ଗ୍ରାହକ ବେହାଲ, ବିଲ୍ଡର ମାଲାମାଲ । ଟଙ୍କା ନେଲେ, ହେଲେ ଘର ଦେଲେନି । ସ୍ୱପ୍ନରେ ରହିଯିବ କି ସ୍ୱପ୍ନର ଘର?

437

କନକ ବ୍ୟୁରୋ: ବିଲ୍ଡର ଅଫିସରେ ହୋହଲ୍ଲା । ପାଟିତୁଣ୍ଡ ଯୁକ୍ତିତର୍କ । ନଛୋଡ଼ବନ୍ଧା ଗ୍ରାହକ, ହଟହଟା ବିଲ୍ଡର । ଏଭଳି ଖବର ଆସିଛି ଭୁବନେଶ୍ୱର ସହିଦନଗରରେ ଥିବା ଆରୟନ ଇନଫ୍ରା ବିଲ୍ଡର ଅଫିସରୁ । ଏହି ବିଲ୍ଡର ସଂସ୍ଥା ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ‘ଦି ପ୍ରେଷ୍ଟିଜ୍’ ନାମକ ଏକ ଆପାର୍ଟମେଣ୍ଟରେ ଫ୍ଲାଟ ଦେବାକୁ କହି ଲୋକଙ୍କୁ ଚୁନା ଲଗାଇଥିବା ଗ୍ରାହକ ଅଭିଯୋଗ ଆଣିଛନ୍ତି । ବିଲ୍ଡରଙ୍କ ପ୍ରତିଶ୍ରୁତି ଅନୁଯାୟୀ, ପାଖାପାଖି ୩୮ ଗ୍ରାହକ ୨୦୧୨ରୁ ୨୦୧୪ ମସିହା ସୁଦ୍ଧା ସମସ୍ତ ଟଙ୍କା ପୈଠ କରିଥିଲେ । ଆଉ ୨୦୧୬ ସୁଦ୍ଧା ଘର ଦିଆଯିବ ବୋଲି କହିଥିଲେ ବିଲ୍ଡର । ହେଲେ ଏଯାବତ ନା ମିଳିଲା ଘର, ନା ଫେରାଉଛନ୍ତ ଟଙ୍କା । ଯାହାକୁ ନେଇ ବିଲ୍ଡର ଅଫିସରେ ଅଡ଼ି ବସିଛନ୍ତି ଗ୍ରାହକ ।

ଭୁବନେଶ୍ୱରରେ ଫ୍ଲାଟ କିଣିବାର ସ୍ୱପ୍ନ ଦେଖି ନିଜ ଜୀବନ ଯାକର ପୁଞ୍ଜି ଲଗାଇ ଦେଇଛନ୍ତି ଗ୍ରାହକ । କିଏ ନିଜ ଝିଅ ବାହାଘରରେ ଫ୍ଲାଟ ଗିଫ୍ଟ କରିଥାନ୍ତେ ତ କିଏ ପୁଣି ଅବସର ପରେ, ଘର ଖଣ୍ଡେ କରି ବାକି ଜୀବନ ପରିବାର ସହ କଟାଇଥାନ୍ତେ । ଆଉ କିଏ ବ୍ୟାଙ୍କର ଲୋନ୍ ଟଙ୍କା ଗଣି ଗଣି ଜୀବନ ହରାଇବାକୁ ବସିଲେଣି । ହେଲେ ବିଲ୍ଡର ଜଣକ ଲୋକମାନଙ୍କୁ ଭୁଆଁ ବୁଲାଉଛନ୍ତି । ବ୍ରୋସରରେ ଗୋଟିଏ ଜିନିଷ ଦେଖାଇ, ଅନ୍ୟ ଜିନିଷ ଦେଇ ଲୋକଙ୍କୁ ଭଣ୍ଡାଇବାକୁ ଚେଷ୍ଟା କରୁଥିବା ଲୋକମାନେ କହିଛନ୍ତି । ଏହି ଠକେଇ ଯୋଗୁଁ, ଲୋକଙ୍କ ସ୍ୱପ୍ନ ସ୍ୱପ୍ନରେ ରହିଯାଇଛି । ଆଗାମୀ ଦିନରେ ଏନେଇ ରେରା କିମ୍ବା ଇଓଡବ୍ଲ୍ୟୁର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ।

ଭୁବନେଶ୍ୱରରେ ବିଲ୍ଡରଙ୍କ ଦ୍ରୌରାତ୍ମ୍ୟ ବଢ଼ିବାରେ ଲାଗିଛି । କୋଟି କୋଟି ଟଙ୍କା ନେବା ସତ୍ୱେ ଲୋକଙ୍କ ସହ ଖେଳ ଖେଳୁଛନ୍ତି ବିଲ୍ଡର । ଏଠାରେ ଏବେ ପ୍ରଶ୍ନ ଉଠୁଛି…

  • ରେରା ନିୟମକୁ ଖୋଲାଖୋଲି ଉଲ୍ଲଂଘନ ସତ୍ତ୍ୱେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ?
  • ପର ପଇସାରେ ପ୍ରହସନ କରୁଥିବା ସଂସ୍ଥା ପଛରେ କାହାର ହାତ?
  • ଟଙ୍କା ନେଇ ଘର ଯୋଗାଉନଥିବା ବିଲ୍ଡରଙ୍କୁ କିଏ ଯୋଗାଉଛି ବଳ?