ପାକିସ୍ତାନରେ ହଟଚମଟ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଗିରଫ । ଜୋର ଜବରଦସ୍ତ ଉଠାଇ ନେଲା ଅର୍ଦ୍ଧ ସାମରିକ ବାହିନୀ

139

କନକ ବ୍ୟୁରୋ: ଜେଲ୍ ଗଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ ଇନସାଫର ମୁଖିଆ ଇମ୍ରାନ ଖାନ୍ । ଇସଲାମାବାଦ ହାଇକୋର୍ଟ ବାହାରେ ପାକିସ୍ତାନର ଅର୍ଦ୍ଧସାମରିକ ବାହିନୀ ଇମ୍ରାନ ଖାନଙ୍କୁ ଗିରଫ କରିଛି । ପାକ୍ ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଗିରଫବେଳେ କୋର୍ଟ ପରିସରରେ ଜବରଦସ୍ତ ହଙ୍ଗାମା ଦେଖିବାକୁ ମିଳିଥିଲା । ଇମ୍ରାନଙ୍କ ସମର୍ଥକ ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା । ହେଲେ ଶେଷରେ ଇମ୍ରାନଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଛି ପାକ୍ ରେଞ୍ଜର୍ସ ।

  • ପାକିସ୍ତାନ ରାଜନୀତିରେ ବଡ଼ ହଲଚଲ
  • ଗିରଫ ହେଲେ ଇମ୍ରାନ ଖାନ

ପାକିସ୍ତାନର ପ୍ରମୁଖ ବିରୋଧୀ ଦଳ ପିଟିଆଇ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ବେଳର ଗୋଟିଏ ଦୃଶ୍ୟ ଏବେ ଖାଲି ପାକିସ୍ତାନ ମିଡିଆରେ ନୁହେଁ ବରଂ ଅନ୍ତର୍ଜାତୀୟ ଗଣମାଧ୍ୟମ ଗୁଡ଼ିରେ ଜୋରଦାର ପ୍ରସାରିତ ହେଉଛି । କୋର୍ଟରେ ହାଜର ହେବାକୁ ଆସିଥିବା ବେଳେ ପାକ୍ ରେଞ୍ଜରର୍ସ ମାନେ ଇମ୍ରାନଙ୍କୁ ଉଠାଇ ନେଇ ଗିରଫ କରିଛନ୍ତି ।

  • ସ୍ଥାନ: ଇସଲାମାବାଦ ହାଇକୋର୍ଟ
  • ସମୟ: ମଙ୍ଗଳବାର ଅପରାହ୍ନ

ଏକ ଦୁର୍ନୀତି ମାମଲାରେ ହାଜର ହେବାକୁ ଇସଲାମାବାଦ ହାଇକୋର୍ଟ ପରିସରରେ ପହଞ୍ଚିଥିଲେ ଇମ୍ରାନ ଖାନ । ଅଳ୍ପ କିଛି ସମୟ ପରେ ହୋଇଥାନ୍ତା ଶୁଣାଣି । ହେଲେ ଠିକ୍ ଏହା ପୂର୍ବରୁ ହାଇକୋର୍ଟ ପରିସରରେ ପହଞ୍ଚିଥିଲେ ରେଞ୍ଜର୍ସ । ଇମ୍ରାନଙ୍କୁ ଉଠାଇ ନେବାକୁ ଚେଷ୍ଟା କରିଥିଲେ । ଆଉ ଏହାକୁ ବିରୋଧ କରିଥିଲେ ଇମ୍ରାନଙ୍କ ସମର୍ଥକ । ଧସ୍ତାଧସ୍ତି ବି ଚାଲିଥିଲା । ଶେଷରେ ରେଞ୍ଜର୍ସମାନେ ଇମ୍ରାନଙ୍କ ଗିରଫ କରି ନେଇଯାଇଛନ୍ତି । ପାକିସ୍ତାନୀ ମୁଦ୍ରାରେ ୫ ହଜାର କୋଟି ଟଙ୍କା ଦୁର୍ନୀତି ଅଭିଯୋଗରେ ଇମ୍ରାନ କୋର୍ଟରେ ହାଜର ହେବାକୁ ଆସିଥିଲେ । ଏନେଇ ତାଙ୍କୁ ମେ ୧ରେ ଇସଲାମାବାଦ ହାଇକୋର୍ଟ ନୋଟିସ୍ ଜାରି କରିଥିଲେ ।

  • ଇମ୍ରାନଙ୍କ ଗିରଫ ପରେ ପାକିସ୍ତାନରେ ଉତ୍ତେଜନା
  • ବିଭିନ୍ନ ସହରରେ ସରକାର ବିରୋଧୀ ପ୍ରତିବାଦ

ଇମ୍ରାନଙ୍କ ଗିରଫ ହେବାର ଖବର ପ୍ରସାରିତ ହେବା ପରେ ପାକିସ୍ତାନର ବିଭିନ୍ନ ସହରରେ ପ୍ରତିବାଦ ଦେଖିବାକୁ ମିଳିଛି । ପିଟିଆଇ ସମର୍ଥକମାନେ ରାଜରାସ୍ତାକୁ ଆସି ଶେହବାଜ ସରିଫ ସରକାରଙ୍କ ବିରୋଧରେ ନାରା ଦେଇଛନ୍ତି । ଶେହବାଜ ସରକାର ମିଛ କେସରେ ଇମ୍ରାନ ଖାନଙ୍କୁ ଫସାଇ ଗିରଫ କରିଥିବା ଅଭିଯୋଗ କରିଛନ୍ତି ପିଟିଆଇ ସମର୍ଥକ । ସେପଟେ ପିଟିଆଇ ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ଇମ୍ରାନଙ୍କ ଗିରଫଦାରି ଗ୍ରହଣୀୟ ନୁହେଁ, ଆଉ ଏହା ବିରୋଧରେ ଜୋରଦାର ଲଢ଼େଇ ହେବ ।

  • ଇମ୍ରାନଙ୍କ ଗିରଫଦାରିକୁ ସମର୍ଥନ କଲେ ପାକ୍ ପ୍ରଧାନମନ୍ତ୍ରୀ
  • କହିଲେ ସହ୍ୟ କରାଯିବନି ସେନା ଓ ଗୁଇନ୍ଦା ସଂସ୍ଥାର ଅପମାନ

ଇମ୍ରାନ ଖାନ ସରକାରରୁ ବିଦା ହେବା ପରେ ବାରମ୍ବାର ପାକ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସଆଇ ବିରୋଧରେ ବିଷ ଉଗାରି ଆସୁଛନ୍ତି । ସେ ବିଦା ହେବା ପଛରେ ଏହି ଦୁଇ ସଂସ୍ଥାର ମୁଖ୍ୟ ଭୂମିକା ଥିବା ଅଭିଯୋଗ କରିଆସୁଛନ୍ତି । ତେଣୁ ଇମ୍ରାନଙ୍କୁ ଗିରଫ ଆଳରେ ଶେହବାଜ ସରକାର ପାକିସ୍ତାନର ପ୍ରକୃତ ଶାସକ ପାକିସ୍ତାନ ସେନାକୁ ମଧ୍ୟ ଖୁସି କରିବାକୁ ଚେଷ୍ଟା କରିଥିବା କୁହାଯାଉଛି ।