ଅମର ରହିବ ଲତାଙ୍କ ସ୍ମୃତି, ସ୍ୱତନ୍ତ୍ର ଷ୍ଟାମ୍ପ ପ୍ରଚଳନ ନେଇ ହେଲା ଘୋଷଣା

154

କନକ ବ୍ୟୁରୋ : କୋକିଳ କଣ୍ଠି ଲତା ମଙ୍ଗେସକରଙ୍କ ଦେହାନ୍ତ ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଏନେଇ ବହୁ ବରିଷ୍ଠ ବ୍ୟକ୍ତି ଲତାଙ୍କୁ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଏହି କ୍ରମରେ ଲତାଙ୍କ ସ୍ମୃତିକୁ ଅମର ରଖିବାକୁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି କରିଛନ୍ତି । କେନ୍ଦ୍ର ସରକାର ଲତାଙ୍କ ସ୍ମୃତିରେ ଏକ ସ୍ୱତନ୍ତ୍ର ଷ୍ଟାମ୍ପ ପ୍ରଚଳନ କରିବାକୁ କହିଛନ୍ତି । ଏନେଇ କେନ୍ଦ୍ର ସରକାର କିଛି ଡିଜାଇନ ଚୟନ କରୁଥିବା କଥା କୁହାଯାଇଛି ।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ଏନେଇ ପ୍ରାଥମିକ ସ୍ତରରେ ଡିଜାଇନ ଚୟନ କରାଯାଉଛି । ଜାତୀୟ ଗଣମାଧ୍ୟକୁ ଏକ ସାକ୍ଷାତକାର ଦେବା ଅବସରରେ ରେଳମନ୍ତ୍ରୀ କହିଛନ୍ତି କି, ଏହା ଲତା’ଜୀଙ୍କ ପାଇଁ ଏକ ଛୋଟ ଉପହାର   । ଯିଏ ଦେଶର ନାମକୁ ସଂଗୀତ ମାଧ୍ୟମରେ ସାରା ବିଶ୍ୱରେ ପରିଚିତ କରାଇଛନ୍ତି ଏଭଳି ଏକ ଛୋଟ ଉପହାର ଦେଇ ଦେଶବାସୀଙ୍କ ମନରେ ସର୍ବଦା ଲତା’ଜୀଙ୍କ ଅମର ରଖିବାକୁ ସରକାରଙ୍କର ଏହା ଏକ ଛୋଟିଆ ପ୍ରୟାସ ବୋଲି ସେ କହିଛନ୍ତି ।

ସୂତ୍ର ସୂଚନା ମୁତାବକ ଏକ ସ୍ୱତନ୍ତ୍ର ଟିମ ଷ୍ଟାମ୍ପର ଡିଜାଇନକୁ ପ୍ରସ୍ତୁତ କରୁଛନ୍ତି । ଏହି ଷ୍ଟାମ୍ପ ୩ ପ୍ରକାରର ହେବ ବୋଲି ଅନୁମାନ କରାଯାଇଛି । ଷ୍ଟାମ୍ପରେ ଲତାଙ୍କ ପେନସିଲ ସ୍କେଚ ରହିବ କି ଲତାଙ୍କର ଏକ ସ୍ୱତନ୍ତ୍ର ରଙ୍ଗୀନ ଛବି ରହିବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

ସରକାର ଏହି ଷ୍ଟାମ୍ପର ଉନ୍ମୋଚନ ଲତା’ଜୀଙ୍କ ଜନ୍ମଦିନ ସେପ୍ଟେମ୍ବର ୨୮ ତାରିଖରେ କରିପାରନ୍ତି ବୋଲି ଅନୁମାନ କରାଯାଉଛି । କହିରଖୁ କି ଭାରତ ରତ୍ନ ଲତା ମଙ୍ଗେସକରଙ୍କର ୯୨ ବର୍ଷ ବୟସରେ ପରଲୋକ ହୋଇଛି । ଫେବୃଆରୀ ୬ ତାରିଖ ଦିନ ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଲରେ ଲତା ମଙ୍ଗେସର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।