ଏକ ବିବାଦିତ ବିଲ୍ ପାରିତ ପରେ ମଣିପୁରରେ ଅଶାନ୍ତି । ଅନେକ ଜିଲ୍ଲାରେ ୧୪୪ ଧାରା ଲାଗୁ, ୫ ଦିନ ପାଇଁ ଇଣ୍ଟରନେଟ ସେବା ବନ୍ଦ

485

କନକ ବ୍ୟୁରୋ : ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ନେତୃତ୍ୱାଧୀନ ବିଜେପି ସରକାର ମଙ୍ଗଳବାର ଦିନ ବିଧାନସଭାରେ ମଣିପୁର (ପର୍ବତ କ୍ଷତ୍ର) ଜିଲ୍ଲାଗୁଡିକରେ ୬ ଏବଂ ୭ ଜିଲ୍ଲାପରିଷଦ ସଂଶୋଧନ ବିଲ ପାରିତ କରିବା ପରେ ପୁରା ରାଜ୍ୟରେ ହିଂସାର ମାହୋଲ ଦେଖିବାକୁ ମିଳିଛି । ସେପଟେ ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା କିଛି ସଂଗଠନର ନେତା ଗିରଫ ହୋଇଥିବା ବେଳେ ସେମାନଙ୍କୁ ମୁକୁଳାଇବାର ଦାବି କରି ପ୍ରଦର୍ଶନ ଜୋର ଧରିଛି । ଏସବୁକୁ ନଜରରେ ରଖି ମଣିପୁର ସରକାର ସମ୍ପୂର୍ଣ୍ଣ ରାଜ୍ୟରେ ୫ ଦିନ ପାଇଁ ଇଣ୍ଟରନେଟ ସେବା ବନ୍ଦ କରିଦେଇଛନ୍ତି । ବିଷ୍ଣୁପୁର ଠାରେ ଏକ ସମୁଦାୟର ଯୁବକମାନେ ପ୍ରଦର୍ଶନ ବେଳେ ଏକ ଭ୍ୟାନରେ ନିଆଁ ଲଗାଇ ଦେଇଛନ୍ତି । ଏହିଠାରୁ ପରିସ୍ଥିତି ଉର୍ତ୍ତେଜନାପୂର୍ଣ୍ଣ ରହିଛି । ଏହାକୁ ନଜରରେ ରଖି ସରକାର ଆସନ୍ତା ୨ମାସ ପାଇଁ ଚୁରାଚାନ୍ଦପୁର ଓ ବିଷ୍ଣୁପୁର ଜିଲ୍ଲାରେ ଧାରା ୧୪୪ ଲାଗୁ କରିଦେଇଛନ୍ତି ।

ସେପଟେ ଶନିବାର ଦିନ ବିଧାନସଭାରେ ସରକାର ଏହି ପ୍ରସ୍ତାବ ଆଣିବା ପରେ ଏହାକୁ ବିରୋଧ କରି ଅଲ୍ ଟ୍ରାଇବାଲ ଷ୍ଟୁଡେଣ୍ଟ ୟୁନିୟନ ତରଫରୁ ମଣିପୁର ରାଜଧାନୀ ଇମ୍ଫାଲ ଠାରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏହି କ୍ରମରେ ପ୍ରଦର୍ଶନକାରୀମାନେ ରାଜମାର୍ଗ ଅବରୋଧ କରିବା ସହ ଅନେକ ଗାଡିରେ ନିଆଁ ଲଗାଇ ଦେଇଥିଲେ । ଏହି କ୍ରମରେ ପୋଲିସ ପ୍ରଦର୍ଶନ ରୋକିବାକୁ ଚେଷ୍ଟା କରୁଥିବା ବେଳେ ପ୍ରଦର୍ଶନକାରୀଙ୍କ ସହ ଗଣ୍ଡଗୋଳ ହୋଇଥିଲା । ଏଥିରେ ୩୦ ରୁ ଅଧିକ ଛାତ୍ର ଆହତ ହୋଇଥିବା କଥା କୁହାଯାଉଛି । ଏହାସହ ପୋଲିସ ୫ ଜଣ ଆଦବାସୀ ଛାତ୍ରନେତାଙ୍କୁ ଗିରଫ କରି ୧୫ ଦିନିଆ ରିମାଣ୍ଡରେ ପଠାଇଛି । ଏବେ ଛାତ୍ର ସଂଗଠନଗୁଡିକ ସେମାନଙ୍କ ନେତାଙ୍କୁ ଛାଡିବାକୁ ଦାବି କରି ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି ।