ଭାରତର C ଟିମ୍ ବି ପାକିସ୍ତାନକୁ ହରାଇଦେବ, ଆର୍ଥରଙ୍କ ମୁହଁ ଚୁପ୍ କରିଦେଲେ ଶ୍ରୀସନ୍ଥ ।

2,170

କନକ ବ୍ୟୁରୋ : ଚଳିତ ବିଶ୍ୱକପରେ ଭାରତ ଠାରୁ ପରାଜିତ ହେବା ପରେ ପାକିସ୍ତାନ ଟିମ ନିର୍ଦ୍ଦେଶକ ମିକି ଆର୍ଥରଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ମିକି କହିଥିଲେ, ଚଳିତ ବିଶ୍ୱକପ ଆଇସିସି ଇଭେଣ୍ଟ ନୁହେଁ ବରଂ ବିସିସିଆଇ ଇଭେଣ୍ଟ ଭଳି ଲାଗୁଛି । ଷ୍ଟାଡିୟମରେ ପାକିସ୍ତାନର କୌଣସି ଗୀତ ବାଜୁନଥିଲା । ଯାହାକୁ ନେଇ ଆପତ୍ତି ଉଠାଇଥିଲେ ମିକି । ଏପରିକି ଫାଇନାଲରେ ଭାରତକୁ ଦେଖିବୁ ବୋଲି କହିଥିଲେ ମିକି । ତେବେ ମିକିଙ୍କ ଏଭଳି ବୟାନର ଜବାବ ରଖିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଏସ୍ ଶ୍ରୀସନ୍ଥ ।

ମିକିଙ୍କ ବୟାନକୁ ତାତ୍ସଲ୍ୟ କରି ଶ୍ରୀସନ୍ଥ କହିଛନ୍ତି, ମିକି କହିଥିଲେ ଫାଇନାଲରେ ଦେଖିବୁ । କିନ୍ତୁ ଫାଇନାଲରେ ଏମିତି ଦେଖିବାକୁ ମିଳିବନି । କାରଣ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତକୁ ପାକିସ୍ତାନ କେବେ ହରାଇ ପାରିବନି । ଏବେ ପାକିସ୍ତାନର ଯେଉଁ ଟିମ ଅଛି ସେମାନେ ମଧ୍ୟ ଭାରତକୁ ହରାଇ ପାରିବେ ନାହିଁ । କେବଳ ଏତିକି ନୁହେଁ ଭାରତର ସି ଟିମ୍ ମଧ୍ୟ ପାକିସ୍ତାନର ମୁଖ୍ୟ ଟିମକୁ ହରାଇଦେବ । ଏପରିକି ଭାରତର ଯେଉଁମାନେ ବିଶ୍ୱକପ ଖେଳୁନାହାନ୍ତି କିନ୍ତୁ ଆଇପିଏଲ ଖେଳୁଛନ୍ତି ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ବାଛି ଟିମ୍ କରିଲେ ମଧ୍ୟ ପାକିସ୍ତାନକୁ ହରାଇଦେବେ ।

କେବଳ ଏତିକି ନୁହେଁ ଶ୍ରୀସନ୍ଥ କହିଛନ୍ତି, ବିଶ୍ୱର ଯେଉଁଠି ବି ଭାରତ ଖେଳିଥାଏ ତାହା ବିସିସିଆଇ ଇଭେଣ୍ଟ ଭଳି ଲାଗେ । ଡର୍ବାନରେ ୨ ବର୍ଷ ଧରି ଖେଳିଛି, ସେଠାରେ ଭାରତରେ ଖେଳିବା ଭଳି ଲାଗିଥିଲା । ଏଭଳି ପରିବେଶ ଆମର କ୍ରିକେଟପ୍ରେମୀ ଓ ବିସିସିଆଇ ସୃଷ୍ଟି କରିଛନ୍ତି । ବଲିଉଡର ୮୩ ଫିଲ୍ମ ମିକି ଦେଖିବା ଦରକାର । ସେତେବେଳେ ଜାଣିପାରିବେ ଯେ ବିସିସିଆଇ କେଉଁଠି ଥିଲା ଏବେ କେଉଁଠି ଅଛି । ବହୁତ ପରିଶ୍ରମ କରି ବିସିସିଆଇ ଏବେ ଏହି ସ୍ଥାନରେ ପହଞ୍ଚିଛି । ନିଜ ଗୋଡରେ ଛିଡା ହୋଇଛି । ଭାରତ ସହ ଲାଗିଲେ ଆମେ ଛାଡିବୁନି । ଭାରତ ଆସିଛ, ଭଲ ଆତିଥେୟତା ପାଇଛ, ଏତେ ବଡ ଷ୍ଟାଡିୟମରେ ଖେଳିବାକୁ ସୁଯୋଗ ପାଇଛ ତାହା ଜାଣିବା ଉଚିତ୍ । ଏଭଳି ସୁଯୋଗ ଆଉ କେବେ ମିଳିବନି ବୋଲି କହି ମିକିଙ୍କୁ କଡା ଜବାବ ଦେଇଛନ୍ତି ଶ୍ରୀସନ୍ଥ । ବିଶ୍ୱକପ ବିଜେତା ଭାରତୀୟ ଦଳରେ ପୂର୍ବରୁ ଖେଳିଛନ୍ତି ଶ୍ରୀସନ୍ଥ । ୨୦୦୭ ଟି-୨୦ ବିଶ୍ୱକପ ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜୟୀ ଦଳରେ ଟିମ୍ ଇଣ୍ଡିଆ ପକ୍ଷରୁ ଖେଳିଛନ୍ତି ଶ୍ରୀସନ୍ଥ ।

ଚଳିତ ବିଶ୍ୱକପରେ ପାକିସ୍ତାନର ବିପକ୍ଷରେ ବିଜୟ ସହ ୮-୦ରେ ଅପରାଜେୟ ରେକର୍ଡ ବଜାୟ ରଖିଛି ଟିମ୍ ଇଣ୍ଡିଆ । ଭାରତ ବିପକ୍ଷରେ ପାକିସ୍ତାନ ମାତ୍ର ୧୯୧ ରନରେ ଅଲଆଉଟ ହୋଇଥିଲା । ଜବାବରେ ଭାରତ ମାତ୍ର ୩ଟି ୱିକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା । ଏହାସହ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଥିଲା ରୋହିତ ବାହିନୀ । ତେବେ ଭାରତର ଏହି ବିଜୟକୁ ସହଜରେ ହଜମ କରିପାରିନାହାନ୍ତି ପାକିସ୍ତାନ ଟିମର ନିର୍ଦ୍ଦେଶକ ମିକି ଆର୍ଥର । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ମିକି ଆର୍ଥରଙ୍କୁ ଟାର୍ଗେଟ କରିଛନ୍ତି ଭାରତୀୟ କ୍ରିକେଟପ୍ରେମୀ ।