକୁର ବେପାର ଉପରେ ଲାଗିବ କଟକଣା । ଏଥିପାଇଁ ବିଏମସିର ଅନୁମତି ନେବାକୁ ପଡିବ । ଏହାସହ ୪ ମାସରୁ କମ୍ ବୟସର କୁକୁର ରଖିପାରିବେନି ମାଲିକ । ବିଏମସିର ଏଭଳି ନିଷ୍ପତିକୁ ଅନେକ ସହଜରେ ଗ୍ରହଣ କରିପାରୁନାହାନ୍ତି । ନିୟମ କରୁଥିବା ବ୍ୟକ୍ତି ଅଧିକାରୀଙ୍କର କୁକୁରର ମାନସିକ ସ୍ଥିତି ବିଷୟରେ ଧାରଣା ଅଛି କି ନାହିଁ ପ୍ରଶ୍ନ କରିଛନ୍ତି ପଶୁ ପ୍ରେମୀ ।

ବାଇ ଲ’ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ପାଖକୁ ପଠାଇଛି ବିଏମସି । କୁକୁର ପୋଷୁଥିବା ବ୍ୟକ୍ତି କୁକୁରକୁ କିଭଳି ରଖିଛନ୍ତି । ତାର ଯତ୍ନ ଠିକ ଭାବେ ନେଉଛନ୍ତି କି ନାହିଁ ସେନେଇ ଅତର୍କିତ ଭାବେ ଘରକୁ ଯାଇ ଯାଞ୍ଚ କରିବ ବିଏମସି ଟିମ୍ । ତେବେ ଯେଉଁମାନେ ନିୟମ ନମାନିବେ ସେମାନଙ୍କୁ ତଣ୍ଡ ଗଣିବାକୁ ପଡିବ ବୋଲି କହିଛନ୍ତି ବିଏମସି କର୍ତୃପକ୍ଷ । ପ୍ରଶ୍ନ ଉଠୁଛି, ନିୟମ ରାଜଧାନୀରେ କେତେ କାର୍ଯ୍ୟକାରୀ ହେବ । ଏହାକୁ ଲୋକେ ମାନିବେ କେତେ ?