ଝାରସୁଗୁଡା ପ୍ରଚାର ମୈଦାନରୁ କାହିଁକି ଅନ୍ତର୍ଦ୍ଧାନ ସୁଶାନ୍ତ? ଷ୍ଟାର ପ୍ରଚାରକ ତାଲିକାରେ ନାଁ ଥିବା ସତ୍ତେ୍ୱ କାହିଁକି ମିଳୁନି ଦର୍ଶନ?

1,913

କନକ ବ୍ୟୁରୋ : ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଏବେ ପ୍ରଚାର ମୈଦାନ ସରଗରମ । ବିଜେଡି ଏଠାରେ ବିଜୟ ନେଇ ଆଶାବାଦୀ ରହିଥିବା ବେଳେ ବିଜେପି ଟଙ୍କଧରଙ୍କୁ ବିଧାୟକ କରିବାକୁ ଜୋର ଲଗାଇ ଦେଇଛି । କଂଗ୍ରେସ ପୁଣିଥରେ ପୁରୁଣା ଆସନରେ କମବ୍ୟାକ୍ କରିବାକୁ ପ୍ରସ୍ତୁତି ଚଳାଇଛି । ଭୋଟଗ୍ରହଣକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଥିବା ବେଳେ ପ୍ରକମ୍ପିତ ହେଉଛି ପ୍ରଚାର ମୈଦାନ । କିନ୍ତୁ ପଶ୍ଚିମ ଓଡ଼ିଶାରେ ନିର୍ବାଚନ ହେଉଥିଲେ ମଧ୍ୟ ପ୍ରଚାର ମୈଦାନରେ ଏଯାଏଁ ସୁଶାନ୍ତ ସିଂଙ୍କ ଦେଖିବାକୁ ମିଳୁନି । ପଶ୍ଚିମ ଓଡ଼ିଶାରେ ହୋଇଥିବା ପ୍ରତିଟି ଉପନିର୍ବାଚନରେ ସୁଶାନ୍ତଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳୁଥିଲା । ସଙ୍ଗଠନ କଥା ବୁଝିବା ଠାରୁ ଆରମ୍ଭ କରି ପ୍ରଚାର ମୈଦାନ ସବୁଠି ସୁଶାନ୍ତ ଆଗରେ ରହୁଥିଲେ । କିନ୍ତୁ ଝାରସୁଗୁଡାରେ ଏହାର ସମ୍ପୂର୍ଣ୍ଣ ବୀପରୀତ ସ୍ଥିତି ଦେଖିବାକୁ ମିଳିଛି । ନିର୍ବାଚନକୁ ଆଉ ମାତ୍ର ୭ ଦିନ ବାକି ଥିବା ବେଳେ ଝାରସୁଗୁଡା ପ୍ରଚାର ମୈଦାନରୁ ଏଯାଏଁ ସୁଶାନ୍ତ ଅନ୍ତର୍ଦ୍ଧାନ ରହିଛନ୍ତି । ଯାହାକୁ ନେଇ ଏବେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । ଚର୍ଚ୍ଚା ଏଥିପାଇଁ ବଢୁଛି କାରଣ ସୁଶାନ୍ତଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ରହିଥିଲା ।

ଷ୍ଟାର ପ୍ରଚାରକ ତାଲିକାରେ ଥିବା ବିଜେଡିର ଅନ୍ୟ ନେତାଙ୍କୁ ଦୀପାଳିଙ୍କ ସହ ପ୍ରଚାର ମୈଦାନରେ ଦେଖିବାକୁ ମିଳିଛି । କିନ୍ତୁ ସୁଶାନ୍ତ ଏବେ ପ୍ରଚାର ମୈଦାନରୁ ଏବେ ବି ଅଦୃଶ୍ୟ । ଏହା ପଛର କଣ ସ୍ପଷ୍ଟ କାରଣ ରହିଛି ତାହା ଏବେ ବି ଅଜଣା । କିନ୍ତୁ ସ୍ଥାନୀୟ ଅଞ୍ଚଳରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ସୁଶାନ୍ତଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇ ରିସ୍କ ନେବାକୁ ଚାହୁଁନି ଦଳ । କାରଣ ସୁଶାନ୍ତଙ୍କୁ ନେଇ ପୂର୍ବରୁ ବିରୋଧୀ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଏପରିକି ନବ ଦାସଙ୍କ ହତ୍ୟାକାଣ୍ଡରେ ସୁଶାନ୍ତଙ୍କ ସମ୍ପୃକ୍ତି ଥିବା ନେଇ ବାରମ୍ବାର ଅଭିଯୋଗ ଆଣିଛନ୍ତି ବିରୋଧୀ । ତେଣୁ ବିରୋଧୀଙ୍କୁ ସମାଲୋଚନା କରିବାକୁ ସୁଯୋଗ ନ ଦେବାକୁ ସୁଶାନ୍ତଙ୍କୁ କେବଳ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି ସତ କିନ୍ତୁ ପ୍ରଚାର ମୈଦାନକୁ ନ ଓହ୍ଲାଇବାକୁ ଅଘୋଷିତ ନିର୍ଦ୍ଦେଶ ଥିବା ନେଇ ଚର୍ଚ୍ଚା ହେଉଛି । କାରଣ ଏହାପୂର୍ବରୁ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଯେଉଁ ପର୍ଯ୍ୟବେକ୍ଷକ କମିଟି ଗଠନ ହୋଇଥିଲେ ସେଥିରେ ସୁଶାନ୍ତଙ୍କୁ ବାଦ ଦିଆଯାଇଥିଲା । ଯାହାକୁ ନେଇ ନବ ଦାସଙ୍କ ହତ୍ୟାକାଣ୍ଡ ବାବଦରେ ବିରୋଧୀଙ୍କୁ ସମାଲୋଚନା କରିବାର ସୁଯୋଗ ମିଳିଥିଲା । ଏପରିକି ନବ ଦାସ ହତ୍ୟାକାଣ୍ଡରେ ସୁଶାନ୍ତଙ୍କ ସିଂଙ୍କ ସମ୍ପୃକ୍ତି ଥିବାରୁ ତାଙ୍କୁ ପର୍ଯ୍ୟବେକ୍ଷକ ତାଲିକାରୁ ବିଜେଡି ଆଉଟ କରିଥିବା ନେଇ ବିରୋଧୀ ଅଭିଯୋଗ କରିଥିଲେ । କିନ୍ତୁ ଏବେ ଷ୍ଟାର ପ୍ରଚାରକ ତାଲିକରେ ନାଁ ଥାଇ ସୁଦ୍ଧା ପ୍ରଚାର ମୈଦାନରେ ସୁଶାନ୍ତଙ୍କ ଦେଖା ନ ମିଳିବା ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଉଛି ।

ଏସବୁ ଭିତରେ ପ୍ରଶ୍ନ ଉଠୁଛି,
ପଶ୍ଚିମ ଓଡ଼ିଶାରେ ନିର୍ବାଚନ ହେଉଛି, ଅଥଚ ସୁଶାନ୍ତ କାହିଁକି ପ୍ରଚାରକୁ ଆସୁନାହାନ୍ତି?
ସୁଶାନ୍ତଙ୍କୁ ପ୍ରଚାର ମୈଦାନରୁ ଦୂରେଇ ରହିବାକୁ ରହିଛି କି ନିର୍ଦ୍ଦେଶ?
ସୁଶାନ୍ତ ଓ ଝାରସୁଗୁଡା ବିଜେଡି ଭିତରେ ଅଛି କି ଅସନ୍ତୋଷ?