ବଡ଼ପଣ ଦେଖାଇଲେ ପୂର୍ବତନ ଆର୍ମି ଅଫିସର । ଆର୍ମି ଅପରେସନ୍ ଭଳି ବୁଦ୍ଧି ଖଟାଇଲେ, ହଜିଯାଇଥିବା ଲୋକର ପର୍ସ ଫେରାଇଲେ ।

308

କନକ ବ୍ୟୁରୋ: ଦୁନିଆରେ ଏବେ ବି ବଞ୍ଚିଛି ମଣିଷପଣିଆ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ପୂର୍ବତନ ଆର୍ମି ଅଫିସର । ରାଉରକେଲାରୁ ପାଇଥିଲେ ଟଙ୍କା ଭର୍ତ୍ତି ମନି ପର୍ସ, ଆର୍ମି ବୁଦ୍ଧି ଖଟାଇ ଶେଷରେ ଉପଯୁକ୍ତ ଲୋକଙ୍କୁ ଫେରାଇଲେ ମନି ପର୍ସ ସହ ହଜାର ହଜାର ଟଙ୍କା ।

ସୂଚନା ଅନୁସାରେ ଗତ ୬ ତାରିଖରେ ଯାଜପୁର ରୋଡ ଅଞ୍ଚଳର ଦୀପକ ମହାରଣା ନିକ ଗାଡ଼ିରେ ବ୍ୟକ୍ତିଗତ କାମରେ ରାଉରକେଲା ଯାଇଥିଲେ । ଆଉ ରାଉରକେଲାରେ ପହଞ୍ଚି ଏକ ମାର୍କେଟରେ ନିଜ ଗାଡି ରାସ୍ତା କଡରେ ରଖି ବାହାରକୁ ଆସିଥିଲେ । ଏହି ସମୟରେ ଏକ ମନି ପର୍ସ ରାସ୍ତା କଡ଼ରେ ପଡ଼ିଥିବା ଦେଖି ଉଠାଇଥିଲେ । ଏଥିସହିତ ମନି ପର୍ସ କାହାର ବୋଲି ଆଖପାଖ ଲୋକଙ୍କ ସହ ବିଭିନ୍ନ ଦୋକାନରେ ପଚାରି ଥିଲେ । ମାତ୍ର ମନି ପର୍ସ ହଜିଥିବା ବ୍ୟକ୍ତିଙ୍କୁ ନପାଇବାରୁୁ ନେଇ ଯାଜପୁର ରୋଡ଼ ଫେରିଆସିଥିଲେ ।

ଯାଜପୁର ଫେରିଆସି ମନି ପର୍ସର ପ୍ରକୃତ ମାଲିକକୁ କିଛି ସୁରାକରୁ ଖୋଜାଖୋଜି କରିଥିଲେ । ଶେଷରେ ମନିପର୍ସ ଭିତରେ ଏକ ଛୋଟ କାଗଜରେ ଏକ ଇ-ମେଲ ଆଇଡ଼ ଥିଲା । ସେଥିରେ ମେଲ ଦେଲେ କିନ୍ତୁ କୌଣସି ଉତର ଆସିଲାନାହିଁ । ପର୍ସ ଭିତରେ ଏକ ଚିରାଫଟା କାଗଜରେ ଏକ ନମ୍ବର ଦେଖି ଫୋନ ଯୋଗେ ଯୋଗାଯୋଗ କରିଥିଲେ । ତେବେ ଏହି ମନି ପର୍ସଟି ରାଉରକେଲା ଅଂଚଳର ଗଦାଧର ପତିଙ୍କର ଜାଣିବାକୁ ପାଇ ପ୍ରମାଣ ଦେଇ ନେଇଯିବାକୁ ଦୀପକ କହିଥିଲେ ।

ତେବେ ଦୀପକଙ୍କ ଫୋନ କଲ ପାଇ ଗଦାଧରଙ୍କ ସମ୍ପର୍କୀୟ ବ୍ୟକ୍ତି ଦୀପକ ପ୍ରଧାନ ଦଳା ସ୍ଥିତ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କ ଉପସ୍ଥିତରେ ଏହି ମନି ପର୍ସକୁ ନେଇଛନ୍ତି । ତେବେ ଏହି ମନି ପର୍ସରେ ଗଦାଧରଙ୍କର ୩୦ ହଜାର ୫ଶହ ଟଙ୍କା ସହିତ ୪ ଟି ଏଟିଏମ କାର୍ଡ ଓ ଦରକାରୀ କାଗଜପାତ୍ର ଥିଲା ।

ସତରେ ଆଜିର ଯୁଗରେ ଏତେ ଟଙ୍କା ପାଇ ମଧ୍ୟ ଦୀପକଙ୍କ ମନରେ ଲୋଭ ନୁହେଁ ବରଂ ମାନବିକତା ସୃଷ୍ଟି ହେଲା । ପୂର୍ବତନ ଆର୍ମି ଅଫିସର ହୋଇଥିବାରୁ ତାଙ୍କ ମନରେ ଦେଶମାଟି ପ୍ରତି ଯେମିତି ସଚ୍ଚୋଟତା ରହିଛି ଠିକ୍ ସେହି ନିଷ୍ଠାପରତା ସହାଯ୍ୟକାରୀ ମନୋଭାବ ଦେଖାଇଲେ ଦୀପକ । ଆଉ ପର୍ସ ହଜିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ତାଙ୍କର ଉପଯୁକ୍ତ ଅର୍ଥ ଓ ପର୍ସ ଫେରାଇବା ପରେ ଏବେ ପୂର୍ବତନ ଆର୍ମି ଅଫିସରଙ୍କୁ ସାଲ୍ୟୁଟ୍ କରି ସମ୍ମାନ କରୁଛନ୍ତି ସଭିଏଁ ।