ତିନୋଟି ବର୍ବାଦ, ଚତୁର୍ଥଟିକୁ ଉଦ୍ଧାର କଲା ଟାଟା, ପଢନ୍ତୁ ଭାରତୀୟ ଏୟାର ଲାଇନ୍ସ ଇଣ୍ଡଷ୍ଟ୍ରିଜ ସଂକଟର କାହାଣୀ

874

କନକ ବ୍ୟୁରୋ : ଭାରତୀୟ ଏୟାରଲାଇନ୍ସ ସେକ୍ଟରେ ପୁଣି ଏକ ବଡ ଘଟଣାକ୍ରମ ଦେଖିବାକୁ ମିଳିଛି । ଦେଶର ତୃତୀୟ ଏୟାରଲାଇନ କମ୍ପାନୀ ଏବେ ଦେବାଳିଆ ସ୍ଥିତିକୁ ଆସିଯାଇଛି । ବଜେଟ ଏୟାରଲାଇନ୍ସ ‘ଗୋ ଫାଷ୍ଟ’ ତରଫରୁ ଭଲିଣ୍ଟାରୀ ଇନସଲଭେନ୍ସି ପ୍ରୋସିଡିଙ୍ଗ୍ ପାଇଁ ଆବେଦନ କରାଯାଇଛି । ଏହା ପୂର୍ବରୁ ଜେଟ୍ ଏୟାରୱେଜ ୨୦୧୯ ମସିହାରେ ଦେବାଳିଆ ହୋଇଯାଇଥିଲା । ତା ପୂର୍ବରୁ ପଳାତକ ବିଜୟ ମାଲ୍ୟାଙ୍କ ମାଲିକାନାରେ ଥିବା କିଙ୍ଗଫିସର ଏୟାର ଲାଇନ୍ସ ମଧ୍ୟ ଦେବାଳିଆ ହୋଇଯାଇଥିଲା ।

ଯେତେବେଳେ ଗୋଟିଏ ପଟେ ଏହି ୩ଟି ଭାରତୀୟ ଏୟାରଲାଇନ୍ସ ବର୍ବାଦ ହୋଇଗଲା, ଠିକ୍ ସେତେବେଳେ ଆଭିଏସନ୍ ସେକ୍ଟରେ ଇଣ୍ଡିଗୋ ଲଗାତର ଭାବେ ନିଜର ପରିସର ବୃଦ୍ଧି କରିବାରେ ଲାଗିଛି । ଏହାସହ ୬୯ ବର୍ଷ ପରେ ପୁଣି ଟାଟା ଗ୍ରୁପ ନିକଟକୁ ଫେରିଥିବା ଏୟାର ଇଣ୍ଡିଆ ବି ଆଗକୁ ବଢିବାରେ ଲାଗିଛି ।

ଏବେ ଆସନ୍ତୁ ଜାଣିବା କୌଣସି ଏୟାର ଲାଇନ୍ସ ଦେବାଳିଆ ହେବା ପଛରେ କଣ ରହିଛି ପ୍ରମୁଖ କାରଣ । ଦେବାଳିଆପଣ ଏକ ଆର୍ଥିକ ସ୍ଥିତି ଅଟେ । ଯେତେବେଳେ କୌଣସି କମ୍ପାନୀ ବା ବ୍ୟକ୍ତି କରିଥିବା ଋଣ ସୁଝିବାରେ ସମର୍ଥ ହୋଇ ନଥାଏ ସେତେବେଳେ ସେ ନିଜକୁ ଦେବାଳିଆ ବୋଲି ଘୋଷିତ କରିଥାଏ । ଏହାପରେ ଦେବାଳିଆ ସମ୍ପତ୍ତି ବା କମ୍ପାନୀକୁ ଅଦାଲତ ତରଫରୁ ନିଯୁକ୍ତି ଅଧିକାରୀ ନିଲାମ କରିଦେଇଥାନ୍ତି । ଏହି ନିଲାମରୁ ମିଳିଥିବା ଟଙ୍କାକୁ ଋଣଦାତାଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ । ସବୁଠାରୁ ବଡକଥା ଯେତେବେଳେ କୌଣସି କମ୍ପାନୀ ବା ବ୍ୟକ୍ତି ନିଜକୁ ଋଣ ସୁଝିବାକୁ ଅକ୍ଷମ ଦର୍ଶାଇ ଦେବାଳିଆ ଘୋଷିତ କରିଥାଏ ସେତେବେଳେ ତାଙ୍କୁ ଋଣ ପ୍ରଦାନ କରିଥିବା ବ୍ୟକ୍ତି ଋଣ ସୁଝିବାକୁ ବାଧ୍ୟ କରିପାରିବ ନାହିଁ ।

କିଙ୍ଗଫିସର ଏୟାରଲାଇନ୍ସ : ବିଜୟ ମାଲ୍ୟାଙ୍କ ଦ୍ୱାରା ସ୍ଥାପିତ ଏୟାର ଲାଇନ୍ସ ‘କିଙ୍ଗ ଫିସର’ ଦେବାଳିଆ ହୋଇଥିବା ଏୟାରଲାଇନ୍ସ ତାଲିକାର ପ୍ରଥମ ସ୍ଥାନରେ ରହିଛି । ଏହାକୁ ୨୦୦୩ ମସିହାରେ ଲଂଚ କରାଯାଇଥିଲା । ୨୦୦୫ ମସିହାରେ ଏହି ଏୟାରଲାଇନ୍ସ ସିଙ୍ଗଲ କ୍ଲାସ ଇକୋନମୀ ରୂପରେ ପରିଚାଳିତ ହୋଇଥିଲା । ଏହି ଏୟାର ଲାଇନ୍ସ ଆରମ୍ଭ ହେବାର କିଛି ଦିନ ମଧ୍ୟରେ ଦମଦାର ଲାଭ କରିଥିଲା । ଏହାପରେ ୨୦୦୭ ମସିହାରେ ଋଣରେ ବୁଡିଥିବା ଏୟାର ଡେକ୍କନକୁ କିଣିବାକୁ କିଙ୍ଗଫିସର କମ୍ପାନୀ ନିଷ୍ପତ୍ତି ନେଇଥିଲା । ଏହାସହ ୨୦୦୮ ମସିହାରେ ଚୁକ୍ତି ପୁରଣ କରି କିଙ୍ଗଫିସର ଏୟାର ଲାଇନ୍ସ ଏୟାର ଡେକାନକୁ କିଣି ନେଇଥିଲା । ଏହାପରେ କମ୍ପାନୀର କ୍ଷତି ଆରମ୍ଭ ହୋଇଯାଇଥିଲା । ଏହା ପଛରେ ବଡ କାରଣ ଥିଲା ବିମାନରେ ବ୍ୟବହୃତ ହେଉଥିବା ଇନ୍ଧନର ଦର ବୃଦ୍ଧି । ମାତ୍ରାଧିକ ଋଣ ଓ ପରିଚାଳନା ଖର୍ଚ୍ଚ ନଦେଇ ପାରିବାରୁ ୨୦୧୨ ମସିହାରେ ଏହି ଏୟାର ଲାଇନ୍ସ କମ୍ପାନୀର ପଞ୍ଜିକରଣ ରଦ୍ଦ କରାଯାଇଥିଲା ।

ଜେଟ୍ ଏୟାରୱେଜ୍: ନରେଶ ଗୋଏଲ ୧୯୯୨ ମସିହାରେ ଏୟାର ଟ୍ୟାକ୍ସି ଭାବେ ଜେଟ୍ ଏୟାରୱେଜର ଆରମ୍ଭ କରିଥିଲେ । ୧୯୯୩ ମସିହାରେ କମ୍ପାନୀର ଦୁଇଟି ବିମାନ ଉଡିବା ଆରମ୍ଭ କରିଥିଲା । ୨୦୦୨ ମସିହାରେ ଏହି ଏୟାର ଲାଇନ୍ସ ଘରୋଇ ଏୟାରଲାଇନ୍ସ ମାର୍କେଟରେ ଇଣ୍ଡିଆନ ଏୟାରଲାଇନ୍ସକୁ ବି ପଛରେ ପକାଇ ଦେଇଥିଲା । ୨୦୦୬ ମସିହା ବେଳେକୁ ଏହି ଏୟାରଲାଇନ୍ସ ସହ ୨୭ଟି ନୂଆ ବିମାନ ଯୋଡି ହୋଇଥିଲା । କମ୍ପାନୀ ଏବେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିଦେଇଥିଲା । ଏହା କମ୍ପାନୀ ପାଇଁ ସବୁଠାରୁ ବଡ ଭୁଲ ଥିଲା । ଏହାସହ ଆଭିଏସନ ମାର୍କେଟରେ ଇଣ୍ଡିଗୋର ପ୍ରବେଶ ମଧ୍ୟ ଜେଟ ଏୟାରୱେଜ୍ ପାଇଁ କାଳ ସାଜିଥିଲା । ଏଭଳି ଅବସ୍ଥା ଭିତରେ କମ୍ପାନୀ ଗତି କରୁଥିବା ବେଳେ ୨୦୧୯ ବେଳକୁ ବ୍ୟାଙ୍କ ଲୋନ ସୁଝିବାରେ ବିଫଳ ହୋଇଥିଲା କମ୍ପାନୀ । ଏହାସହ କମ୍ପାନୀର ମାଲିକ ନରେଶ ଗୋଏଲ ମଧ୍ୟ ଋଣ ସୁଝିବା ସହ କମ୍ପାନୀ କର୍ମଚାରୀଙ୍କୁ ଦରମା ଦେବାରେ ବିଫଳ ହୋଇଥିଲେ । ଫଳରେ ସେହି ୨୦୧୯ ମସିହାରେ ଏହି କମ୍ପାନୀ ନିଜକୁ ଦେବାଳିଆ ଘୋଷଣା କରିଥିଲା ।

ଗୋ ଫାଷ୍ଟ : ଜେଟ୍ ଏୟାରୱେଜର ବିଫଳତା ପରେ ଏବେ ବଜେଟ ଏୟାରଲାଇନ୍ସ ଗୋ-ଫାଷ୍ଟ ନଗଦ ଅଭାବ କାରଣରୁ ବନ୍ଦ ହେବାକୁ ବସିଛି । କମ୍ପାନୀ ଏବେ ନିଜକୁ ଦେବାଳିଆ ଘୋଷଣା କରିବା ପରେ ଏନସିଏଲଟି ଆବେଦନ କରିଛି । ବାଡିୟା ଗ୍ରୁପର ଏୟାରଲାଇନ୍ସ କମ୍ପାନୀ ଗୋ-ଫାଷ୍ଟ ୨୦୦୫ ମସିହାରେ ଆଭିଏସନ ସେକ୍ଟରେ ଯୋଡି ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ଦୁଇଟି ବିମାନ ଲିଜ ସୂତ୍ରରେ ନେଇଥିବା ବେଳେ ଏବେ କମ୍ପାନୀ ପାଖରେ ୬୧ଟି ବିମାନ ରହିଛି । ଗତ ୩ବର୍ଷ ମଧ୍ୟରେ ବାଡିୟା ଗ୍ରୁପ ଗୋ-ଫାଷ୍ଟ ଏୟାରଲାଇନ୍ସରେ ୩,୨୦୦ କୋଟି ଟଙ୍କା ନିବେଶ କରିଛି । ହେଲେ ଏବେ କମ୍ପାନୀ ଏଭଳି ସ୍ଥିତିରେ ପହଂଚିଛି କି କମ୍ପାନୀ କ୍ୟାସ ଆଣ୍ଡ କ୍ୟାରୀ ମୋଡରେ ଚାଲିଛି । ଅର୍ଥାତ କମ୍ପାନୀକୁ ଯେତୋଟି ବିମାନ ସଂଚାଳିତ କରିବାର ଅଛି ତା ପାଇଁ କମ୍ପାନୀକୁ ଦୈନିକ ପେମେଣ୍ଟ କରିବାକୁ ପଡୁଛି । ଏବେ କମ୍ପାନୀ ଉପରେ ୬,୫୨୭ କୋଟି ଟଙ୍କା ଋଣ ରହିଛି ।