ଚୀନକୁ ଝଟକା, ଭାରତର ଅଭିଯୋଗ ପରେ ଶ୍ରୀଲଙ୍କା ନେଲା ବଡ ନିଷ୍ପତ୍ତି

524

କନକ ବ୍ୟୁରୋ : ତାଇୱାନକୁ ଚୀନର ଧମକ ପରେ ଏବେ ବିଭିନ୍ନ ଦେଶ ମିଳିତ ଭାବେ ଚୀନକୁ ବିରୋଧ କରିବା ଆରମ୍ଭ କରିଛନ୍ତି । ଏହି କ୍ରମରେ ଭାରତର ଅଭିଯୋଗ ପରେ ଚୀନ ବିରୋଧରେ ଶ୍ରୀଲଙ୍କା ଏକ ବଡ ନିଷ୍ପତ୍ତି ନେଇଛି । ଏହି କ୍ରମରେ ଚୀନର ଗୁପ୍ତଚର ଜାହାଜ ୟ୍ରୁଆନ ବାଂଗ-୫ କୁ ହଂବନଟୋଟା ବନ୍ଦରକୁ ଆସିବାର ତାରିଖକୁ କଲମ୍ବୋ ତରଫରୁ ଘୁଂଚାଇ ଦିଆଯାଇଛି । ଏନେଇ ପ୍ରଥମେ ଭାରତ ତରଫରୁ ଚୀନ ଜାହାଜକୁ ରୋକିବାକୁ ଆମେରିକା ପାଖରେ ଅଭିଯୋଗ କରିଥିଲା । ଏହି କାରଣରୁ ଶ୍ରୀଲଙ୍କାର ଏଭଳି ନିଷ୍ପତ୍ତିକୁ ଚୀନ ପାଇଁ ଝଟକା ବୋଲି କୁହାଯାଉଛି ।

ସୂଚନା ମୁତାବକ ଚୀନର ଗୁପ୍ତଚର ଚାହାଜ ୟୁଆନ-୫ ଚଳିତମାସ ୧୧ ତାରିଖରେ ଶ୍ରୀଲଙ୍କାର ହଂବନଟୋଟା ବନ୍ଦରରେ ପହଂଚିବାର ଥିଲା । ସେଠାରେ ଏହି ଜାହାଜ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ରହିଥାନ୍ତା । ହେଲେ ତୃତୀୟ ପୀଢିର ଏହି ଆଧୁନିକ ଗୁପ୍ତଚର ଜାହାଜ ଶ୍ରୀଲଙ୍କା ବନ୍ଦରରେ ରହିବାକୁ ନେଇ ଭାରତ ନିଜ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ବିରୋଧ କରିଥିଲା ।

ଭାରତର ଏଭଳି ବିବରୋଧ ପରେ ଶ୍ରୀଲଙ୍କା ବିଦେଶ ମନ୍ତ୍ରଣାଳୟ ତରଫରୁ ଚୀନ ଦୂତାବାସକୁ ଚିଠିଲେଖି ଜାହାଜର ଆସିବା ତାରିଖକୁ ରୋକିବାକୁ ଅନୁରୋଧ କରିଥିଲା । କହିରଖୁ କି ଚୀନର ଗୁପ୍ତଚର ଜାହାଜ ହଂବନଟୋଟା ବନ୍ଦରକୁ ଆସିବାକୁ ଶ୍ରୀଲଙ୍କା ତରଫରୁ ଜୁଲାଇ ୧୨ ତାରିଖରେ ଅନୁମତି ଦିଆଯାଇଥିଲା ।

ସୂଚନା ଥାଉକି ଭାରତର ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କାରେ ଏବେ ଆର୍ଥିକ ସଂକଟ ଘନେଇବାରେ ଲାଗିଛି । ଏହି କାରଣରୁ ଏଠାରେ ଲୋକମାନେ ଦୁଇଓଳି ଦୁଇମୁଠା ଖାଦ୍ୟ ପାଇଁ ସଂଘର୍ଷ ଜାରି ରଖିଛନ୍ତି । ଏହି ସମୟରେ କେବଳ ଭାରତ ତରଫରୁ ଶ୍ରୀଲଙ୍କାକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି । ଏହି କାରଣରୁ ଭାରତର ଅନୁରୋଧ ରକ୍ଷା କରି ଚୀନ ଜାହାଜକୁ ଅଟକାଇ ଦେଇଛି ଶ୍ରୀଲଙ୍କା । ଶ୍ରୀଲଙ୍କା ଏବେର ପରିସ୍ଥିତିରେ ଭାରତ ସହ ଶତ୍ରୁତା କରିବାକୁ ଚାହୁଁନଥିବା କଥା କୁହାଯାଉଛି ।