କୋରାପୁଟ କଫି ପରେ କୋରାପୁଟ ଗୁଡ଼କୁ ମିଳିବ ସ୍ୱତନ୍ତ୍ର ପରିଚୟ: ଓରମାସ ସହଯୋଗରେ ରାଜ୍ୟର କୋଣ ଅନୁକୋଣରେ ହେବ ବିକ୍ରି

156

କନକ ବ୍ୟୁରୋ: କୋରାପୁଟ ଗୁଡ଼ ପାଇବ ସ୍ୱତନ୍ତ୍ର ପରିଚୟ । ରାଜ୍ୟବାସୀ ଚାଖିବେ କୋରାପୁଟର ଗୁଡ଼ । କଫି ପରେ କୋରାପୁଟର ଗୁଡ଼କୁ ନେଇ ଜିଲ୍ଳାରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ । କୋରାପୁଟ ଜିଲ୍ଲାର କୋଟପାଡ଼, ବୋରିଗୁମ୍ମା, ଜୟପୁର, ଲକ୍ଷ୍ମୀପୁର ଅଂଚଳର ଚାଷୀ ବ୍ୟାପକ ଭାବେ ଆଖୁ ଚାଷ କରନ୍ତି । ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ଦେବା ପାଇ ମିଶନ ଶକ୍ତି ଓ ଓରମାସ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ । ଓରମାସ ସହଯୋଗରେ ରାଜ୍ୟର କୋଣ ଅନକୋଣରେ ବିକ୍ରୀ ହେବ କୋରାପୁଟ ଗୁଡ଼ । ଫଳରେ ଆଖୁ ଚାଷୀ ପାଇବେ ପରିଶ୍ରମର ଉଚିତ ମୁଲ୍ୟ । ଆଉ ଆଖୁ ଚାଷରୁ ମୁହଁ ଫେରାଇବେ ନାହିଁ ଚାଷୀ ।

ଏଥିପାଇଁ କୋରାପୁଟ ଗୁଡ଼ ନାଁରେ ସ୍ୱତନ୍ତ୍ର ଷ୍ଟ୍ରି୍ରକର ଲାଗି ବଜାରରେ ବିକ୍ରୀ କରାଯିବ । ପ୍ରତେକ ରେଳ ଷ୍ଟେସନ ଓ ଏୟାର ପୋର୍ଟ ହେବ ସ୍ୱତନ୍ତ୍ର କାଉଁଟର । ଏହା ସହ ରାଜ୍ୟର ପ୍ରତେକ ସ୍ଥାନରେ ମଧ୍ୟ ଏହାକୁ ବିକ୍ରୀ କରାଯିବ । ବିନା କେମିକାଲରେ ପ୍ରସ୍ତୁତ ହୋଇଥିବା ଗୁଡ଼କୁ ପ୍ଲାଷ୍ଟିକ ଡ଼ବାରେ ଭର୍ତି କରୁଛନ୍ତି ମହିଳା । ସ୍ୱଚ୍ଛତକାକୁ ନଜରରେ ରଖି ଉପଯୁକ୍ତ ଓଜନ ଅନୁସାରେ ବିକ୍ରି ପାଇଁ ଚାଲିଛି ପ୍ରସ୍ତୁତି । ୧୦ରୁ ୧୨ ଜଣ ମହିଳା ଏହି କାମରେ ନିୟୋଜିତ ବେଳେ ଏଥିରୁ ତାଙ୍କୁ ରୋଜଗାର ମିଳିପାରୁଛି । ଏହା ଦ୍ୱାରା ମହିଳା ମାନେ ରୋଜଗାରକ୍ଷମ ହୋଇପାରୁଛନ୍ତି ।

ପୁର୍ବରୁ ଏହି ଗୁଡ଼ ସ୍ଥାନୀୟ ବଜାରରେ ମାତ୍ର ୨୦ରୁ ୨୫ ଟଙ୍କାରେ ବିକ୍ରି କରାଯାଉଥିଲା । ଚାଷୀଙ୍କୁ ମିଳୁନଥିଲା ଉପଯୁକ୍ତ ମୂଲ୍ୟ । ଏହାକୁ ଆଖି ଆଗରେ ରଖି ଓରମାସ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ଚାଷୀଙ୍କୁ ଉଚିତ ମୁଲ୍ୟ ଦେଇ ଗୁଡ଼ କିଣିବା ପରେ ତାକୁ ସ୍ୱତନ୍ତ୍ର ଭାବେ ପ୍ୟାକେଟିଂ କରି ବଜାରେ କିଲୋ ପିଛା ୫୦ ଟଙ୍କା ରେ ବିକ୍ରୀ କରାଯାଉଛି । ଏଥିରେ ଗ୍ରାହକ ଏବଂ ଚାଷୀ ମଧ୍ୟ ଖୁସି ଅଛନ୍ତି । ଆଗକୁ କଫି ଭଳି ଏହି କୋରାପୁଟ ଗୁଡ଼କୁ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ମିଳିବ ବୋଲି ଆଶା କରାଯାଉଛି ।

କୋରାପୁଟ ଜଳବାୟୁ ଆଖୁ ଚାଷ ପାଇଁ ଉପଯୁକ୍ତ । ଏହି ଜଳବାୟୁର ଆଖୁ ଚାଷରୁ ପ୍ରସ୍ତୁତ ହେଉଥିବା ବିନା କେମିକାଲର ଗୁଡ଼ ବେଶ ସ୍ୱାଦିଷ୍ଟ । ବ୍ୟବସାୟର ଅଭାବରୁ କୋରାପୁଟ ଆଖୁ ଚାଷୀ ଏହି ଚାଷରୁ ମୁହଁ ଫେରାଉଥିଲେ । କିନ୍ତୁ ଚାଷୀଙ୍କ ସୁବିଧାକୁ ନଜରରେ ରଖି ଏପରି ପ୍ରୟାସ ଆରମ୍ଭ କରିଛି ଓରମାସ ଓ ମିଶନ ଶକ୍ତି ।