ଖଣି ଖନନକୁ ନେଇ ସପକ୍ଷ ଓ ବିପକ୍ଷବାଦୀ ମୁହାଁମୁହିଁ : ଚୌକି ଟେବୁଲ ଭାଙ୍ଗିଲେ ଉତ୍ତ୍ୟକ୍ତ ଆଦିବାସୀ; କହିଲେ ମରିବୁ ପଛେ, ଛାଡ଼ିବୁ ନାହିଁ ଜମି, ଜଙ୍ଗଲ ଓ ଭିଟାମାଟି

384

କନକ ବ୍ୟୁରୋ : ଜନଶୁଣାଣିରେ ବେଦାନ୍ତ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ । କଥା କଟାକଟିରୁ ସଭାସ୍ଥଳରେ ଉତେଜନା ବଢିଥିଲା । ଏହାପରେ ସଭାସ୍ଥଳରେ ଆଦିବାସୀ ଚୌକି, ଟେବୁଲ ଭାଙ୍ଗି ଦେଇଥିଲେ । କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ନିକଟ କେରପାଇରେ, ତିଜମାଳି ଖଣି ଖନନକୁ ନେଇ ଚାଲିଥିବା ଜନ ଶୁଣାଣିରେ ଦେଖିବାକୁ ମିଳିଛ ଏହି ଦୃଶ୍ୟ । ଅଭିଯୋଗ ହୋଇଛି ବେଦାନ୍ତକୁ ଖଣି ଖନନ ଦେବା ପାଇଁ ମୈତ୍ରୀ କମ୍ପାନୀ ପକ୍ଷରୁ କିଛି ସମର୍ଥକଙ୍କୁ ଆଣି ନିଜ ସପକ୍ଷରେ ଜନ ଶୁଣାଣି କରିବାକୁ ଉଦ୍ୟମ ହେଉଥିଲା ।

ଏହି ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ସ୍ଥାନୀୟ ଅଞ୍ଚଳର ଆଦିବାସୀ । କମ୍ପାନୀ କର୍ତ୍ତୃପକ୍ଷ ଆଣିଥିବା ସମର୍ଥକଙ୍କୁ ଗୋଡାଇ ଗୋଡାଇ ସଭାସ୍ଥଳକୁ ଧସେଇ ପଶିଥିଲେ । ଏଥିସହ ଜନଶୁଣାଣୀ ସଭାସ୍ଥଳରେ ଚୌକି ଟେବୁଲ ଭାଙ୍ଗି ଦେଇଥିଲେ । ଏପରିକି ପରିବେଶ ଅଧିକାରୀଙ୍କୁ ମଧ୍ୟ ପାଣି ବୋତଲ ଫିଙ୍ଗିଥିଲେ ଉତ୍ୟକ୍ତ ଆଦିବାସୀ । ମରିଯିବୁ ପଛେ ଭିଟାମାଟି ଓ ଖଣି ଛାଡିବେ ନାହିଁ ବୋଲି ଆଦିବାସୀ କହିଛନ୍ତି ।

‘ତିଜିମାଳି, କୁଟରୁ ମାଳି, ଖଣ୍ଡୁଆଳ ମାଳି ବଞ୍ଚିଥାଉ’- ‘ଜମି ଜଙ୍ଗଲ ଝରଣା ଆମର ସମ୍ପତ୍ତି, ଆମର ପାଖରେ ଥାଉ’ ବୋଲି ନାରାବାଜି କରିଥିଲେ । କିଛି ଲୋକ କମ୍ପାନୀ ହେଉ ମାତ୍ର ନିଯୁକ୍ତି ଦେଉ ବୋଲି କହିଥିବା ବେଳେ ଅନ୍ୟମାନେ ମରିବୁ ପଛେ ଜଙ୍ଗଲ, ଜମି ଛାଡିବୁ ନାହିଁ ବୋଲି ରୋକଠୋକ ଶୁଣାଇ ଦେଉଛନ୍ତି । ବେଦାନ୍ତ ଓ ମୈତ୍ରୀ କମ୍ପାନୀ ବିରୋଧରେ ନାରାବାଜି କରି ବିରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଦାବି ।